Publicidade

Salmos 48

ସଦାପ୍ରଭୁଙ୍କ ନଗରୀ ସିୟୋନ
ଗୀତ: କୋରହ-ସନ୍ତାନମାନଙ୍କର ଗୀତ।

1 ଆମ୍ଭମାନଙ୍କ ପରମେଶ୍ୱରଙ୍କ ନଗରରେ,

ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟନ୍ତ ପ୍ରଶଂସନୀୟ।

2 ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର,

ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର।

3 ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ୱର ଆଶ୍ରୟ

ସ୍ୱରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି।

4 କାରଣ ଦେଖ, ରାଜାଗଣ ସଭାସ୍ଥ ହେଲେ, ସେମାନେ

ଏକ ସଙ୍ଗେ ଗମନ କଲେ।

5 ସେମାନେ ତାହା ଦେଖି ଚମତ୍କୃତ ହେଲେ;

ସେମାନେ ଉଦ୍‍ବିଗ୍ନ ହୋଇ ଶୀଘ୍ର ପଳାଇଲେ;

6 ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର

ବେଦନା ତୁଲ୍ୟ ବେଦନାରେ ଆକ୍ରାନ୍ତ ହେଲେ।

7 ତୁମ୍ଭେ ପୂର୍ବୀୟ ବାୟୁ ଦ୍ୱାରା

ତର୍ଶୀଶ ନଗରର ଜାହାଜସବୁ ଭାଙ୍ଗିଥାଅ।

8 ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି

ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ

ପରମେଶ୍ୱରଙ୍କ ନଗରରେ ଦେଖିଅଛୁ;

ପରମେଶ୍ୱର ଅନନ୍ତକାଳ ତାହା ସୁସ୍ଥିର କରିବେ। [ସେଲା]

9 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ

ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ।

10 ହେ ପରମେଶ୍ୱର, ଯେପରି ତୁମ୍ଭର ନାମ, ସେହିପରି

ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଅଟେ;

ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ।

11 ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ ଆନନ୍ଦିତ ହେଉ,

ଯିହୁଦାର କନ୍ୟାଗଣ ଉଲ୍ଲାସିତ ହେଉନ୍ତୁ।

12 ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର;

ତହିଁର ଦୁର୍ଗସବୁ ଗଣନା କର।

13 ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ

ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ

କର, ତହିଁର ଅଟ୍ଟାଳିକାସବୁ ବିବେଚନା କର।

14 କାରଣ ଏହି ପରମେଶ୍ୱର ଅନନ୍ତକାଳ ଆମ୍ଭମାନଙ୍କର

ପରମେଶ୍ୱର ଅଟନ୍ତି;

ସେ ଆମ୍ଭମାନଙ୍କର ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-