Publicidade

Isaías 32

ଜଣେ ଧାର୍ମିକ ରାଜା

1 ଦେଖ, ଏକ ରାଜା ଧର୍ମାନୁସାରେ ରାଜତ୍ୱ କରିବେ ଓ ଅଧିପତିମାନେ ନ୍ୟାୟାନୁସାରେ ଶାସନ କରିବେ।

2 ପୁଣି, ପ୍ରତ୍ୟେକେ ବତାସରୁ ଆଶ୍ରୟ ସ୍ଥାନ ଓ ଝଡ଼ରୁ ଆଶ୍ରୟ, ଶୁଷ୍କ ସ୍ଥାନରେ ଜଳସ୍ରୋତ,

ଶ୍ରାନ୍ତିଜନକ ଭୂମିରେ ବୃହତ ଶୈଳର ଛାୟା ସ୍ୱରୂପ ହେବେ।

3 ପୁଣି, ଦର୍ଶକମାନଙ୍କ ଚକ୍ଷୁ ଧନ୍ଦଳା ହେବ ନାହିଁ ଓ ଶ୍ରୋତାମାନଙ୍କର କର୍ଣ୍ଣ ମନୋଯୋଗ କରିବ।

4 ଆହୁରି, ଅବିବେଚକର ଚିତ୍ତ ଜ୍ଞାନ ପାଇବ ଓ ତୋତଲାମାନଙ୍କର ଜିହ୍ୱା ସହଜରେ ସ୍ପଷ୍ଟ କଥା କହିବ।

5 ମୂଢ଼ ଲୋକ ମହାତ୍ମା ବୋଲି ଓ ଖଳ ଲୋକ ଉଦାର ବୋଲି ଆଉ ବିଖ୍ୟାତ ହେବ ନାହିଁ।

6 କାରଣ ପାଷାଣ୍ଡତା ବ୍ୟବହାର କରିବା ପାଇଁ ଓ ସଦାପ୍ରଭୁଙ୍କ ପ୍ରତିକୂଳରେ ଭ୍ରାନ୍ତିର କଥା କହିବା ପାଇଁ,

କ୍ଷୁଧିତର ପ୍ରାଣ ଶୂନ୍ୟ କରିବା ପାଇଁ ଓ ତୃଷିତର ଜଳ ବାରଣ କରିବା ପାଇଁ ମୂଢ଼ ଲୋକ ଦୁଷ୍ଟତାର କଥା କହିବ

ଓ ତାହାର ହୃଦୟ ଅଧର୍ମ କଳ୍ପନା କରିବ।

7 ଆହୁରି, ଖଳ ଲୋକର ଉପାୟସବୁ ମନ୍ଦ; ସେ ନମ୍ର ଲୋକକୁ,

ଅର୍ଥାତ୍‍, ଯଥାର୍ଥ କଥା କହିବା ବେଳେ ଦୀନହୀନକୁ ମିଥ୍ୟା କଥା ଦ୍ୱାରା ନାଶ କରିବା ପାଇଁ କୁସଂକଳ୍ପ କଳ୍ପନା କରେ।

8 ମାତ୍ର ମହାତ୍ମା ମାହାତ୍ମ୍ୟର ମନ୍ତ୍ରଣା କରେ ଓ ସେ ମାହାତ୍ମ୍ୟର ଚେଷ୍ଟାରେ ସ୍ଥିର ରହିବ।

ସୁଖିନୀ ନାରୀଗଣଙ୍କ ବିପଦ

9 ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ ଉଠି ମୋହର ରବ ଶୁଣ,

ହେ ନିଶ୍ଚିନ୍ତା କନ୍ୟାଗଣ, ମୋʼ ବାକ୍ୟରେ କର୍ଣ୍ଣପାତ କର।

10 ହେ ନିଶ୍ଚିନ୍ତା ନାରୀଗଣ, ତୁମ୍ଭେମାନେ ଏକ ବର୍ଷର ଉପରେ କେତେକ ଦିନ ଉଦ୍‍ବିଗ୍ନା ହେବ;

କାରଣ ଦ୍ରାକ୍ଷାଫଳର ଅଭାବ ହେବ, ଫଳ ଅମଳର ସମୟ ଆସିବ ନାହିଁ।

11 ହେ ସୁଖିନୀ ନାରୀଗଣ, ତୁମ୍ଭେମାନେ କମ୍ପିତା ହୁଅ; ହେ ନିଶ୍ଚିନ୍ତାମାନେ, ଉଦ୍‍ବିଗ୍ନା ହୁଅ;

ବସ୍ତ୍ର କାଢ଼ି ବିବସ୍ତ୍ରା ହୁଅ ଓ ତୁମ୍ଭମାନଙ୍କ କଟିଦେଶରେ ଚଟ ବାନ୍ଧ।

12 ସେମାନେ ମନୋରମ କ୍ଷେତ୍ର ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଛାତିରେ ମାରି ହେବେ।

13 ମୋʼ ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ;

ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ;

14 କାରଣ, ରାଜପୁରୀ ପରିତ୍ୟକ୍ତ ହେବ ଓ ଜନପୂର୍ଣ୍ଣ ନଗର ଜନଶୂନ୍ୟ ହେବ;

ଗିରି ଓ ପ୍ରହରୀ-ଦୁର୍ଗ ଚିରକାଳ ଗୁହାମୟ,

ବନଗର୍ଦ୍ଦଭମାନଙ୍କର ଉଲ୍ଲାସ ଭୂମି ଓ ପଶୁପଲର ଚରାସ୍ଥାନ ହେବ;

15 ଶେଷରେ ଊର୍ଦ୍ଧ୍ୱରୁ ଆମ୍ଭମାନଙ୍କ ଉପରେ ଆତ୍ମା ଢଳା ଗଲେ

ପ୍ରାନ୍ତର ଉର୍ବରା କ୍ଷେତ୍ର ହେବ ଓ ଉର୍ବରା କ୍ଷେତ୍ର ଅରଣ୍ୟ ବୋଲି ଗଣାଯିବ।

16 ସେତେବେଳେ ପ୍ରାନ୍ତରରେ ନ୍ୟାୟବିଚାର ବାସ କରିବ ଓ ଉର୍ବରା କ୍ଷେତ୍ରରେ ଧାର୍ମିକତା ବସତି କରିବ।

17 ପୁଣି, ଧାର୍ମିକତାର କାର୍ଯ୍ୟ ଶାନ୍ତିମୟ ହେବ; ଆଉ, ଧାର୍ମିକତାର ଫଳ ନିତ୍ୟ ସୁସ୍ଥିରତା ଓ ନିର୍ଭୟତା ହେବ।

18 ପୁଣି, ମୋହର ଲୋକମାନେ ଶାନ୍ତିମୟ ବସତି ସ୍ଥାନରେ, ଦୃଢ଼ ଆବାସରେ ଓ ସୁସ୍ଥିର ବିଶ୍ରାମ ସ୍ଥାନରେ ବାସ କରିବେ।

19 ମାତ୍ର ଅରଣ୍ୟର ପତନରେ ଶିଳାବୃଷ୍ଟି ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ନିପାତିତ ହେବ। 20 ସଜଳ ସ୍ଥାନସବୁରେ ବୀଜ ବୁଣୁଅଛ ଓ ଗୋରୁ ଗର୍ଦ୍ଦଭକୁ ବାହାରେ ପଠାଉଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-