Publicidade

1 Timóteo 1

ଅଭିବାଦନ

1 ପାଉଲ, ଆମ୍ଭମାନଙ୍କ ଈଶ୍ବରଙ୍କ ଆଜ୍ଞାନୁସାରେ ଓ ତ୍ରାଣକର୍ତ୍ତା ଏବଂ ଭରସାଭୂମି ଖ୍ରୀଷ୍ଟ ଯୀଶୁଙ୍କ ଅନୁସାରେ ଜଣେ ପ୍ରେରିତ, 2 ବିଶ୍ୱାସରେ ଆପଣା ପୁତ୍ର ତୀମଥିଙ୍କୁ ପତ୍ର; ପିତା ଈଶ୍ବର ଓ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ତୁମ୍ଭ ପ୍ରତି ହେଉ।

ଭ୍ରାନ୍ତ ଶିକ୍ଷକଙ୍କ ପ୍ରତି ସତର୍କତା

3 ମୁଁ ମାକିଦନିଆକୁ ଯିବା ସମୟରେ ତୁମ୍ଭକୁ ଯେପ୍ରକାର ଅନୁରୋଧ କରିଥିଲି, ସେହିପରି ତୁମ୍ଭେ ଏଫିସରେ ରହି କେତେକ ଲୋକ ଯେପରି ଭିନ୍ନ ଶିକ୍ଷା ନ ଦିଅନ୍ତି 4 କି କଳ୍ପିତ ଗଳ୍ପ ଓ ଅଶେଷ ବଂଶାବଳୀରେ ମନୋଯୋଗ ନ କରନ୍ତି, ଏଥିନିମନ୍ତେ ସେମାନଙ୍କୁ ଆଜ୍ଞା ଦିଅ; ସେହିସବୁ ତ ବିଶ୍ୱାସ ସମ୍ବନ୍ଧୀୟ ଈଶ୍ବରଙ୍କ କାର୍ଯ୍ୟର ଉପକାରୀ ନ ହୋଇ ବରଂ ଯୁକ୍ତିତର୍କ ସୃଷ୍ଟି କରେ। 5 କିନ୍ତୁ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ୱାସରୁ ଜାତ ଯେଉଁ ପ୍ରେମ, 6 ତାହା ଧର୍ମ ଶିକ୍ଷାର ଉଦ୍ଦେଶ୍ୟ ଅଟେ; କେହି କେହି ଏସମସ୍ତ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅସାର କଥାରେ ଆସକ୍ତ ହୋଇ ପଥଭ୍ରଷ୍ଟ ହୋଇଅଛନ୍ତି; 7 ସେମାନେ ମୋଶାଙ୍କ ବ୍ୟବସ୍ଥାର ଶିକ୍ଷକ ହେବାକୁ ଇଚ୍ଛା କରନ୍ତି, ମାତ୍ର ଯାହା କହନ୍ତି, କି କେଉଁ ବିଷୟରେ ଦୃଢ଼ ଶିକ୍ଷା ଦିଅନ୍ତି, ତାହା ନିଜେ ବୁଝନ୍ତି ନାହିଁ। 8 କିନ୍ତୁ ମୋଶାଙ୍କ ବ୍ୟବସ୍ଥା ଧାର୍ମିକ ଲୋକ ନିମନ୍ତେ ନିରୂପିତ ନ ହୋଇ ସ୍ୱେଚ୍ଛାଚାରୀ ଓ ଅବାଧ୍ୟ, ଅଧାର୍ମିକ ଓ ପାପୀ, ଅଶୁଚି ଓ ଧର୍ମଦ୍ୱେଷୀ, ପିତୃହନ୍ତା ଓ ମାତୃହନ୍ତା, 9 ନରହନ୍ତା, ବ୍ୟଭିଚାରୀ, ପୁଂମୈଥୁନକାରୀ, ମନୁଷ୍ୟ-ଚୋର, ମିଥ୍ୟାବାଦୀ ଓ ମିଥ୍ୟା ଶପଥକାରୀମାନଙ୍କ ନିମନ୍ତେ ପୁଣି, ଉତ୍ତମ ଶିକ୍ଷାର ବିପରୀତରେ ଯେକୌଣସି ବିଷୟ ଥାଏ, ତାହା ନିମନ୍ତେ ଯେ ନିରୂପିତ ହୋଇଅଛି, 10 ଏହା ଜାଣି ଯଦି କେହି ମୋଶାଙ୍କ ବ୍ୟବସ୍ଥାର ଉଚିତ୍ ବ୍ୟବହାର କରେ, ତେବେ ତାହା ଯେ ଉତ୍ତମ, ଏହା ଅାମ୍ଭେମାନେ ଜାଣୁ; 11 ଏହା ତ ମୋ ନିକଟରେ ସମର୍ପିତ ପରମଧନ୍ୟ ଈଶ୍ବରଙ୍କ ଗୌରବମୟ ସୁସମାଚାରର ଶିକ୍ଷା ଅନୁଯାୟୀ ଅଟେ।

ପାପୀଙ୍କ ପରିତ୍ରାଣ ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ

12 ଆମ୍ଭମାନଙ୍କର ଯେଉଁ ପ୍ରଭୁ ଖ୍ରୀଷ୍ଟ ଯୀଶୁ ମୋତେ ଯୋଗ୍ୟ କରିଅଛନ୍ତି, ତାହାଙ୍କୁ ମୁଁ ଧନ୍ୟବାଦ ଦେଉଅଛି ଯେ, ସେ ମୋତେ ବିଶ୍ୱସ୍ତ ମନେ କରି ସେବକ ପଦରେ ନିଯୁକ୍ତ କରିଅଛନ୍ତି, 13 ଯଦ୍ୟପି ମୁଁ ପୂର୍ବେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲି; କିନ୍ତୁ ମୁଁ ଅବିଶ୍ୱାସ ହେତୁ ଅଜ୍ଞାନ ପଣରେ ତାହା କରିଥିଲି ବୋଲି ଦୟା ପାଇଲି; 14 ଆଉ, ଆମ୍ଭମାନଙ୍କ ପ୍ରଭୁଙ୍କ ଅନୁଗ୍ରହ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ବିଶ୍ୱାସ ଓ ପ୍ରେମ ସହକାରେ ମୋ ପ୍ରତି ଅତି ପ୍ରଚୁର ହେଲା। 15 ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତକୁ ଆସିଲେ; ଏହି ବାକ୍ୟ ବିଶ୍ୱାସଯୋଗ୍ୟ ଓ ସର୍ବତୋଭାବେ ଗ୍ରହଣ ଯୋଗ୍ୟ; ସେହି ପାପୀମାନଙ୍କ ମଧ୍ୟରେ ମୁଁ ପ୍ରଧାନ। 16 ତଥାପି ଯେଉଁମାନେ ଭବିଷ୍ୟତ କାଳରେ ଅନନ୍ତ ଜୀବନ ପାଇବା ନିମନ୍ତେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବେ, ସେମାନଙ୍କ ନିକଟରେ ଏକ ଉଦାହରଣ ହେବା ପାଇଁ ପ୍ରଧାନ ପାପୀ ଯେ ମୁଁ, ମୋʼଠାରେ ସେ ଯେପରି ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପ୍ରକାଶ କରନ୍ତି, ଏଥିନିମନ୍ତେ ମୁଁ ଦୟା ପ୍ରାପ୍ତ ହେଲି। 17 ଅକ୍ଷୟ, ଅଦୃଶ୍ୟ, ଅଦ୍ୱିତୀୟ ଈଶ୍ବର ଯେ ଅନନ୍ତକାଳୀନ ରାଜା, ତାହାଙ୍କ ସମ୍ଭ୍ରମ ଓ ଗୌରବ ଯୁଗେ ଯୁଗେ ହେଉ। ଆମେନ୍‍। 18 ହେ ବତ୍ସ ତୀମଥି, ତୁମ୍ଭ ବିଷୟରେ ପୂର୍ବରେ ଏହି ସମସ୍ତ ଭାବବାଣୀ ଅନୁସାରେ ମୁଁ ତୁମ୍ଭକୁ ଏହି ଆଜ୍ଞା ଦେଉଅଛି, ଯେପରି ତୁମ୍ଭେ ସେହି ସମସ୍ତ ଭାବବାଣୀ ସାହାଯ୍ୟରେ ଉତ୍ତମ ଯୁଦ୍ଧ କରିପାର; 19 ବିଶ୍ୱାସ ଓ ଶୁଚି ବିବେକ ଧରି ରଖ; ତାହା ପରିତ୍ୟାଗ କରିବାରୁ କେତେକଙ୍କର ବିଶ୍ୱାସରୂପ ଜାହାଜ ଭାଙ୍ଗି ଯାଇଅଛି, 20 ସେମାନଙ୍କ ମଧ୍ୟରୁ ହୁମନାୟ ଓ ଆଲେକ୍‌ଜାଣ୍ଡର ଅନ୍ୟତମ; ଏମାନେ ଯେପରି ଶାସନ ପାଇ ଈଶ୍ବର ନିନ୍ଦା ନ କରନ୍ତି, ଏଥିପାଇଁ ମୁଁ ଏମାନଙ୍କୁ ଶୟତାନ ହାତରେ ସମର୍ପଣ କଲି।

Veja também

Publicidade
1 Timóteo
Ver todos os capítulos de 1 Timóteo
Bíblia Online Bíblia Online

Bíblia Online • Versão: 2026-06-15_21-32-39-