Publicidade

Isaías 3

ଯିହୁଦା ଓ ଯିରୂଶାଲମର ଶାସ୍ତି

1 ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଯିରୂଶାଲମ ଓ ଯିହୁଦାଠାରୁ ଯଷ୍ଟି ଓ ଯଷ୍ଟିକା,

ଅର୍ଥାତ୍‍, ଅନ୍ନ ସ୍ୱରୂପ ସମସ୍ତ ଯଷ୍ଟି ଓ ଜଳ ସ୍ୱରୂପ ସମସ୍ତ ଯଷ୍ଟିକା ଦୂର କରୁଅଛନ୍ତି;

2 ବୀର, ଯୋଦ୍ଧା; ବିଚାରକର୍ତ୍ତା, ଭବିଷ୍ୟଦ୍‍ବକ୍ତା, ମନ୍ତ୍ରଜ୍ଞ, ପ୍ରାଚୀନ;

3 ପଚାଶପତି, ସମ୍ଭ୍ରାନ୍ତ ମନୁଷ୍ୟ, ମନ୍ତ୍ରୀ, ନିପୁଣ ଶିଳ୍ପକର ଓ ନିପୁଣ ଶୁଭାଶୁଭବାଦୀ (ଦୂରୀକୃତ ହେବେ)।

4 ଆମ୍ଭେ ବାଳକମାନଙ୍କୁ ସେମାନଙ୍କର ଅଧିପତି କରିବା ଓ ଶିଶୁମାନେ ସେମାନଙ୍କ ଉପରେ ଶାସନ କରିବେ।

5 ଆଉ, ଲୋକମାନେ ଏକ ଜଣ ଅନ୍ୟ ଜଣ ଦ୍ୱାରା ଓ ପ୍ରତ୍ୟେକ ଲୋକ ଆପଣା ପ୍ରତିବାସୀ ଦ୍ୱାରା ଉପଦ୍ରୁତ ହେବେ;

ବାଳକ ପ୍ରାଚୀନଙ୍କ ବିରୁଦ୍ଧରେ ଓ ଅଧମ ଲୋକ ସମ୍ଭ୍ରାନ୍ତ ଲୋକ ବିରୁଦ୍ଧରେ ଗର୍ବାଚରଣ କରିବ।

6 କେହି କେହି ଆପଣା ଭ୍ରାତାକୁ ତାହାର ପିତୃଗୃହରେ ଧରି କହିବେ,

"ତୁମ୍ଭର ବସ୍ତ୍ର ଅଛି, ତୁମ୍ଭେ ଆମ୍ଭମାନଙ୍କର ଶାସନକର୍ତ୍ତା ହୁଅ, ପୁଣି, ଏହି ନିପତିତ (ରାଜ୍ୟ) ତୁମ୍ଭ ହସ୍ତାଧୀନ ହେଉ;"

7 ସେ ସେହି ଦିନ ଆପଣା ରବ ଉଠାଇ କହିବ

"ମୁଁ ଚିକିତ୍ସକ ହେବି ନାହିଁ; କାରଣ ମୋʼ ଗୃହରେ ଖାଦ୍ୟ କିମ୍ବା ବସ୍ତ୍ର ନାହିଁ;

ତୁମ୍ଭେମାନେ ମୋତେ ଲୋକମାନଙ୍କର ଶାସନକର୍ତ୍ତା କର ନାହିଁ।"

8 ଯେହେତୁ ଯିରୂଶାଲମ ବିନଷ୍ଟ ଓ ଯିହୁଦା ପତିତ ହୋଇଅଛି;

କାରଣ ସଦାପ୍ରଭୁଙ୍କର ପ୍ରତାପବିଶିଷ୍ଟ ଚକ୍ଷୁକୁ କ୍ରୋଧାନ୍ୱିତ କରିବା ପାଇଁ ସେମାନଙ୍କର ଜିହ୍ୱା ଓ କ୍ରିୟା ତାହାଙ୍କର ପ୍ରତିକୂଳ ଅଟେ।

9 ସେମାନଙ୍କ ମୁଖର ଆକାର ସେମାନଙ୍କ ପ୍ରତିକୂଳରେ ସାକ୍ଷ୍ୟ ଦିଏ; ପୁଣି, ସେମାନେ ସଦୋମର ନ୍ୟାୟ ଆପଣାମାନଙ୍କ ପାପ ପ୍ରକାଶ କରି ଗୋପନ କରନ୍ତି ନାହିଁ।

ସେମାନଙ୍କ ପ୍ରାଣର ସନ୍ତାପ ହେବ! କାରଣ ସେମାନେ ଆପଣାମାନଙ୍କର ଅନିଷ୍ଟ ଆପେ କରିଅଛନ୍ତି।

10 ତୁମ୍ଭେମାନେ ଧାର୍ମିକର ବିଷୟରେ କୁହ ଯେ, ତାହାର ମଙ୍ଗଳ ହେବ, ଯେହେତୁ ସେମାନେ ଆପଣା ଆପଣା କର୍ମର ଫଳ ଭୁଞ୍ଜିବେ।

11 ଦୁଷ୍ଟ ଲୋକର ସନ୍ତାପ ହେବ! ତାହାର ଅମଙ୍ଗଳ ଘଟିବ; କାରଣ ତାହାର ହସ୍ତକୃତ କର୍ମର ପ୍ରତିଫଳ ତାହାକୁ ଦିଆଯିବ।

12 ମୋʼ ଲୋକମାନଙ୍କ ବିଷୟ ଦେଖିଲେ, ବାଳକମାନେ ମୋʼ ଲୋକମାନଙ୍କର ଉପଦ୍ରବକାରୀ ଓ ସ୍ତ୍ରୀମାନେ ସେମାନଙ୍କ ଉପରେ ଶାସନ କରନ୍ତି।

ହେ ମୋହର ଲୋକମାନେ, ତୁମ୍ଭର ପଥଦର୍ଶକମାନେ ତୁମ୍ଭକୁ ଭୁଲାନ୍ତି ଓ ତୁମ୍ଭ ଗମନର ପଥ ନଷ୍ଟ କରନ୍ତି।

13 ସଦାପ୍ରଭୁ ପ୍ରତିବାଦ କରିବାକୁ ଠିଆ ହେଉଅଛନ୍ତି,

ଗୋଷ୍ଠୀୟମାନଙ୍କର ବିଚାର କରିବାକୁ ଠିଆ ହେଉଅଛନ୍ତି।

14 ସଦାପ୍ରଭୁ ଆପଣା ଲୋକମାନଙ୍କର ପ୍ରାଚୀନବର୍ଗର ଓ ଅଧିପତିଗଣର ସହିତ ବିଚାରରେ ଉପସ୍ଥିତ ହେବେ;

"ତୁମ୍ଭେମାନେ ହିଁ ଦ୍ରାକ୍ଷାକ୍ଷେତ୍ର ଗ୍ରାସ କରିଅଛ; ଦରିଦ୍ରମାନଙ୍କଠାରୁ ଲୁଟିତ ଦ୍ରବ୍ୟ ତୁମ୍ଭମାନଙ୍କ ଗୃହରେ ଅଛି;"

15 "ତୁମ୍ଭେମାନେ ଯେ ଆମ୍ଭ ଲୋକମାନଙ୍କୁ ଦଳି ପକାଉଅଛ ଓ ଦରିଦ୍ରମାନଙ୍କ ମୁଖ ଘଷି ପକାଉଅଛ,

ଏଥିରେ ତୁମ୍ଭମାନଙ୍କ ଅଭିପ୍ରାୟ କʼଣ?" ପ୍ରଭୁ, ବାହିନୀଗଣର ସଦାପ୍ରଭୁ ଏହି କଥା କହନ୍ତି।

16 ଆହୁରି ସଦାପ୍ରଭୁ କହିଲେ, "ସିୟୋନର କନ୍ୟାଗଣ ଅହଙ୍କାରିଣୀ

ଓ ଆପଣା ଆପଣା ଗ୍ରୀବା ଲମ୍ବାଇ ଓ କଟାକ୍ଷ କରି ଗମନ କରନ୍ତି,

ଗମନ କରୁ କରୁ ଚଞ୍ଚଳ ପାଦସଞ୍ଚାର ଓ ଚରଣରେ ରୁଣୁଝୁଣୁ ଶବ୍ଦ କରନ୍ତି;

17 ଏହେତୁ ପ୍ରଭୁ ସିୟୋନର କନ୍ୟାଗଣର ମସ୍ତକ କାଛୁମୟ କରିବେ ଓ ସଦାପ୍ରଭୁ ସେମାନଙ୍କର ଗୁପ୍ତ ସ୍ଥାନ ଅନାବୃତ କରିବେ।"

18 ସେହି ଦିନ ପ୍ରଭୁ ସେମାନଙ୍କର ଗର୍ବ ସ୍ୱରୂପ ନୂପୁର, ଜାଲିବସ୍ତ୍ର, ଚନ୍ଦ୍ରହାର; 19 କର୍ଣ୍ଣଭୂଷଣ, ଚୁଡ଼ି, ଘୁମୁଟା; 20 ଶିରୋଭୂଷଣ, ପାଦର ବଳା, କଟିବନ୍ଧନୀ, ଅତରଧାନୀ, କବଚ; 21 ମୁଦି, ନଥ; 22 ଉତ୍ସବକାଳୀନ ବସ୍ତ୍ର, ଆବରଣୀୟ ବସ୍ତ୍ର, ସାଲ, ଗାଞ୍ଜିଆ; 23 ଦର୍ପଣ, ସୂକ୍ଷ୍ମ ବସ୍ତ୍ର, ଶିରୋବନ୍ଧନୀ ଓ ଓଢ଼ଣି କାଢ଼ି ପକାଇବେ।

24 ତହିଁରେ ସୁଗନ୍ଧି ଦ୍ରବ୍ୟ ବଦଳରେ ଦୁର୍ଗନ୍ଧ ପୂଜ, କଟିବନ୍ଧନୀର ପରିବର୍ତ୍ତେ ରଜ୍ଜୁ,

ସୁନ୍ଦର କେଶବିନ୍ୟାସ ବଦଳରେ କେଶ-ଶୂନ୍ୟତା ଓ ଆବରଣ ବସ୍ତ୍ର ପରିବର୍ତ୍ତେ ଚଟର ପଟୁକା;

ସୌନ୍ଦର୍ଯ୍ୟ ବଦଳରେ ପୋଡ଼ାଦାଗ ହେବ।

25 ତୁମ୍ଭର ପୁରୁଷମାନେ ଖଡ୍ଗାଘାତରେ ଓ ତୁମ୍ଭର ବିକ୍ରମୀଗଣ ଯୁଦ୍ଧରେ ପତିତ ହେବେ।

26 ସିୟୋନର ନଗରଦ୍ୱାରସକଳ ଶୋକ ଓ ବିଳାପ କରିବେ ଓ ସେ ଅକିଞ୍ଚନା ହୋଇ ଭୂମିରେ ବସିବ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-