ପାଞ୍ଚ ରୁଟି ଦୁଇ ମାଛ
1 ଏଥିଉତ୍ତାରେ ଯୀଶୁ ଗାଲିଲୀ ସମୁଦ୍ରର, ଅର୍ଥାତ୍, ତିବିରୀୟା ହ୍ରଦର ଆରପାରିକୁ ଗଲେ। 2 ଆଉ, ସେ ରୋଗୀମାନଙ୍କ ପ୍ରତି ଯେଉଁ ଯେଉଁ ଆଶ୍ଚର୍ଯ୍ୟକର୍ମ କରୁଥିଲେ, ସେହିସବୁ ଦେଖି ବହୁସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ୍ଗମନ କରିବାକୁ ଲାଗିଲେ। 3 ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ। 4 ସେତେବେଳେ ଯିହୁଦୀମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା।
5 ପୁଣି, ଯୀଶୁ ଦୃଷ୍ଟିପାତ କରି ବହୁସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପ୍ପଙ୍କୁ କହିଲେ, "ଏମାନଙ୍କର ଭୋଜନ ନିମନ୍ତେ ଆମ୍ଭେମାନେ କେଉଁଠାରୁ ରୁଟି କିଣିବା?" 6 କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କଅଣ କରିବାକୁ ଯାଉଅଛନ୍ତି, ତାହା ସେ ନିଜେ ଜାଣିଥିଲେ।
7 ଫିଲିପ୍ପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ ଦୁଇଶହ ଦିନର ମଜୁରୀ ସମାନ ମୂଲ୍ୟର6:7 ଦୁଇଶହ ଦିନର ମଜୁରୀ ସମାନ ମୂଲ୍ୟର ଦୁଇଶହ ଦିନାର୍ ରୁଟି ଯଥେଷ୍ଟ ନୁହେଁ।
8 ଶିମୋନ ପିତରଙ୍କର ଭାଇ ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି, 9 ତାହା ପାଖରେ ଯଅର ପାଞ୍ଚୋଟି ରୁଟି ଓ ଦୁଇଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କଅଣ ହେବ? 10 ଯୀଶୁ କହିଲେ, "ଲୋକମାନଙ୍କୁ ବସାଅ।" ସେ ସ୍ଥାନରେ ବହୁତ ଘାସ ଥିଲା। ତେଣୁ ସଂଖ୍ୟାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଲେ। 11 ସେଥିରେ ଯୀଶୁ ସେହି ରୁଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଦେଲେ, ସେହି ପ୍ରକାରେ ମାଛ ମଧ୍ୟ ବାଣ୍ଟିଦେଲେ, ସେମାନେ ଯେତେ ଚାହିଁଲେ, ସେତେ ଦେଲେ।
12 ଆଉ, ସେମାନେ ପରିତୃପ୍ତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ କହିଲେ, "ଯେପରି କିଛି ନଷ୍ଟ ନ ହୁଏ, ଏଥିନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡଗୁଡ଼ିକ ଏକାଠି କର।" 13 ସେଥିରେ ସେମାନେ ସେହିସବୁ ଏକାଠି କଲେ, ପୁଣି, ଲୋକମାନଙ୍କର ଖାଇବା ପରେ ଯଅର ସେହି ପାଞ୍ଚ ରୁଟିରୁ ଯେଉଁ ଭଙ୍ଗାଯାଇଥିବା ଖଣ୍ଡଗୁଡ଼ିକ ବଳିଥିଲା, ସେଥିରେ ସେମାନେ ବାର ଟୋକେଇ ପୂର୍ଣ୍ଣ କଲେ।
14 ତେଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆସିବାର ଥିଲା, ଏ ନିଶ୍ଚୟ ସେହି।