Publicidade

2 Tessalonicenses 3

ପ୍ରାର୍ଥନା ଅନୁରୋଧ

1 ଶେଷରେ, ହେ ଭାଇମାନେ, ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କର, ଯେପରି ପ୍ରଭୁଙ୍କ ବାକ୍ୟ ତୁମ୍ଭମାନଙ୍କ ମଧ୍ୟରେ ଯେଉଁରୂପେ ବ୍ୟାପିଅଛି, ସେହିରୂପେ ସର୍ବତ୍ର ଶୀଘ୍ର ବ୍ୟାପିଯାଇ ଗୌରବପ୍ରାପ୍ତ ହେବ, 2 ପୁଣି, ଯେପରି ଆମ୍ଭେମାନେ ଅବିବେଚକ ଓ ଦୁଷ୍ଟ ଲୋକମାନଙ୍କଠାରୁ ଉଦ୍ଧାର ପାଇବୁ; କାରଣ ସମସ୍ତଙ୍କର ବିଶ୍ୱାସ ନାହିଁ। 3 କିନ୍ତୁ ପ୍ରଭୁ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି ମନ୍ଦରୁ ରକ୍ଷା କରିବେ। 4 ଆମ୍ଭେମାନେ ଯେଉଁ ସବୁ ଆଦେଶ ଦେଉଅଛୁ, ସେହିସବୁ ଯେ ତୁମ୍ଭେମାନେ କରୁଅଛ ଓ କରିବ, ଏହା ତୁମ୍ଭମାନଙ୍କ ବିଷୟରେ ପ୍ରଭୁଙ୍କଠାରେ ଆମ୍ଭମାନଙ୍କର ଦୃଢ଼ ବିଶ୍ୱାସ। 5 ଆଉ ପ୍ରଭୁ ତୁମ୍ଭମାନଙ୍କ ହୃଦୟକୁ ଈଶ୍ବରଙ୍କ ପ୍ରେମ ଓ ଖ୍ରୀଷ୍ଟଙ୍କ ସହିଷ୍ଣୁତା ରୂପ ପଥରେ କଢାନ୍ତୁ।

ଆଳସ୍ୟତା ବିରୁଦ୍ଧରେ ଚେତାବନୀ

6 ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଉଅଛୁ, ଯେକୌଣସି ଭାଇ ଆମ୍ଭମାନଙ୍କଠାରୁ ପାଇଥିବା ଶିକ୍ଷା ଅନୁସାରେ ଆଚରଣ ନ କରି ଆଳସ୍ୟରେ ଜୀବନ କାଟେ, ତାହାଠାରୁ ଆପଣା ଆପଣାକୁ ଅଲଗା କର। 7 କାରଣ କିପରି ଆମ୍ଭମାନଙ୍କୁ ଅନୁସରଣ କରିବା ତୁମ୍ଭମାନଙ୍କର ଉଚିତ, ତାହା ତୁମ୍ଭେମାନେ ନିଜେ ଜାଣୁଅଛ; ଯେଣୁ ଆମ୍ଭେମାନେ ତୁମ୍ଭମାନଙ୍କ ମଧ୍ୟରେ ଆଳସ୍ୟର ଜୀବନ କାଟି ନ ଥିଲୁ, 8 କିଅବା ବିନାମୂଲ୍ୟରେ କାହାରି ଖାଦ୍ୟ ଖାଇ ନ ଥିଲୁ, ବରଂ ତୁମ୍ଭମାନଙ୍କ ମଧ୍ୟରୁ କାହାର ଭାର ସ୍ୱରୂପ ନ ହେବା ପାଇଁ ପରିଶ୍ରମ ଓ କଷ୍ଟ ସହିତ ଦିନରାତି କାମ କରିଥିଲୁ; 9 ତୁମ୍ଭମାନଙ୍କଠାରୁ କିଛି ଗ୍ରହଣ କରିବାକୁ ଯେ ଆମ୍ଭମାନଙ୍କର ଅଧିକାର ନାହିଁ, ତାହା ନୁହେଁ, କିନ୍ତୁ ଯେପରି ତୁମ୍ଭେମାନେ ଆମ୍ଭମାନଙ୍କୁ ଅନୁସରଣ କର; ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟରେ ଆପଣା ଆପଣାକୁ ଆଦର୍ଶରୂପେ ଦେଖାଇବା ପାଇଁ ସେପରି କଲୁ। 10 କାରଣ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ଆମ୍ଭେମାନେ ତୁମ୍ଭମାନଙ୍କୁ ଏହି ଆଜ୍ଞା ଦେଲୁ, ଯେ କେହି କାର୍ଯ୍ୟ କରିବାକୁ ଇଚ୍ଛା କରେ ନାହିଁ, ସେ ଭୋଜନ ମଧ୍ୟ ନ କରୁ। 11 ଯେଣୁ ତୁମ୍ଭମାନଙ୍କ ମଧ୍ୟରେ କେହି କେହି ଆଳସ୍ୟର ଜୀବନ କାଟୁଅଛନ୍ତି ଓ କୌଣସି କାର୍ଯ୍ୟ ନ କରି ଅନଧିକାରଚର୍ଚ୍ଚାରେ ବ୍ୟସ୍ତ ଅଟନ୍ତି ବୋଲି ଆମ୍ଭେମାନେ ଶୁଣୁଅଛୁ। 12 ଏହି ପ୍ରକାର ଲୋକମାନଙ୍କୁ ଶାନ୍ତ ଭାବରେ କାର୍ଯ୍ୟ କରି ନିଜ ନିଜର ଖାଦ୍ୟ ଖାଇବାକୁ ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆଜ୍ଞା ଓ ଚେତନା ଦେଉଅଛୁ। 13 କିନ୍ତୁ ହେ ଭାଇମାନେ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଳାନ୍ତ ହୁଅ ନାହିଁ। 14 ଆଉ ଯଦି କେହି ଏହି ପତ୍ରରେ ଲେଖାଯାଇଥିବା ଆମ୍ଭମାନଙ୍କ କଥା ନ ମାନେ, ତେବେ ସେହି ଲୋକକୁ ଚିହ୍ନି ରଖ, ପୁଣି, ସେ ଯେପରି ଲଜ୍ଜିତ ହୁଏ, ଏଥିନିମନ୍ତେ ତାହା ସହିତ ସମ୍ପର୍କ ରଖ ନାହିଁ; 15 ତଥାପି ତାହାକୁ ଶତ୍ରୁ ବୋଲି ଭାବ ନାହିଁ, ମାତ୍ର ତାହାକୁ ଭାଇ ବୋଲି ଭାବି ସତର୍କ କରାଅ।

ଶେଷ ଆଶିଷ

16 ଶାନ୍ତିଦାତା ପ୍ରଭୁ ନିଜେ ତୁମ୍ଭମାନଙ୍କୁ ସର୍ବଦା ଓ ସବୁପ୍ରକାର ଶାନ୍ତି ଦେଉନ୍ତୁ। ପ୍ରଭୁ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉନ୍ତୁ। 17 ମୁଁ ପାଉଲ ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଅଛି; ପ୍ରତ୍ୟେକ ପତ୍ରରେ ଏହା ଚିହ୍ନସ୍ୱରୂପ, ମୁଁ ଏହିପରି ଲେଖେ। 18 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।

Veja também

Publicidade
2 Tessalonicenses
Ver todos os capítulos de 2 Tessalonicenses
Bíblia Online Bíblia Online

Bíblia Online • Versão: 2026-06-16_06-50-08-