Publicidade

Salmos 34

ମଙ୍ଗଳମୟ ସଦାପ୍ରଭୁଙ୍କ ପ୍ରଶଂସା
ଦାଉଦଙ୍କ ଗୀତ; ଯେତେବେଳେ ସେ ଅବୀମେଲକ୍‍ ସାକ୍ଷାତରେ ଆପଣା ମତି ବଦଳାଇବାରୁ ତାହା ଦ୍ୱାରା ତାଡ଼ିତ ହୋଇ ପ୍ରସ୍ଥାନ କରିଥିଲେ, ସେହି ସମୟର ଗୀତ।

1 ମୁଁ ସର୍ବଦା ସଦାପ୍ରଭୁଙ୍କର ଧନ୍ୟବାଦ କରିବି;

ମୋʼ ମୁଖରେ ନିରନ୍ତର ତାହାଙ୍କର ପ୍ରଶଂସା ହେବ।

2 ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଦର୍ପ କରିବ;

ନମ୍ର ଲୋକମାନେ ତାହା ଶୁଣି ଆନନ୍ଦିତ ହେବେ।

3 ଆହେ, ମୋʼ ସଙ୍ଗେ ସଦାପ୍ରଭୁଙ୍କ ମାହାତ୍ମ୍ୟ ପ୍ରକାଶ କର,

ଆସ, ଆମ୍ଭେମାନେ ଏକ ସଙ୍ଗେ ତାହାଙ୍କ ନାମର ପ୍ରତିଷ୍ଠା କରୁ।

4 ମୁଁ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି ଓ ସେ ମୋତେ ଉତ୍ତର ଦେଲେ,

ପୁଣି, ମୋହର ସବୁ ଭୟରୁ ମୋତେ ଉଦ୍ଧାର କଲେ।

5 ସେମାନେ ତାହାଙ୍କ ପ୍ରତି ଦୃଷ୍ଟିପାତ କରି ଦୀପ୍ତିମାନ ହେଲେ;

ଆଉ, ସେମାନଙ୍କ ମୁଖ କେବେ ହେଁ ବିବର୍ଣ୍ଣ ନୋହିବ।

6 ଏହି ଦୁଃଖୀଲୋକ କାକୂକ୍ତି କଲା, ପୁଣି, ସଦାପ୍ରଭୁ ତାହାର କଥା ଶୁଣିଲେ

ଓ ତାହାର ସକଳ ସଙ୍କଟରୁ ତାହାକୁ ଉଦ୍ଧାର କଲେ।

7 ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି,

ତାହାଙ୍କର ଦୂତ ସେମାନଙ୍କ ଚାରିଆଡ଼େ ଛାଉଣି କରି ସେମାନଙ୍କୁ ଉଦ୍ଧାର କରନ୍ତି।

8 ଆହେ, ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ;

ଯେ ତାହାଙ୍କର ଶରଣାଗତ, ସେ ଲୋକ ଧନ୍ୟ।

9 ହେ ତାହାଙ୍କର ସଦ୍‍ଭକ୍ତମାନେ, ସଦାପ୍ରଭୁଙ୍କୁ ଭୟ କର;

କାରଣ ଯେଉଁମାନେ ତାହାଙ୍କୁ ଭୟ କରନ୍ତି, ସେମାନଙ୍କର କୌଣସି ଅଭାବ ନାହିଁ।

10 ଯୁବା ସିଂହମାନଙ୍କର ଅଭାବ ଓ କ୍ଷୁଧାରୁ କ୍ଳେଶ ହୁଏ;

ମାତ୍ର ଯେଉଁମାନେ ସଦାପ୍ରଭୁଙ୍କର ଅନ୍ୱେଷଣ କରନ୍ତି, ସେମାନଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ନୋହିବ।

11 ହେ ବାଳକମାନେ, ଆସ, ମୋʼ କଥା ଶୁଣ;

ମୁଁ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ଭୟ ଶିଖାଇବି।

12 ଯେ ଜୀବନ ବାଞ୍ଛା କରେ

ଓ ମଙ୍ଗଳ ଦେଖିବା ପାଇଁ ଦୀର୍ଘାୟୁ ପ୍ରିୟ ମଣେ ଏପରି ବ୍ୟକ୍ତି କିଏ?

13 ତୁମ୍ଭେ ହିଂସାରୁ ଆପଣା ଜିହ୍ୱା

ଓ ଛଳବାକ୍ୟରୁ ଆପଣା ଓଷ୍ଠାଧର ରକ୍ଷା କର।

14 ମନ୍ଦତାରୁ ଦୂର ହୁଅ ଓ ସୁକର୍ମ କର;

ଶାନ୍ତି ଅନ୍ୱେଷଣ କର ଓ ତହିଁର ଅନୁଗାମୀ ହୁଅ।

15 ଧାର୍ମିକମାନଙ୍କ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି

ଓ ସେମାନଙ୍କ ଆର୍ତ୍ତନାଦ ପ୍ରତି ତାହାଙ୍କର କର୍ଣ୍ଣ ଅଛି।

16 ପୃଥିବୀରୁ କୁକର୍ମକାରୀମାନଙ୍କ ସ୍ମରଣ ଉଚ୍ଛିନ୍ନ କରିବା

ପାଇଁ ସେମାନଙ୍କ ପ୍ରତିକୂଳରେ ସଦାପ୍ରଭୁଙ୍କ ମୁଖ ଥାଏ।

17 ଧାର୍ମିକମାନେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଶୁଣିଲେ

ଓ ସେମାନଙ୍କ ସର୍ବ ସଙ୍କଟରୁ ସେମାନଙ୍କୁ ଉଦ୍ଧାର କଲେ।

18 ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି

ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି।

19 ଧାର୍ମିକର ବିପଦ ଅନେକ;

ମାତ୍ର ସେହିସବୁରୁ ସଦାପ୍ରଭୁ ତାହାକୁ ଉଦ୍ଧାର କରନ୍ତି।

20 ସେ ତାହାର ଅସ୍ଥିସକଳ ରକ୍ଷା କରନ୍ତି;

ତହିଁ ମଧ୍ୟରୁ ଖଣ୍ଡେ ହେଲେ ଭଗ୍ନ ହୁଏ ନାହିଁ।

21 ଦୁଷ୍ଟତା ଦୁଷ୍ଟକୁ ସଂହାର କରିବ;

ଧାର୍ମିକର ଘୃଣାକାରୀ ଦୋଷୀକୃତ ହେବ।

22 ସଦାପ୍ରଭୁ ଆପଣା ଦାସଗଣର ପ୍ରାଣ ମୁକ୍ତ କରନ୍ତି;

ପୁଣି, ତାହାଙ୍କର ଶରଣାଗତ କେହି ଦୋଷୀକୃତ ହେବେ ନାହିଁ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_06-50-08-