1 (ସେହି ସମୟରେ ଇସ୍ରାଏଲ-ସନ୍ତାନଗଣ ସକାଶୁ ଯିରୀହୋ ରୁଦ୍ଧ ଥିଲା; ଦୃଢ଼ ରୂପେ ରୁଦ୍ଧ ହୋଇଥିଲା; କେହି ବାହାରକୁ ଗଲେ ନାହିଁ ଓ କେହି ଭିତରକୁ ଆସିଲେ ନାହିଁ।) 2 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, "ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ। 3 ତୁମ୍ଭେମାନେ ନଗର ବେଷ୍ଟନ କରିବ, ସମସ୍ତ ଯୋଦ୍ଧା ଥରେ ନଗର ଚାରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାରେ ତୁମ୍ଭେ ଛଅ ଦିନ କରିବ। 4 ପୁଣି ସାତ ଜଣ ଯାଜକ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତ ତୂରୀ ବହିବେ; ଆଉ ସପ୍ତମ ଦିନ ତୁମ୍ଭେମାନେ ସାତ ଥର ନଗର ପ୍ରଦକ୍ଷିଣ କରିବ ଓ ଯାଜକମାନେ ତୂରୀ ବଜାଇବେ; 5 ଏଥିରେ ଯେତେବେଳେ ସେମାନେ ମହାଶବ୍ଦକାରୀ ଶିଙ୍ଗାରେ ଦୀର୍ଘଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ, ସେତେବେଳେ ସମସ୍ତ ଲୋକ ମହା ଜୟଧ୍ୱନିରେ ଜୟଧ୍ୱନି କରିବେ; ତହିଁରେ ନଗରର ପ୍ରାଚୀର ପଡ଼ି ସମଭୂମି ହେବ ଓ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ।" 6 ତହୁଁ ନୂନର ପୁତ୍ର ଯିହୋଶୂୟ ଯାଜକମାନଙ୍କୁ ଡାକି କହିଲେ, "ତୁମ୍ଭେମାନେ ନିୟମ-ସିନ୍ଦୁକ ଘେନ ଓ ସାତ ଜଣ ଯାଜକ ସଦାପ୍ରଭୁଙ୍କ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତ ତୂରୀ ବହନ୍ତୁ।" 7 ଏଥିରେ ସେମାନେ ଲୋକମାନଙ୍କୁ କହିଲେ, "ତୁମ୍ଭେମାନେ ଅଗ୍ରସର ହୋଇ ନଗର ବେଷ୍ଟନ କର ଓ ସସଜ୍ଜ ଲୋକେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖବର୍ତ୍ତୀ ହୋଇ ଗମନ କରନ୍ତୁ।"
Publicidade