Publicidade

Isaías 25

ପ୍ରଶଂସାର ଗୀତ

1 ହେ ସଦାପ୍ରଭୋ, ତୁମ୍ଭେ ମୋହର ପରମେଶ୍ୱର; ମୁଁ ତୁମ୍ଭର ଗୌରବ କରିବି, ମୁଁ ତୁମ୍ଭ ନାମର ପ୍ରଶଂସା କରିବି;

କାରଣ ତୁମ୍ଭେ ଆଶ୍ଚର୍ଯ୍ୟକ୍ରିୟା, ଅର୍ଥାତ୍‍, ପୁରାତନ କାଳର ମନ୍ତ୍ରଣାସବୁ ବିଶ୍ୱସ୍ତତାରେ ଓ ସତ୍ୟରେ ସାଧନ କରିଅଛ।

2 ଯେହେତୁ ତୁମ୍ଭେ ନଗରକୁ ଢିପି, ପ୍ରାଚୀର-ବେଷ୍ଟିତ ନଗରକୁ କାନ୍ଥଡ଼ା କରିଅଛ;

ବିଦେଶୀମାନଙ୍କ ରାଜପୁରୀକୁ ବିନଷ୍ଟ କରିଅଛ; ତାହା ଆଉ କେବେ ନିର୍ମିତ ହେବ ନାହିଁ।

3 ଏଥିପାଇଁ ବଳବାନ ଲୋକମାନେ ତୁମ୍ଭର ଗୌରବ କରିବେ ଓ ଭୟଙ୍କର ଗୋଷ୍ଠୀୟମାନଙ୍କ ନଗର ତୁମ୍ଭଙ୍କୁ ଭୟ କରିବ।

4 କାରଣ ତୁମ୍ଭେ ଦରିଦ୍ରର ଦୃଢ଼ ଦୁର୍ଗ, ଦୀନହୀନର ସଙ୍କଟ ସମୟରେ ତାହାର ଦୃଢ଼ ଦୁର୍ଗ,

ଭୟଙ୍କର ଲୋକମାନଙ୍କ ଶ୍ୱାସବାୟୁ ପ୍ରବଳ ବତାସ ତୁଲ୍ୟ ପ୍ରାଚୀରରେ ଲାଗିବା ବେଳେ ପ୍ରବଳ ବତାସ ନିବାରକ ଆଶ୍ରୟ,

ତାପ ନିବାରକ ଛାୟା ହୋଇଅଛ।

5 ଯେପରି ତୁମ୍ଭେ ଶୁଷ୍କ ଦେଶରେ ତାପକୁ,

ସେହିପରି ବିଦେଶୀମାନଙ୍କର କୋଳାହଳକୁ ନିବାରଣ କରିବ;

ଯେପରି ମେଘର ଛାୟା ଦ୍ୱାରା ତାପ, ସେହିପରି ଭୟଙ୍କର ଲୋକମାନଙ୍କର ଗାୟନ ଧ୍ୱନି କ୍ଷାନ୍ତ କରାଯିବ।

6 ପୁଣି, ସୈନ୍ୟାଧିପତି ସଦାପ୍ରଭୁ ଏହି ପର୍ବତରେ ଯାବତୀୟ ଗୋଷ୍ଠୀ ନିମନ୍ତେ ଉତ୍ତମ ଉତ୍ତମ ଖାଦ୍ୟଦ୍ରବ୍ୟର ଏକ ଭୋଜ,

ପୁରାତନ ଦ୍ରାକ୍ଷାରସର, ମେଦପୂର୍ଣ୍ଣ ଉତ୍ତମ ଖାଦ୍ୟଦ୍ରବ୍ୟର, ସୁନିର୍ମଳୀକୃତ ପୁରାତନ ଦ୍ରାକ୍ଷାରସର ଏକ ଭୋଜ ପ୍ରସ୍ତୁତ କରିବେ।

7 ଆଉ, ସର୍ବଗୋଷ୍ଠୀୟମାନଙ୍କ ଉପରେ ଯେଉଁ ଓଢ଼ଣା ପଡ଼ିଅଛି

ଓ ସର୍ବଦେଶୀୟମାନଙ୍କ ଉପରେ ଯେଉଁ ଆବରକ ବସ୍ତ୍ର ପ୍ରସାରିତ ହୋଇଅଛି, ତାହା ସେ ଏହି ପର୍ବତରେ ବିନାଶ କରିବେ।

8 ସେ ମୃତ୍ୟୁକୁ ଅନନ୍ତକାଳ ନିମନ୍ତେ ଗ୍ରାସ କରିଅଛନ୍ତି

ଓ ପ୍ରଭୁ, ସଦାପ୍ରଭୁ, ସମସ୍ତଙ୍କ ମୁଖରୁ ଲୋତକ ଜଳ ପୋଛି ଦେବେ

ଓ ସମୁଦାୟ ପୃଥିବୀରୁ ଆପଣା ଲୋକମାନଙ୍କର ଦୁର୍ନାମ ଦୂର କରିବେ; କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି।

9 ପୁଣି, ସେହି ଦିନ ଏହି କଥା କୁହାଯିବ, "ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ୱର; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମ୍ଭମାନଙ୍କୁ ଉଦ୍ଧାର କରିବେ;

ଏ ସଦାପ୍ରଭୁ ଅଟନ୍ତି; ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ, ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ ହୋଇ ଉଲ୍ଲାସ କରିବୁ।"

10 କାରଣ ଏହି ପର୍ବତରେ ସଦାପ୍ରଭୁଙ୍କର ହସ୍ତ ଅଧିଷ୍ଠିତ ହେବ, ଆଉ ଯେପରି କୁଟା ଖତଗଦାର ଜଳରେ ପଦ ତଳେ ଦଳିତ ହୁଏ,

ସେହିପରି ମୋୟାବ ସ୍ୱ ସ୍ଥାନରେ ଦଳିତ ହେବ।

11 ଆଉ, ପହଁରିବା ଲୋକ ଯେପରି ପହଁରିବା ପାଇଁ ହସ୍ତ ବିସ୍ତାର କରେ, ସେହିପରି ସେ ତହିଁ ମଧ୍ୟରେ ଆପଣା ହସ୍ତ ବିସ୍ତାର କରିବ;

ମାତ୍ର ତାହାର ହସ୍ତ-କୌଶଳ ସମେତ ସେ ତାହାର ଗର୍ବ ଖର୍ବ କରିବେ।

12 ପୁଣି, ସେ ତୁମ୍ଭର ଉଚ୍ଚ ପ୍ରାଚୀରଯୁକ୍ତ ଦୃଢ଼ ଦୁର୍ଗ ନିପାତ କରି ନତ କରିଅଛନ୍ତି ଓ ତାହା ଭୂମିସାତ୍‍ କରି ଧୂଳିରେ ମିଶାଇ ଅଛନ୍ତି।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-