ଉତ୍ତମ ଶମିରୋଣୀୟ ଦୃଷ୍ଟାନ୍ତ
25 ଆଉ ଦେଖ, ଜଣେ ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଉଠି ତାହାଙ୍କୁ ପରୀକ୍ଷା କରି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଅଣ କରିବି? 26 ସେଥିରେ ଯୀଶୁ ତାହାଙ୍କୁ କହିଲେ, "ମୋଶାଙ୍କ ବ୍ୟବସ୍ଥାରେ କଅଣ ଲେଖାଅଛି? ତୁମ୍ଭେ କିପରି ପାଠ କରୁଅଛ?" 27 ସେ ଉତ୍ତର ଦେଲେ, ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରେମ କର; ପୁଣି, ଆପଣା ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। 28 ସେଥିରେ ଯୀଶୁ ତାହାଙ୍କୁ କହିଲେ, "ତୁମ୍ଭେ ଠିକ୍ ଉତ୍ତର ଦେଲ; ଏହା କର, ତାହାହେଲେ ତୁମ୍ଭେ ଜୀବନ ପାଇବ।"
29 କିନ୍ତୁ ସେ ଆପଣାକୁ ଧାର୍ମିକ ବୋଲି ଦେଖାଇବାକୁ ଇଚ୍ଛା କରି ଯୀଶୁଙ୍କୁ ପଚାରିଲେ, ତେବେ ମୋହର ପ୍ରତିବାସୀ କିଏ? 30 ଯୀଶୁ ସେହି ପ୍ରସଙ୍ଗ ଧରି କହିଲେ, "ଜଣେ ଲୋକ ଯିରୂଶାଲମ ସହରରୁ ଯିରୀହୋକୁ ଯାଉ ଯାଉ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତାହାର ଲୁଗାପଟା ଛଡ଼ାଇନେଇ ଓ ମାଡ଼ ମାରି ତାହାକୁ ଦରମରା ଅବସ୍ଥାରେ ଛାଡ଼ି ଚାଲିଗଲେ।
31 ଘଟଣା ପରେ-ପରେ ଜଣେ ଯାଜକ ସେହି ବାଟ ଦେଇ ଯାଉଥିଲେ, ଆଉ ସେ ତାହାକୁ ଦେଖି ବାଟର ଆରପାଖ ଦେଇ ଗଲେ। 32 ସେହି ପ୍ରକାରେ ଜଣେ ଲେବୀୟ ମଧ୍ୟ ସେ ସ୍ଥାନକୁ ଆସି ତାହାକୁ ଦେଖି ବାଟର ଆରପାଖ ଦେଇ ଚାଲିଗଲେ।
33 କିନ୍ତୁ ଜଣେ ଶମିରୋଣୀୟ ପଥିକ ତାହା ନିକଟକୁ ଆସି ତାହାକୁ ଦେଖି ଦୟାରେ ବିଗଳିତ ହେଲେ, 34 ଏବଂ ପାଖକୁ ଯାଇ ତାହାର କ୍ଷତ ସବୁରେ ତୈଳ ଓ ଦ୍ରାକ୍ଷାରସ ଢ଼ାଳି ସେହିସବୁ ବାନ୍ଧିଦେଲେ, ଆଉ ତାହାକୁ ନିଜ ଗଧ ଉପରେ ବସାଇ ତାହାକୁ ଗୋଟିଏ ପାନ୍ଥଶାଳାକୁ ନେଇଯାଇ ତାହାର ସେବା କଲେ। 35 ତହିଁ ଆରଦିନ ସେ ଦୁଇଟି ରୌପ୍ୟ-ମୁଦ୍ରା ବାହାର କରି ପାନ୍ଥଶାଳାର ମାଲିକଙ୍କୁ ଦେଇ କହିଲେ, ‘ଏହାର ସେବା କର, ଆଉ ଯାହା କିଛି ଅଧିକ ଖର୍ଚ୍ଚ କରିବ, ତାହା ମୁଁ ଫେରିଆସିବା ସମୟରେ ତୁମ୍ଭକୁ ପରିଶୋଧ କରିବି।’"
36 "ଏହି ତିନି ଜଣଙ୍କ ମଧ୍ୟରୁ କିଏ ଡକାଇତମାନଙ୍କ ହାବୁଡ଼ରେ ପଡ଼ିଥିବା ଲୋକଟିର ପ୍ରତିବାସୀ ବୋଲି ମନେ କରୁଅଛ?" 37 ସେ କହିଲେ, ଯେ ତାହା ପ୍ରତି ଦୟା କଲା, ସେ। ଯୀଶୁ ତାହାଙ୍କୁ କହିଲେ, "ଯାଅ, ତୁମ୍ଭେ ମଧ୍ୟ ସେହି ପ୍ରକାର କର।"