ବିଧବାର ମୃତ ପୁତ୍ରକୁ ଜୀବନ ଦାନ
11 ଏଥିଉତ୍ତାରେ ସେ ନାଇନ ନାମକ ନଗରକୁ ଯାତ୍ରା କଲେ, ଆଉ ତାହାଙ୍କ ଶିଷ୍ୟମାନେ ଓ ବହୁସଂଖ୍ୟକ ଲୋକ ତାହାଙ୍କ ସାଙ୍ଗରେ ଯାଉଥିଲେ। 12 ସେ ନଗର-ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଲୋକେ ଜଣେ ମୃତ ମନୁଷ୍ୟକୁ ବାହାରକୁ ବୋହି ଆଣୁଥିଲେ, ସେ ଆପଣା ମାତାର ଏକମାତ୍ର ପୁତ୍ର, ପୁଣି, ସେହି ସ୍ତ୍ରୀ ବିଧବା; ଆଉ ନଗରର ବହୁସଂଖ୍ୟକ ଲୋକ ତାହାଙ୍କ ସଙ୍ଗରେ ଥିଲେ। 13 ତାହାକୁ ଦେଖି ପ୍ରଭୁ ତାହା ପ୍ରତି ଦୟାରେ ବିଗଳିତ ହୋଇ ତାହାକୁ କହିଲେ, "ରୋଦନ କର ନାହିଁ।" 14 ଆଉ ସେ ନିକଟକୁ ଯାଇ କୋକେଇ ଛୁଇଁଲେ, ପୁଣି, ବୋହି ନେଉଥିବା ଲୋକମାନେ ଠିଆ ହୁଅନ୍ତେ ସେ କହିଲେ, "ଯୁବକ, ମୁଁ ତୁମ୍ଭକୁ କହୁଅଛି, ଉଠ।" 15 ସେଥିରେ ମୃତ ଯୁବକଟି ଉଠି ବସିଲା ଆଉ କଥା କହିବାକୁ ଲାଗିଲା, ପୁଣି, ସେ ତାହାକୁ ତାହାର ମାତାର ହସ୍ତରେ ସମର୍ପଣ କଲେ।
16 ଏଥିରେ ସମସ୍ତଙ୍କ ମଧ୍ୟରେ ଭୟ ଖେଳିଗଲା ଆଉ ସେମାନେ ଈଶ୍ବରଙ୍କ ପ୍ରଶଂସା କରୁ କରୁ କହିବାକୁ ଲାଗିଲେ, ଆମ୍ଭମାନଙ୍କ ମଧ୍ୟରେ ଜଣେ ମହାନ ଭାବବାଦୀ ଉତ୍ଥିତ ହୋଇଅଛନ୍ତି ଏବଂ ଈଶ୍ବର ଆପଣା ଲୋକଙ୍କ ପ୍ରତି କୃପାଦୃଷ୍ଟି କରିଅଛନ୍ତି। 17 ପୁଣି, ଯୀଶୁଙ୍କ ବିଷୟରେ ଏହି ସମ୍ବାଦ ସମସ୍ତ ଯିହୂଦିୟା ପ୍ରଦେଶ ଓ ଚାରିପାଖର ସମସ୍ତ ଅଞ୍ଚଳରେ ବ୍ୟାପିଗଲା।