ଚାରି ହଜାର ଲୋକଙ୍କୁ ଭୋଜନ କରିବା
1 ସେହି ସମୟରେ ବହୁସଂଖ୍ୟକ ଲୋକ ପୁନର୍ବାର ଏକତ୍ର ହେଲେ, ଆଉ ସେମାନଙ୍କ ପାଖରେ ଖାଦ୍ୟଦ୍ରବ୍ୟ କିଛି ନ ଥିବାରୁ ଯୀଶୁ ଶିଷ୍ୟମାନଙ୍କୁ ନିକଟକୁ ଡାକି ସେମାନଙ୍କୁ କହିଲେ, 2 "ଲୋକସମୂହ ପ୍ରତି ମୋହର ଦୟା ହେଉଅଛି, କାରଣ ଏମାନେ ତିନି ଦିନ ହେଲାଣି ମୋʼ ସାଙ୍ଗରେ ରହିଅଛନ୍ତି ଓ ଏମାନଙ୍କ ପାଖରେ କିଛି ଖାଇବାକୁ ନାହିଁ। 3 ଯଦି ମୁଁ ସେମାନଙ୍କୁ ଅନାହାରରେ ଘରକୁ ପଠାଏ, ତାହାହେଲେ ବାଟରେ ସେମାନଙ୍କର ହଂସା ଉଡ଼ିଯିବ; ସେମାନଙ୍କ ମଧ୍ୟରୁ କେତେକ ତ ଦୂରରୁ ଆସିଅଛନ୍ତି।" 4 ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ଏଠାରେ ଏହି ନିର୍ଜନ ସ୍ଥାନରେ କିଏ କେଉଁଠାରୁ ରୁଟି ଆଣି ଏମାନଙ୍କୁ ତୃପ୍ତ କରିପାରିବ? 5 ଯୀଶୁ ସେମାନଙ୍କୁ ପଚାରିଲେ, "ତୁମ୍ଭମାନଙ୍କ ପାଖରେ କେତୋଟି ରୁଟି ଅଛି?" ସେମାନେ କହିଲେ, ସାତୋଟି। 6 ସେଥିରେ ଯୀଶୁ ଲୋକସମୂହକୁ ଭୂମିରେ ବସିବାକୁ ଆଜ୍ଞା ଦେଲେ; ଆଉ ସେ ସେହି ସାତୋଟି ରୁଟି ଘେନି ଧନ୍ୟବାଦ ଦେଇ ସେହିସବୁ ଭାଙ୍ଗି ପରିବେଷଣ କରିବା ନିମନ୍ତେ ଆପଣା ଶିଷ୍ୟମାନଙ୍କୁ ଦେଲେ ଓ ସେମାନେ ଲୋକସମୂହକୁ ତାହା ପରିବେଷଣ କଲେ। 7 ପୁଣି, ସେମାନଙ୍କ ପାଖରେ ଅଳ୍ପ କେତୋଟି ସାନ ମାଛ ଥିଲା; ସେହିସବୁକୁ ମଧ୍ୟ ସେ ଆଶୀର୍ବାଦ କରି ପରିବେଷଣ କରିବା ନିମନ୍ତେ କହିଲେ। 8 ସେଥିରେ ସେମାନେ ଭୋଜନ କରି ତୃପ୍ତ ହେଲେ ଓ ସାତ ଟୋକେଇ ବଳକା ଭଙ୍ଗା ରୁଟି ଉଠାଇଲେ। 9 ସେମାନେ ପ୍ରାୟ ଚାରି ହଜାର ଲୋକ ଥିଲେ।