Publicidade

Isaías 27

ଇସ୍ରାଏଲର ଉଦ୍ଧାର

1 ସେହି ଦିନ ସଦାପ୍ରଭୁ ଆପଣାର ନିର୍ଦ୍ଦୟ, ବୃହତ ଓ ଶକ୍ତିଶାଳୀ ଖଡ୍ଗ ଦ୍ୱାରା

ଦ୍ରୁତଗାମୀ ସର୍ପ ଲିବିୟାଥନକୁ ଓ ବକ୍ରଗାମୀ ସର୍ପ ଲିବୀୟାଥନକୁ ପ୍ରତିଫଳ ଦେବେ;

ଆଉ, ସେ ସମୁଦ୍ରସ୍ଥ ଦୀର୍ଘକାୟ ଜନ୍ତୁକୁ ନଷ୍ଟ କରିବେ।

2 ସେହି ଦିନରେ ଏକ ଦ୍ରାକ୍ଷାକ୍ଷେତ୍ର ଅଛି, ତୁମ୍ଭେମାନେ ତହିଁର ଉଦ୍ଦେଶ୍ୟରେ ଗାନ କର।

3 ଆମ୍ଭେ ସଦାପ୍ରଭୁ ତାହା ରକ୍ଷା କରୁ; ଆମ୍ଭେ ନିମିଷକୁ ନିମିଷ ତହିଁରେ ଜଳ ସେଚନ କରିବା;

କେହି ଯେପରି ତାହାର କ୍ଷତି ନ କରେ, ଏଥିପାଇଁ ଆମ୍ଭେ ଦିବାରାତ୍ର ତାହା ରକ୍ଷା କରିବା।

4 ଆମ୍ଭଠାରେ କ୍ରୋଧ ନାହିଁ; ଆଃ, ଯଦି କାନକୋଳି ଓ କଣ୍ଟକ ବୃକ୍ଷସବୁ ଯୁଦ୍ଧରେ ଆମ୍ଭର ବିପକ୍ଷ ହୁଅନ୍ତେ!

ତେବେ ଆମ୍ଭେ ଆକ୍ରମଣ କରି ସେହି ସବୁକୁ ଏକାବେଳେ ଦଗ୍ଧ କରନ୍ତୁ।

5 ନଚେତ୍ ଆମ୍ଭ ସଙ୍ଗେ ମିଳନ କରିବା ପାଇଁ ସେ ଆମ୍ଭ ପରାକ୍ରମର ଅବଲମ୍ବନ କରୁ; ହଁ, ସେ ଆମ୍ଭ ସଙ୍ଗେ ମିଳନ କରୁ।

6 ଭବିଷ୍ୟତ କାଳରେ ଯାକୁବ ଚେର ବାନ୍ଧିବ; ଇସ୍ରାଏଲ ମୁକ୍ତ ଓ ପ୍ରଫୁଲ୍ଲ ହେବ

ଓ ସେମାନେ ଭୂମଣ୍ଡଳକୁ ଫଳରେ ପରିପୂର୍ଣ୍ଣ କରିବେ।

7 ତାହାର ପ୍ରହାରକାରୀମାନଙ୍କୁ ସେ ଯେପରି ପ୍ରହାର କଲେ, ସେହିପରି ସେ କି ତାହାକୁ ପ୍ରହାର କରିଅଛନ୍ତି? ଅବା, ତାହା ଦ୍ୱାରା ହତ ଲୋକମାନଙ୍କ ତୁଲ୍ୟ ସେ କି ହତ ହୋଇଅଛି?

8 ତୁମ୍ଭେ ତାହାକୁ ବାହାର କରିବା ବେଳେ ପରିତ୍ରାଣକ୍ରମେ ତାହା ସଙ୍ଗେ ବିବାଦ କରୁଅଛ; ସେ ପୂର୍ବୀୟ ବାୟୁ ଦିନରେ ନିଜ ପ୍ରବଳ ବାୟୁ ଦ୍ୱାରା ତାହାକୁ ସ୍ଥାନାନ୍ତରିତ କରିଅଛନ୍ତି।

9 ଏହେତୁ ଏହା ଦ୍ୱାରା ଯାକୁବର ଅପରାଧ ମାର୍ଜିତ ହେବ ଓ ତାହାର ପାପ ଦୂରୀକୃତ ହେବାର ସମସ୍ତ ଫଳ ଏହି;

ସେ ଯଜ୍ଞବେଦିର ପ୍ରସ୍ତର ସବୁକୁ ଚୂନର ଭଗ୍ନ ପ୍ରସ୍ତର ତୁଲ୍ୟ କଲେ,

ଆଶେରା ମୂର୍ତ୍ତି ଓ ସୂର୍ଯ୍ୟ-ପ୍ରତିମାସବୁ ଆଉ ଉଠିବେ ନାହିଁ।

10 କାରଣ ସୁଦୃଢ଼ ନଗର ପ୍ରାନ୍ତରର ତୁଲ୍ୟ ନିର୍ଜନ, ଲୋକ ବିବର୍ଜିତ ଓ ପରିତ୍ୟକ୍ତ ବସତି ସ୍ଥାନ ହୋଇଅଛି;

ସେହି ସ୍ଥାନରେ ଗୋବତ୍ସ ଚରିବ ଓ ଶୟନ କରିବ, ପୁଣି, ବୃକ୍ଷର ଶାଖାସବୁ ଗ୍ରାସ କରିବ।

11 ତହିଁର ଡାଳସବୁ ଶୁଷ୍କ ହେଲେ ଭଙ୍ଗାଯିବ; ସ୍ତ୍ରୀମାନେ ଆସି ତହିଁରେ ଅଗ୍ନି ଲଗାଇବେ;

କାରଣ ସେହି ଲୋକମାନେ ବୁଦ୍ଧିହୀନ;

ଏହେତୁ ଯେ ସେମାନଙ୍କୁ ନିର୍ମାଣ କଲେ, ସେ ସେମାନଙ୍କ ପ୍ରତି ଦୟା କରିବେ ନାହିଁ ଓ ଯେ ସେମାନଙ୍କୁ ଗଢ଼ିଲେ, ସେ ସେମାନଙ୍କ ପ୍ରତି ଅନୁଗ୍ରହ ପ୍ରକାଶ କରିବେ ନାହିଁ।

12 ସେହି ଦିନ ସଦାପ୍ରଭୁ ପ୍ଲାବିତ ନଦୀ ସୀମା ମିସରର ସ୍ରୋତ ପର୍ଯ୍ୟନ୍ତ ଆପଣା ଫଳ ଝାଡ଼ିବେ,

ପୁଣି, ହେ ଇସ୍ରାଏଲ-ସନ୍ତାନଗଣ, ତୁମ୍ଭେମାନେ ଏକ ଏକ ହୋଇ ସଂଗୃହୀତ ହେବ।

13 ଆଉ, ସେହି ଦିନରେ ଏକ ବୃହତ ତୂରୀ ବାଜିବ;

ପୁଣି, ଅଶୂର ଦେଶରେ ନଷ୍ଟକଳ୍ପ ଓ ମିସର ଦେଶରେ ତାଡ଼ିତ ଲୋକମାନେ ଆସିବେ;

ପୁଣି, ସେମାନେ ଯିରୂଶାଲମର ପବିତ୍ର ପର୍ବତରେ ସଦାପ୍ରଭୁଙ୍କୁ ପ୍ରଣାମ କରିବେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-