Publicidade

Salmos 27

ସ୍ତୁତି ବନ୍ଦନା
ଦାଉଦଙ୍କର ଗୀତ।

1 ସଦାପ୍ରଭୁ ମୋହର ଦୀପ୍ତି ଓ ମୋହର ପରିତ୍ରାଣ;

ମୁଁ କାହାକୁ ଭୟ କରିବି?

ସଦାପ୍ରଭୁ ମୋʼ ଜୀବନର ବଳ;

ମୁଁ କାହାଠାରୁ ଭୀତ ହେବି?

2 ଦୁଷ୍କର୍ମକାରୀଗଣ ମୋହର ମାଂସ ଗ୍ରାସ କରିବା ପାଇଁ ମୋତେ ଆକ୍ରମଣ କରିବା ବେଳେ

ମୋହର ସେହି ବିପକ୍ଷ ଓ ଶତ୍ରୁମାନେ ଝୁଣ୍ଟି ପତିତ ହେଲେ।

3 ସୈନ୍ୟଦଳ ମୋʼ ବିରୁଦ୍ଧରେ ଛାଉଣି କଲେ ହେଁ

ମୋହର ଅନ୍ତଃକରଣ ଭୟ କରିବ ନାହିଁ;

ଯଦି ଯୁଦ୍ଧ ମୋʼ ବିରୁଦ୍ଧରେ ଉଠେ,

ତେବେ ମଧ୍ୟ ମୁଁ ସାହସିକ ହେବି।

4 ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ

ଓ ତାହାଙ୍କ ମନ୍ଦିରରେ ଅନୁସନ୍ଧାନ କରିବା ପାଇଁ

ଯେପରି ଯାବଜ୍ଜୀବନ ସଦାପ୍ରଭୁଙ୍କ ଗୃହରେ ବାସ କରିବି,

ଏହି ଏକ ବିଷୟ ମୁଁ ସଦାପ୍ରଭୁଙ୍କ ନିକଟରେ ମାଗିଅଛି,

ତାହା ହିଁ ମୁଁ ଅନ୍ୱେଷଣ କରିବି।

5 କାରଣ ବିପଦ ଦିନରେ ସେ ଆପଣା ଆବାସରେ ମୋତେ ଗୋପନ କରି ରଖିବେ;

ସେ ଆପଣା ତମ୍ବୁର ଅନ୍ତରାଳରେ ମୋତେ ଲୁଚାଇବେ;

ସେ ମୋତେ ଶୈଳ ଉପରକୁ ଉଠାଇବେ।

6 ଏଣୁ ଏବେ ମୋʼ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ଉପରେ ମୋହର ମସ୍ତକ ଉନ୍ନତ ହେବ;

ଆଉ, ମୁଁ ତାହାଙ୍କ ତମ୍ବୁରେ ଜୟଧ୍ୱନିର ବଳି ଉତ୍ସର୍ଗ କରିବି;

ମୁଁ ଗାନ କରିବି, ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।

7 ହେ ସଦାପ୍ରଭୋ, ମୁଁ ଆପଣା ରବରେ ଡାକିବା ବେଳେ ଶୁଣ;

ମୋʼ ପ୍ରତି ଦୟା କର ଓ ମୋତେ ଉତ୍ତର ଦିଅ।

8 ଯେତେବେଳେ ତୁମ୍ଭେ କହିଲ, "ତୁମ୍ଭେମାନେ ମୋହର ମୁଖ ଅନ୍ୱେଷଣ କର,"

ମୋʼ ଅନ୍ତଃକରଣ ତୁମ୍ଭଙ୍କୁ କହିଲା, "ସଦାପ୍ରଭୋ, ମୁଁ ତୁମ୍ଭର ମୁଖ ଅନ୍ୱେଷଣ କରିବି।"

9 ମୋʼ ଠାରୁ ଆପଣା ମୁଖ ଲୁଚାଅ ନାହିଁ;

କ୍ରୋଧରେ ଆପଣା ଦାସକୁ ଦୂର କର ନାହିଁ;

ତୁମ୍ଭେ ମୋହର ସହାୟ ହୋଇଅଛ;

ହେ ମୋʼ ପରିତ୍ରାଣର ପରମେଶ୍ୱର, ମୋତେ ଦୂର କର ନାହିଁ, କିଅବା ପରିତ୍ୟାଗ କର ନାହିଁ।

10 କାରଣ ମୋହର ପିତା ଓ ମୋହର ମାତା ମୋତେ ପରିତ୍ୟାଗ କରିଅଛନ୍ତି,

ମାତ୍ର ସଦାପ୍ରଭୁ ମୋତେ ଉଠାଇ ନେବେ।

11 ହେ ସଦାପ୍ରଭୋ, ମୋହର ଶତ୍ରୁଗଣ ସକାଶୁ

ମୋତେ ତୁମ୍ଭର ମାର୍ଗ ଶିଖାଅ;

ଓ ସରଳ ପଥରେ ମୋତେ କଢ଼ାଇ ନିଅ।

12 ମୋʼ ବିପକ୍ଷଗଣର ବାଞ୍ଛାରେ ମୋତେ ସମର୍ପଣ କର ନାହିଁ;

କାରଣ ମିଥ୍ୟାସାକ୍ଷୀମାନେ ଓ ନିଷ୍ଠୁରତାରୂପ ନିଶ୍ୱାସ

ମାରିବା ଲୋକେ ମୋʼ ବିରୁଦ୍ଧରେ ଉଠିଅଛନ୍ତି।

13 ମୁଁ ଜୀବିତମାନଙ୍କ ଦେଶରେ ସଦାପ୍ରଭୁଙ୍କର ମଙ୍ଗଳଭାବ ଦେଖିବାକୁ ବିଶ୍ୱାସ କରି ନ ଥିଲେ, ମୂର୍ଚ୍ଛିତ ହୋଇଥାʼନ୍ତି।

14 ସଦାପ୍ରଭୁଙ୍କର ସାହାଯ୍ୟ ନିମନ୍ତେ ଅପେକ୍ଷା କର;

ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ;

ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-