Publicidade

Salmos 141

ସନ୍ଧ୍ୟା ପ୍ରାର୍ଥନା
ଦାଉଦଙ୍କର ଗୀତ।

1 ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି; ମୋʼ ପକ୍ଷରେ ସତ୍ୱର ହୁଅ;

ମୁଁ ଡାକିବା ବେଳେ ମୋʼ ରବରେ କର୍ଣ୍ଣ ଦିଅ।

2 ସୁଗନ୍ଧି ଧୂପ ପରି ମୋʼ ପ୍ରାର୍ଥନା,

ସନ୍ଧ୍ୟାକାଳୀନ ନୈବେଦ୍ୟ ପରି ମୋହର ହସ୍ତ ଉତ୍ତୋଳନ ତୁମ୍ଭ ଛାମୁରେ ଉପସ୍ଥିତ ହେଉ।

3 ହେ ସଦାପ୍ରଭୋ, ମୋʼ ମୁଖ ଆଗରେ ପ୍ରହରୀ ନିଯୁକ୍ତ କର;

ମୋʼ ଓଷ୍ଠାଧରର କବାଟ ରକ୍ଷା କର।

4 ଅଧର୍ମାଚାରୀ ଲୋକମାନଙ୍କ ସଙ୍ଗେ ଦୁଷ୍ଟ କ୍ରିୟାରେ

ନିଯୁକ୍ତ ହେବା ପାଇଁ କୌଣସି ମନ୍ଦ ବିଷୟରେ ମୋʼ ଚିତ୍ତକୁ ପ୍ରବର୍ତ୍ତାଅ ନାହିଁ

ଓ ସେମାନଙ୍କ ସୁସ୍ୱାଦୁ ଭକ୍ଷ୍ୟ ଭୋଜନ କରିବାକୁ ମୋତେ ଦିଅ ନାହିଁ।

5 ଧାର୍ମିକ ଲୋକ ମୋତେ ପ୍ରହାର କରୁ, ତାହା ମୋʼ ପ୍ରତି ଦୟା ହେବ

ଓ ସେ ମୋତେ ଅନୁଯୋଗ କରୁ, ତାହା ମସ୍ତକରେ ତୈଳ ସ୍ୱରୂପ ହେବ;

ମୋʼ ମସ୍ତକ ତାହା ଅଗ୍ରାହ୍ୟ ନ କରୁ;

ସେମାନଙ୍କର ନାନା ଦୁଷ୍ଟତା ସମୟରେ ମୋହର ପ୍ରାର୍ଥନା ଚଳୁଥିବ।

6 ସେମାନଙ୍କ ବିଚାରକର୍ତ୍ତାମାନେ ଶୈଳ ପାର୍ଶ୍ୱରେ ନିକ୍ଷିପ୍ତ ହୋଇଅଛନ୍ତି;

ମୋହର ବାକ୍ୟ ମଧୁର, ଏଣୁ ସେମାନେ ତାହା ଶୁଣିବେ।

7 କେହି ଭୂମି ଚାଷ ଓ ବିଦୀର୍ଣ୍ଣ କରିବା ବେଳେ ଯେପରି,

ସେପରି କବର ମୁଖରେ ଆମ୍ଭମାନଙ୍କ ଅସ୍ଥିସବୁ ଛିନ୍ନଭିନ୍ନ ହୋଇଅଛି।

8 କାରଣ ହେ ପ୍ରଭୋ ସଦାପ୍ରଭୋ, ମୋʼ ଦୃଷ୍ଟି ତୁମ୍ଭଆଡ଼େ ଅଛି;

ମୁଁ ତୁମ୍ଭଠାରେ ଭରସା ରଖିଅଛି; ମୋʼ ପ୍ରାଣକୁ ଅନାଥ କରି ତ୍ୟାଗ କର ନାହିଁ।

9 ମୋʼ ନିମନ୍ତେ ସେମାନଙ୍କ ପାତିତ ଫାନ୍ଦରୁ

ଓ ଅଧର୍ମାଚାରୀମାନଙ୍କ ଯନ୍ତାରୁ ମୋତେ ରକ୍ଷା କର।

10 ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ,

ସେହି ଅବସରରେ ମୁଁ ରକ୍ଷା ପାଏ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-