Publicidade

Salmos 57

ସାହାଯ୍ୟ ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍‍-ତଶ୍‍ହେତ୍‍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍‍; ଗୁମ୍ଫାରେ ଶାଉଲଙ୍କ ସମ୍ମୁଖରୁ ପଳାଇବା ବେଳେ ରଚିତ।

1 ହେ ପରମେଶ୍ୱର, ମୋତେ ଦୟା କର; ମୋତେ ଦୟା କର;

କାରଣ ମୋʼ ପ୍ରାଣ ତୁମ୍ଭର ଶରଣାଗତ;

ଆଉ, ଏହିସବୁ ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବି।

2 ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ,

ମୋʼ ପକ୍ଷରେ ସର୍ବସାଧନକର୍ତ୍ତା ପରମେଶ୍ୱରଙ୍କ ନିକଟରେ ଡାକ ପକାଇବି।

3 ମୋତେ ଗ୍ରାସ କରିବାକୁ ଇଚ୍ଛୁକ ଲୋକ ତିରସ୍କାର କରିବା ବେଳେ,

ସେ ସ୍ୱର୍ଗରୁ ପଠାଇ ମୋତେ ତ୍ରାଣ କରିବେ; [ସେଲା]

ପରମେଶ୍ୱର ଆପଣା ଦୟା ଓ ସତ୍ୟତା ପ୍ରେରଣ କରିବେ।

4 ମୁଁ ସିଂହମାନଙ୍କ ମଧ୍ୟରେ ଅଛି;

ମୁଁ ପ୍ରଜ୍ୱଳିତ ଲୋକମାନଙ୍କ ମଧ୍ୟରେ,

ଯେଉଁ ମନୁଷ୍ୟ-ସନ୍ତାନଗଣର ଦନ୍ତ ବର୍ଚ୍ଛା ଓ ତୀର ତୁଲ୍ୟ,

ପୁଣି, ଜିହ୍ୱା ତୀକ୍ଷ୍ଣ ଖଡ୍ଗ ତୁଲ୍ୟ, ସେମାନଙ୍କ ମଧ୍ୟରେ ଶୟନ କରେ।

5 ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ;

ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ।

6 ସେମାନେ ମୋʼ ଚରଣ ପାଇଁ ଜାଲ ପ୍ରସ୍ତୁତ କରିଅଛନ୍ତି;

ମୋʼ ପ୍ରାଣ ଅବନତ ହୋଇଅଛି;

ସେମାନେ ମୋʼ ସମ୍ମୁଖରେ ଗର୍ତ୍ତ ଖୋଳିଅଛନ୍ତି;

ମାତ୍ର ସେମାନେ ନିଜେ ତହିଁ ମଧ୍ୟରେ ପତିତ ହୋଇଅଛନ୍ତି। [ସେଲା]

7 ହେ ପରମେଶ୍ୱର, ମୋʼ ଚିତ୍ତ ସୁସ୍ଥିର ଅଛି, ମୋʼ ଚିତ୍ତ ସୁସ୍ଥିର ଅଛି;

ମୁଁ ଗାନ କରିବି, ହଁ, ମୁଁ ପ୍ରଶଂସା ଗାନ କରିବି।

8 ହେ ମୋହର ଗୌରବ, ଜାଗ୍ରତ ହୁଅ; ହେ ନେବଲ ଓ ବୀଣେ, ଜାଗ୍ରତ ହୁଅ;

ମୁଁ ନିଜେ ଅତି ପ୍ରଭାତରେ ଜାଗ୍ରତ ହେବି।

9 ହେ ପ୍ରଭୋ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ ଧନ୍ୟବାଦ ଦେବି;

ମୁଁ ଦେଶୀୟଗଣ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି।

10 କାରଣ ତୁମ୍ଭର ଦୟା ସ୍ୱର୍ଗ ପର୍ଯ୍ୟନ୍ତ ମହତ

ଓ ତୁମ୍ଭର ସତ୍ୟତା ଆକାଶ ପର୍ଯ୍ୟନ୍ତ।

11 ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ;

ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-