Publicidade

Salmos 73

ପରମେଶ୍ୱରଙ୍କ ନ୍ୟାୟବିଚାର
ଆସଫର ଗୀତ।

1 ପରମେଶ୍ୱର ଇସ୍ରାଏଲ ପ୍ରତି,

ନିର୍ମଳାନ୍ତଃକରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ୱରୂପ ଅଟନ୍ତି।

2 ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା;

ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା।

3 କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି

ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ୱିତ ହେଲି।

4 ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ;

ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ।

5 ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ;

କିଅବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତ ପ୍ରାପ୍ତ ହୁଅନ୍ତି ନାହିଁ।

6 ଏହେତୁ ଅହଙ୍କାର ସେମାନଙ୍କ ଗଳାର ହାର ସ୍ୱରୂପ ହୁଏ;

ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ।

7 ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ;

ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି।

8 ସେମାନେ ଟାହୁଲି କରନ୍ତି ଓ ଦୁଷ୍ଟତାରେ ଦୌରାତ୍ମ୍ୟ ଉଚ୍ଚାରଣ କରନ୍ତି;

ସେମାନେ ଦମ୍ଭ କଥା କହନ୍ତି।

9 ସେମାନେ ଆକାଶରେ ଆପଣା ଆପଣା ମୁଖ ରଖିଅଛନ୍ତି

ଓ ସେମାନଙ୍କ ଜିହ୍ୱା ପୃଥିବୀରେ ଭ୍ରମଣ କରେ।

10 ଏହେତୁ ତାହାର ଲୋକମାନେ ସେଆଡ଼େ ଫେରନ୍ତି;

ପୁଣି, ପୂର୍ଣ୍ଣ ପାନପାତ୍ରର ଜଳସବୁ ସେମାନଙ୍କ ଦ୍ୱାରା ନିଗିଡ଼ାଯାଏ।

11 ଆଉ, ସେମାନେ କହନ୍ତି, "ପରମେଶ୍ୱର କିପରି ଜାଣିବେ?

ଓ ସର୍ବୋପରିସ୍ଥଙ୍କର କି ଜ୍ଞାନ ଅଛି?"

12 ଦେଖ, ଏମାନେ ଦୁଷ୍ଟ ଲୋକ;

ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି କରନ୍ତି।

13 ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି କରିଅଛି

ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରିଅଛି;

14 କାରଣ ମୁଁ ଦିନସାରା ଆଘାତ

ଓ ପ୍ରତି ପ୍ରଭାତ ଶାସ୍ତି ପ୍ରାପ୍ତ ହୋଇଅଛି।

15 "ଏରୂପ କହିବି" ବୋଲି ଯଦି ମୁଁ କହିଥାʼନ୍ତି

ତେବେ ଦେଖ, ମୁଁ ତୁମ୍ଭ ସନ୍ତାନଗଣର ବଂଶ ପ୍ରତି ବିଶ୍ୱାସଘାତକତା କରିଥାʼନ୍ତି।

16 ମୁଁ ତାହା କିରୂପେ ଜାଣିବି ବୋଲି ଭାବନା କଲା ବେଳେ

ମୋʼ ପ୍ରତି ତାହା ଅତି କଷ୍ଟକର ହେଲା;

17 ଶେଷରେ ମୁଁ ପରମେଶ୍ୱରଙ୍କ ଧର୍ମଧାମକୁ ଗଲି

ଓ ସେମାନଙ୍କର ଶେଷ ଫଳ ବିବେଚନା କଲି।

18 ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ;

ତୁମ୍ଭେ ସେମାନଙ୍କୁ ସର୍ବନାଶରେ ପକାଉଅଛ।

19 ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତି!

ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ ହୁଅନ୍ତି।

20 ନିଦ୍ରାରୁ ଜାଗ୍ରତ ହେଲା ଉତ୍ତାରେ ଯେପରି ସ୍ୱପ୍ନ,

ସେପରି, ହେ ପ୍ରଭୋ, ତୁମ୍ଭେ ଜାଗ୍ରତ ହେଲେ, ସେମାନଙ୍କ ମୂର୍ତ୍ତିକୁ ତୁଚ୍ଛଜ୍ଞାନ କରିବ।

21 ମୋହର ହୃଦୟ ଦୁଃଖିତ ହୋଇଥିଲା

ଓ ମୋହର ମର୍ମ ବିଦ୍ଧ ହୋଇଥିଲା।

22 ମୁଁ ଏଡ଼େ ମୂର୍ଖ ଓ ଅଜ୍ଞାନ,

ମୁଁ ତୁମ୍ଭ ସାକ୍ଷାତରେ ପଶୁ ପରି ଥିଲି।

23 ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି;

ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ।

24 ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ

ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ।

25 ସ୍ୱର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି?

ଓ ଭୂମଣ୍ଡଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ।

26 ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି;

ମାତ୍ର ପରମେଶ୍ୱର ଅନନ୍ତକାଳ ମୋʼ ଚିତ୍ତର ବଳ ଓ ମୋହର ବାଣ୍ଟ ସ୍ୱରୂପ ଅଟନ୍ତି।

27 କାରଣ ଦେଖ, ତୁମ୍ଭଠାରୁ ଦୂରରେ ଥିବା ଲୋକମାନେ ବିନଷ୍ଟ ହେବେ;

ତୁମ୍ଭଙ୍କୁ ଛାଡ଼ି ବ୍ୟଭିଚାର କରିବା ଲୋକ ସମସ୍ତଙ୍କୁ ତୁମ୍ଭେ ଉଚ୍ଛିନ୍ନ କରିଅଛ।

28 ମାତ୍ର ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାର ମୋହର ମଙ୍ଗଳ;

ମୁଁ ତୁମ୍ଭର ସକଳ କର୍ମ ବର୍ଣ୍ଣନା କରିବା ପାଇଁ

ପ୍ରଭୁ ସଦାପ୍ରଭୁଙ୍କୁ ଆପଣାର ଆଶ୍ରୟ ସ୍ୱରୂପ କରିଅଛି।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-