Publicidade

Josué 14

ଯର୍ଦ୍ଦନର ପଶ୍ଚିମ ପାର୍ଶ୍ୱସ୍ଥ ଅଧିକାର

1 କିଣାନ ଦେଶରେ ଇସ୍ରାଏଲ-ସନ୍ତାନଗଣ ଏହିସବୁ ଅଧିକାର ପାଇଲେ, ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣର ପିତୃବଂଶୀୟ ପ୍ରଧାନବର୍ଗ, 2 ଯେପରି ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନେ ତାହା ନଅ ବଂଶକୁ ଓ ଅର୍ଦ୍ଧ ବଂଶକୁ ଗୁଲିବାଣ୍ଟ ଦ୍ୱାରା ବିଭାଗ କରିଦେଲେ। 3 କାରଣ ମୋଶା ଯର୍ଦ୍ଦନ-ପୂର୍ବପାରିରେ ଦୁଇ ବଂଶ ଓ ଅର୍ଦ୍ଧ ବଂଶକୁ ଅଧିକାର ଦେଇଥିଲେ; ମାତ୍ର ସେ ସେମାନଙ୍କ ମଧ୍ୟରେ ଲେବୀୟମାନଙ୍କୁ କୌଣସି ଅଧିକାର ଦେଲେ ନାହିଁ। 4 ଯୋଷେଫର ସନ୍ତାନଗଣ ମନଃଶି ଓ ଇଫ୍ରୟିମ ଦୁଇ ବଂଶ ଥିଲେ। ପୁଣି ସେମାନେ ଲେବୀୟମାନଙ୍କୁ କେତେକ ବସତି-ନଗର ଓ ପଶୁ ଓ ସମ୍ପତ୍ତି ନିମନ୍ତେ ତଳିଭୂମି ଛଡ଼ା ଦେଶ ମଧ୍ୟରେ ଆଉ କୌଣସି ଅଂଶ ଦେଲେ ନାହିଁ। 5 ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ-ସନ୍ତାନଗଣ କର୍ମ କରି ଦେଶ ବିଭାଗ କଲେ।

କାଲେବଙ୍କୁ ହିବ୍ରୋଣ ପ୍ରଦାନ

6 ସେହି ସମୟରେ ଯିହୁଦା-ସନ୍ତାନଗଣ ଗିଲ୍‍ଗଲ୍‍ରେ ଯିହୋଶୂୟଙ୍କ ନିକଟକୁ ଆସିଲେ; ତହୁଁ କନିସୀୟ ଯିଫୁନ୍ନିର ପୁତ୍ର କାଲେବ ତାଙ୍କୁ କହିଲେ, "ସଦାପ୍ରଭୁ ତୁମ୍ଭ ବିଷୟରେ ଓ ଆମ୍ଭ ବିଷୟରେ ପରମେଶ୍ୱରଙ୍କ ଲୋକ ମୋଶାଙ୍କୁ କାଦେଶ-ବର୍ଣ୍ଣେୟରେ ଯାହା କହିଥିଲେ, ତାହା ତୁମ୍ଭେ ଜାଣ। 7 ମୋହର ଚାଳିଶ ବର୍ଷ ବୟସରେ ସଦାପ୍ରଭୁଙ୍କ ସେବକ ମୋଶା ଦେଶ ଅନୁସନ୍ଧାନ କରିବା ପାଇଁ କାଦେଶ-ବର୍ଣ୍ଣେୟଠାରୁ ମୋତେ ପଠାଇଥିଲେ; ତହିଁରେ ମୁଁ ଆପଣା ମନରେ ଯାହା ଥିଲା, ତଦନୁସାରେ ତାଙ୍କୁ ସମ୍ବାଦ ଆଣି ଦେଲି। 8 ତଥାପି ମୋହର ଯେଉଁ ଭ୍ରାତୃଗଣ ମୋର ସଙ୍ଗେ ଯାଇଥିଲେ, ସେମାନେ ଲୋକମାନଙ୍କ ହୃଦୟ ତରଳାଇ ପକାଇଲେ; ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ମୋର ପରମେଶ୍ୱରଙ୍କର ଅନୁଗତ ହେଲି। 9 ଏହେତୁ ମୋଶା ସେହି ଦିନ ଶପଥ କରି କହିଲେ, ‘ଯେଉଁ ଭୂମିରେ ତୁମ୍ଭର ପାଦ ପଡ଼ିଅଛି, ତାହା ଅବଶ୍ୟ ତୁମ୍ଭର ଓ ଯୁଗାନୁକ୍ରମେ ତୁମ୍ଭ ସନ୍ତାନଗଣର ଅଧିକାର ହେବ, ଯେହେତୁ ତୁମ୍ଭେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କର ଅନୁଗତ ହୋଇଅଛ।’ 10 ଏବେ ଦେଖ, ପ୍ରାନ୍ତରରେ ଇସ୍ରାଏଲ ଭ୍ରମଣ କରିବା ବେଳେ ସଦାପ୍ରଭୁ ମୋଶାଙ୍କୁ ସେହି ଯେଉଁ କଥା କହିଥିଲେ, ତଦବଧି ସଦାପ୍ରଭୁ ଆପଣା ବାକ୍ୟାନୁସାରେ ମୋତେ ପଞ୍ଚଚାଳିଶ ବର୍ଷ ହେଲା ଜୀବିତ ରଖିଅଛନ୍ତି; ଏଣୁ ଏବେ ଦେଖ, ମୁଁ ଆଜି ପଞ୍ଚାଅଶୀ ବର୍ଷ ବୟସ୍କ ହୋଇଅଛି। 11 ତଥାପି ମୋଶା ଯେଉଁ ଦିନ ମୋତେ ପଠାଇଥିଲେ, ସେଦିନ ମୁଁ ଯେପରି ବଳବାନ ଥିଲି, ସେପରି ଆଜି ଅଛି; ଯୁଦ୍ଧ କରିବା ପାଇଁ ଓ ବାହାରେ ଭିତରେ ଯିବା ଆସିବା ପାଇଁ ସେସମୟରେ ମୋହର ଯେପରି ବଳ ଥିଲା, ସେପରି ଏବେ ମଧ୍ୟ ମୋହର ବଳ ଅଛି। 12 ଏହେତୁ ସେଦିନ ଏହି ଯେଉଁ ପର୍ବତ ବିଷୟରେ ସଦାପ୍ରଭୁ କହିଥିଲେ, ତାହା ମୋତେ ଦିଅ; କାରଣ ଅନାକୀୟମାନେ ସେଠାରେ ଥାʼନ୍ତି ଓ ନଗରମାନ ବୃହତ ଓ ପ୍ରାଚୀର-ବେଷ୍ଟିତ, ଏହା ତୁମ୍ଭେ ସେଦିନ ଶୁଣିଥିଲ; ହୋଇପାରେ, ସଦାପ୍ରଭୁ ମୋହର ସଙ୍ଗରେ ହେବେ, ପୁଣି ମୁଁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେମାନଙ୍କୁ ତଡ଼ି ଦେବି।"

13 ଏଥିରେ ଯିହୋଶୂୟ ତାହାକୁ ଆଶୀର୍ବାଦ କଲେ; ପୁଣି ସେ ଯିଫୁନ୍ନିର ପୁତ୍ର କାଲେବଙ୍କୁ ଅଧିକାରାର୍ଥେ ହିବ୍ରୋଣ ଦେଲେ। 14 ଏହେତୁ ଆଜି ପର୍ଯ୍ୟନ୍ତ ହିବ୍ରୋଣ କନିସୀୟ ଯିଫୁନ୍ନିର ପୁତ୍ର କାଲେବଙ୍କର ଅଧିକାର ହୋଇଅଛି, ଯେହେତୁ ସେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଅନୁଗତ ହୋଇଥିଲେ। 15 ପୂର୍ବକାଳରେ ଏହି ହିବ୍ରୋଣର ନାମ କିରୀୟଥ୍‍-ଅର୍ବ (ଅର୍ବର ନଗର) ଥିଲା; ସେହି ଅର୍ବ ଅନାକୀୟମାନଙ୍କ ମଧ୍ୟରେ ସର୍ବପ୍ରଧାନ ଲୋକ ଥିଲା। ଏଉତ୍ତାରୁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-