Publicidade

1 Timóteo 2

ମଣ୍ଡଳୀର ଉପାସନା ବିଧି

1 ଆମ୍ଭେମାନେ ଯେପରି ସର୍ବତୋଭାବେ ଈଶ୍ବରପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ବାଧାହୀନ ଜୀବନଯାପନ କରିପାରୁ, 2 ଏଥିନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ, ପ୍ରାର୍ଥନା, ବିନତି ଓ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବ ପ୍ରଥମେ ଅନୁରୋଧ କରୁଅଛି। 3 ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଦୃଷ୍ଟିରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ; 4 ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପାଇ ପାରନ୍ତି, ଏହା ସେ ଇଚ୍ଛା କରନ୍ତି। 5 କାରଣ ଏକମାତ୍ର ଈଶ୍ବର ଅଛନ୍ତି, ଆଉ ଈଶ୍ବର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ, ଜଣେ ମନୁଷ୍ୟ; 6 ସେ ସମସ୍ତଙ୍କ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣାକୁ ଦାନ କରି ଠିକ୍ ସମୟରେ ସେଥିର ସାକ୍ଷ୍ୟ ଦେଇଅଛନ୍ତି। 7 ସେଥିପାଇଁ ମୁଁ ଜଣେ ପ୍ରଚାରକ, ପ୍ରେରିତ ପୁଣି, ବିଶ୍ୱାସ ଓ ସତ୍ୟ ବିଷୟରେ ଅଣଯିହୁଦୀମାନଙ୍କର ଜଣେ ଶିକ୍ଷକ ଭାବେ ନିଯୁକ୍ତ ହେଲି, ମୁଁ ସତ କହୁଅଛି, ମିଛ କହୁ ନାହିଁ। 8 ଏଣୁ ମୋହର ଇଚ୍ଛା, ପୁରୁଷମାନେ ଶୁଚି ହସ୍ତ ଉତ୍ତୋଳନ କରି କ୍ରୋଧ ଓ ବିତର୍କ ବିନା ସର୍ବତ୍ର ପ୍ରାର୍ଥନା କରନ୍ତୁ। 9 ସେହିପରି ମଧ୍ୟ ସ୍ତ୍ରୀମାନେ କେଶବିନ୍ୟାସ ଏବଂ ସୁନା କି ମୁକ୍ତା କି ମୂଲ୍ୟବାନ ବସ୍ତ୍ରରେ ଆପଣା ଆପଣାକୁ ଭୂଷିତା ନ କରି ଲଜ୍ଜା ଓ ଉତ୍ତମ ବୁଦ୍ଧିର ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି 10 ଧର୍ମପରାୟଣା ସ୍ତ୍ରୀମାନଙ୍କ ଉପଯୋଗୀ ଉତ୍ତମ କର୍ମରୂପ ଭୂଷଣରେ ଆପଣା ଆପଣାକୁ ଭୂଷିତା କରନ୍ତୁ। 11 ସ୍ତ୍ରୀ ପୂର୍ଣ୍ଣ ବଶ୍ୟତା ସ୍ୱୀକାର କରି ନୀରବରେ ଶିକ୍ଷା ଗ୍ରହଣ କରୁ। 12 ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ଅନୁମତି ଦେଉ ନାହିଁ, ମାତ୍ର ସେ ନୀରବରେ ରହୁ। 13 କାରଣ ପ୍ରଥମେ ଆଦମ ସୃଷ୍ଟ ହେଲେ, ତାହା ପରେ ହବା; 14 ଆଉ ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ, ମାତ୍ର ନାରୀ ପ୍ରବଞ୍ଚିତା ହୋଇ ଆଜ୍ଞାଲଙ୍ଘନ ଦୋଷରେ ଦୋଷୀ ହେଲେ; 15 କିନ୍ତୁ ସେମାନେ ଉତ୍ତମ ବୁଦ୍ଧିର ସହ ବିଶ୍ୱାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିଲେ ସେ ସନ୍ତାନ ପ୍ରସବ କରିବା ଦ୍ୱାରା ପରିତ୍ରାଣ ପାଇବେ।

Veja também

Publicidade
1 Timóteo
Ver todos os capítulos de 1 Timóteo
Bíblia Online Bíblia Online

Bíblia Online • Versão: 2026-06-16_06-50-08-