Publicidade

Juízes 5

ଦବୋରା ଓ ବାରକ୍‍ଙ୍କ ବିଜୟ ଗାଥା

1 ସେହି ଦିନ ଦବୋରା ଓ ଅବୀନୋୟମର ପୁତ୍ର ବାରକ୍‍ ଗାୟନ କରି କହିଲେ:

2 "ଇସ୍ରାଏଲ ମଧ୍ୟରେ ଅଗ୍ରଗାମୀମାନେ ଅଗ୍ରସର ହେଲେ,

ଲୋକମାନେ ସ୍ୱେଚ୍ଛାରେ ଆପଣା ଆପଣାକୁ ଉତ୍ସର୍ଗ କଲେ,

ଏଥିପାଇଁ ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର!

3 ହେ ରାଜାଗଣ, ଶୁଣ; ହେ ଭୂପତିଗଣ, କର୍ଣ୍ଣ ଡେର;

ମୁଁ, ମୁଁ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି;

ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବି।

4 ହେ ସଦାପ୍ରଭୁ, ତୁମ୍ଭେ ସେୟୀରରୁ ବାହାରିବା ବେଳେ,

ତୁମ୍ଭେ ଇଦୋମ କ୍ଷେତ୍ରରୁ ଯାତ୍ରା କରିବା ବେଳେ ପୃଥିବୀ କମ୍ପିଲା,

ଆକାଶ ମଧ୍ୟ ବିନ୍ଦୁପାତ କଲା, ହଁ, ମେଘମାଳା ଜଳପାତ କଲା।

5 ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତମାନ କମ୍ପମାନ ହେଲେ,

ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମୁଖରେ ସୀନୟ ମଧ୍ୟ (କମ୍ପମାନ ହେଲା)

6 ଅନାତ-ପୁତ୍ର ଶମ୍‍ଗର ସମୟରେ, ଯାୟେଲ ସମୟରେ

ରାଜପଥସକଳ ଶୂନ୍ୟ ଥିଲା ଓ ପଥିକମାନେ ବକ୍ର ଉପପଥ ଦେଇ ଗମନ କଲେ।

7 ଇସ୍ରାଏଲ ମଧ୍ୟରେ ଶାସନକର୍ତ୍ତୃଗଣ ଶୂନ୍ୟ ଥିଲେ,

ମୁଁ ଦବୋରା ଉତ୍ପନ୍ନ ହେବା ପର୍ଯ୍ୟନ୍ତ,

ମୁଁ ଇସ୍ରାଏଲ ମଧ୍ୟରେ ମାତୃ ତୁଲ୍ୟ ଉତ୍ପନ୍ନ ହେବା ପର୍ଯ୍ୟନ୍ତ ସେମାନେ ଶୂନ୍ୟ ଥିଲେ।

8 ସେମାନେ ନୂତନ ଦେବତାମାନଙ୍କୁ ମନୋନୀତ କଲେ,

ତେଣୁ ନଗର-ଦ୍ୱାରସବୁରେ ଯୁଦ୍ଧ ହେଲା;

ଇସ୍ରାଏଲ ମଧ୍ୟରେ, ଚାଳିଶ ସହସ୍ର ଲୋକଙ୍କ ମଧ୍ୟରେ କି

ଗୋଟିଏ ଢାଲ ଅବା ବର୍ଚ୍ଛା ଦେଖାଗଲା?

9 ମୋହର ହୃଦୟ ଇସ୍ରାଏଲର ଶାସନକର୍ତ୍ତାମାନଙ୍କ ଆଡ଼େ ଅଛି,

ଯେଉଁମାନେ ସ୍ୱେଚ୍ଛାରେ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କୁ ଉତ୍ସର୍ଗ କଲେ।

ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।

10 ହେ ଶ୍ୱେତ ଗର୍ଦ୍ଦଭୀ-ଆରୋହୀମାନେ,

ହେ ଗାଲିଚାରେ ବସିବା ଲୋକମାନେ

ଓ ପଥରେ ଗମନକାରୀମାନେ, ତୁମ୍ଭେମାନେ ଗାନ କର।

11 ଧନୁର୍ଦ୍ଧରମାନଙ୍କ ଶବ୍ଦରୁ ଦୂରରେ, ଜଳକଢ଼ା ସ୍ଥଳମାନରେ,

ଲୋକମାନେ ସଦାପ୍ରଭୁଙ୍କ ଧର୍ମକ୍ରିୟା ଓ ଇସ୍ରାଏଲ ମଧ୍ୟରେ

ତାହାଙ୍କ ଶାସନ ସମ୍ବନ୍ଧୀୟ ଧର୍ମକ୍ରିୟା ସଂକୀର୍ତ୍ତନ କରିବେ।

ସେସମୟରେ ସଦାପ୍ରଭୁଙ୍କ ଲୋକମାନେ ନଗରଦ୍ୱାରରୁ ଓହ୍ଲାଇ ଆସିଲେ।

12 ହେ ଦବୋରେ, ଜାଗ, ଜାଗ;

ଜାଗ, ଜାଗ, ଗୀତ ଗାନ କର;

ହେ ବାରକ୍‍, ଉଠ; ହେ ଅବୀନୋୟମର ପୁତ୍ର, ଆପଣା ବନ୍ଦୀଗଣକୁ ବନ୍ଦୀସ୍ଥାନକୁ ନେଇଯାଅ।

13 ତହୁଁ ପ୍ରଧାନମାନଙ୍କ ମଧ୍ୟରୁ ଅବଶିଷ୍ଟ ଥୋକାଏ ଓ ଲୋକମାନେ ଓହ୍ଲାଇ ଆସିଲେ,

ସଦାପ୍ରଭୁ ଆମ୍ଭର ସପକ୍ଷ ହୋଇ ସେହି ବୀରମାନଙ୍କ ବିରୁଦ୍ଧରେ ଓହ୍ଲାଇ ଆସିଲେ।

14 ଅମାଲେକ (ଦେଶ)ରେ ଯେଉଁମାନଙ୍କର ମୂଳ ଥିଲା, ସେମାନେ ଇଫ୍ରୟିମରୁ ଆସିଲେ;

ତୁମ୍ଭ ପଛେ ବିନ୍ୟାମୀନ୍ ତୁମ୍ଭ ଲୋକମାନଙ୍କ ମଧ୍ୟରେ ଥିଲା;

ମାଖୀରଠାରୁ ଶାସନକର୍ତ୍ତାମାନେ ଓ ସବୂଲୂନଠାରୁ

ସୈନ୍ୟଗଣନାକାରୀ ଦଣ୍ଡଧରମାନେ ଓହ୍ଲାଇ ଆସିଲେ।

15 ପୁଣି ଇଷାଖରର ଅଧିପତିମାନେ ଦବୋରା ସଙ୍ଗେ ଥିଲେ;

ଯେପରି ଇଷାଖର, ସେପରି ବାରକ୍‍ ଥିଲା;

ସେମାନେ ତଳଭୂମିରେ ତାହାର ଗୋଡ଼େ ଗୋଡ଼େ ମାଡ଼ିଗଲେ।

ରୁବେନ୍‍ ସ୍ରୋତସମୂହ ନିକଟରେ ଗୁରୁତର ମନୋଭାବନା ହେଲା।

16 ତୁମ୍ଭେ କାହିଁକି ମେଷଶାଳା ମଧ୍ୟରେ ବସିଲ,

କି ମେଷପଲ ନିକଟରେ ବଂଶୀନାଦ ଶୁଣିବାକୁ?

ରୁବେନ୍‍ର ସ୍ରୋତସମୂହ ନିକଟରେ ଗୁରୁତର ମନୋଭାବନା ହେଲା।

17 ଗିଲୀୟଦ ଯର୍ଦ୍ଦନ ସେପାରିରେ ବାସ କଲା,

ଆଉ ଦାନ୍ କାହିଁକି ଜାହାଜରେ ରହିଲା?

ଆଶେର ସମୁଦ୍ର ତୀରରେ ବସି ରହିଲା

ଓ ଆପଣା ବନ୍ଦର ନିକଟରେ ବାସ କଲା।

18 ସବୂଲୂନ ମରଣ ପର୍ଯ୍ୟନ୍ତ ପ୍ରାଣପଣକାରୀ ଲୋକ ହେଲା।

ଆଉ ନପ୍ତାଲି (ଯୁଦ୍ଧ) କ୍ଷେତ୍ରର ଉଚ୍ଚସ୍ଥାନ ଉପରେ (ପ୍ରାଣପଣ କଲା)।

19 ରାଜାମାନେ ଆସି ଯୁଦ୍ଧ କଲେ;

ତହୁଁ କିଣାନର ରାଜାଗଣ ମଗିଦ୍ଦୋର ଜଳତୀରସ୍ଥ ତାନକ୍‍‍ରେ ଯୁଦ୍ଧ କଲେ,

ସେମାନେ କିଛି ରୂପା ଲାଭ କଲେ ନାହିଁ।

20 ତାରାଗଣ ଆକାଶରୁ ଯୁଦ୍ଧ କଲେ,

ସେମାନେ ଆପଣା ଆପଣା ପଥରେ ସୀଷରା ବିରୁଦ୍ଧରେ ଯୁଦ୍ଧ କଲେ।

21 କିଶୋନ୍‍-ନଦୀ, ସେ ପୁରାତନ ନଦୀ, ସେହି କୀଶୋନ୍‍ ନଦୀ

ସୀଷରାକୁ ଓ ତାହାର ରଥ ଓ ଜନତାକୁ ଭସାଇ ନେଲା।

ହେ ମୋହର ପ୍ରାଣ, ତୁମ୍ଭେ ବଳରେ ଅଗ୍ରସର ହୁଅ।

22 ସେତେବେଳେ ଅଶ୍ୱମାନଙ୍କ ଖୁରା ଭୂମି ମନ୍ଥି ପକାଇଲା,

ଯେହେତୁ ସେମାନେ କୁଦା ମାରିଲେ, ସେମାନଙ୍କ ବଳିଷ୍ଠମାନେ କୁଦା ମାରିଲେ।

23 ସଦାପ୍ରଭୁଙ୍କ ଦୂତ କହିଲେ, ‘ତୁମ୍ଭେମାନେ ମେରୋସକୁ ଶାପ ଦିଅ,’

‘ତୁମ୍ଭେମାନେ ତହିଁ ନିବାସୀମାନଙ୍କୁ ଦାରୁଣ ଶାପ ଦିଅ;

କାରଣ ସେମାନେ ସଦାପ୍ରଭୁଙ୍କ ସାହାଯ୍ୟକୁ,

ବୀରମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ ସାହାଯ୍ୟକୁ ଆସିଲେ ନାହିଁ।’

24 ସ୍ତ୍ରୀମାନଙ୍କ ମଧ୍ୟରେ କେନୀୟ ହେବରର ଭାର୍ଯ୍ୟା ଯାୟେଲ ଧନ୍ୟ ହେବ,

ତମ୍ବୁନିବାସୀ ସ୍ତ୍ରୀମାନଙ୍କ ମଧ୍ୟରେ ସେ ଧନ୍ୟ ହେବ।

25 ସୀଷରା ଜଳ ମାଗନ୍ତେ, ସେ ତାହାକୁ ଦୁଗ୍ଧ ଦେଲା;

ସେ ରାଜୋପଯୁକ୍ତ ପାତ୍ରରେ ଦଧି ଆଣି ତାହାକୁ ଦେଲା।

26 ସେ ତମ୍ବୁ ମେଖ ଧରିବାକୁ ଆପଣା ହସ୍ତ

ଓ କାରିଗରର ପିଟଣା ଧରିବାକୁ ଆପଣା ଦକ୍ଷିଣ ହସ୍ତ ବଢ଼ାଇଲା;

ସେ ସୀଷରାକୁ ପିଟିଲା, ସେ ତାହାର ମସ୍ତକ ବିନ୍ଧି ପକାଇଲା,

ହଁ, ସେ ତାହାର କର୍ଣ୍ଣମୂଳ ଫୋଡ଼ି ଭେଦ କଲା।

27 ସେହି ସ୍ତ୍ରୀର ପାଦ ତଳେ ସେ ନଇଁଲା, ସେ ପଡ଼ିଲା, ସେ ଶୋଇଲା;

ସେହି ସ୍ତ୍ରୀର ପାଦ ତଳେ ସେ ନଇଁଲା, ସେ ପଡ଼ିଲା;

ଯେଉଁଠାରେ ସେ ନଇଁଲା, ସେହିଠାରେ ସେ ହତ ହୋଇ ପଡ଼ିଲା।

28 ସୀଷରାର ମାତା ଝରକା ଦେଇ ଚାହିଁ ଚାହିଁ ଡାକି କହିଲା,

ସେ ଜାଲି ପରଦା ଦେଇ ଡାକି କହିଲା,

‘ତାହାର ରଥ ଆସିବାକୁ କାହିଁକି ଏତେ ବିଳମ୍ବ କରୁଛି?

ତାହାର ରଥଚକ୍ର କାହିଁକି ପଛେ ପଡ଼ୁଅଛି?’

29 ତାହାର ଜ୍ଞାନବତୀ ସହଚରୀମାନେ ତାହାକୁ ଉତ୍ତର ଦେଲେ,

ହଁ, ସେ ମଧ୍ୟ ଆପେ ଆପଣାକୁ ଉତ୍ତର ଦେଇ କହିଲା,

30 ‘ସେମାନେ କି ଲୁଟ ପାଇ ନାହାନ୍ତି, ସେମାନେ କି ବିଭାଗ କରି ନାହାନ୍ତି?

ପ୍ରତ୍ୟେକ ପୁରୁଷ ପାଇଁ ଏକ କାମିନୀ, କିମ୍ବା ଦୁଇ କାମିନୀ;

ସୀଷରା ପାଇଁ ନାନା ବର୍ଣ୍ଣର ଲୁଟ, ନାନା ବର୍ଣ୍ଣର ସୂଚିକର୍ମନିର୍ମିତ ଚିତ୍ରିତ ବସ୍ତ୍ରର ଲୁଟ,

ଲୁଟିତମାନଙ୍କ ଗଳାରୁ ଦୁଇ ପାଖରେ ସୂଚିକର୍ମନିର୍ମିତ ନାନା ରଙ୍ଗର ଚିତ୍ରିତ ବସ୍ତ୍ର।’

31 ହେ ସଦାପ୍ରଭୋ, ତୁମ୍ଭର ସମସ୍ତ ଶତ୍ରୁ ଏହିରୂପେ ବିନଷ୍ଟ ହେଉନ୍ତୁ,

ମାତ୍ର ତାହାଙ୍କ ପ୍ରେମକାରୀମାନେ ସ୍ୱପରାକ୍ରମରେ ଗତିକାରୀ ସୂର୍ଯ୍ୟ ତୁଲ୍ୟ ହେଉନ୍ତୁ।"

ଏଥିଉତ୍ତାରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-18_14-04-22-