Publicidade

Salmos 33

ପ୍ରଶଂସା ଗୀତ

1 ହେ ଧାର୍ମିକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ଉଲ୍ଲାସ କର;

ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ।

2 ବୀଣାରେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ;

ଦଶତାର ନେବଲରେ ତାହାଙ୍କର ପ୍ରଶଂସା ଗାନ କର।

3 ତାହାଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କର;

ଉଚ୍ଚଧ୍ୱନିରେ ମନୋହର ବାଦ୍ୟକର।

4 କାରଣ ସଦାପ୍ରଭୁଙ୍କ ବାକ୍ୟ ଯଥାର୍ଥ;

ଆଉ ତାହାଙ୍କର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାରେ ସାଧିତ।

5 ସେ ଧାର୍ମିକତା ଓ ନ୍ୟାୟବିଚାର ଭଲ ପାଆନ୍ତି;

ପୃଥିବୀ ସଦାପ୍ରଭୁଙ୍କ ସ୍ନେହପୂର୍ଣ୍ଣ କରୁଣାରେ ପରିପୂର୍ଣ୍ଣ;

6 ଗଗନମଣ୍ଡଳ ସଦାପ୍ରଭୁଙ୍କ ବାକ୍ୟରେ,

ଆଉ ତହିଁର ସମସ୍ତ ବାହିନୀ ତାହାଙ୍କ ମୁଖର ନିଶ୍ୱାସରେ ନିର୍ମିତ।

7 ସେ ସମୁଦ୍ରର ଜଳସମୂହକୁ ରାଶି ତୁଲ୍ୟ ଏକତ୍ର କରନ୍ତି;

ସେ ବାରିଧିସମୂହକୁ ଭଣ୍ଡାରରେ ସଞ୍ଚୟ କରନ୍ତି।

8 ସମୁଦାୟ ପୃଥିବୀ ସଦାପ୍ରଭୁଙ୍କୁ ଭୟ କରୁ;

ଜଗନ୍ନିବାସୀ ସମସ୍ତେ ତାହାଙ୍କ ବିଷୟରେ ଭୀତ ହେଉନ୍ତୁ।

9 ସେ କହିବା ମାତ୍ରେ ସୃଷ୍ଟି ହେଲା,

ସେ ଆଜ୍ଞା କରିବା ମାତ୍ରେ ସ୍ଥିତି ହେଲା।

10 ସଦାପ୍ରଭୁ ଗୋଷ୍ଠୀୟମାନଙ୍କର ମନ୍ତ୍ରଣା ବ୍ୟର୍ଥ କରନ୍ତି;

ସେ ଜନବୃନ୍ଦର ସଂକଳ୍ପସବୁ ବିଫଳ କରନ୍ତି।

11 ସଦାପ୍ରଭୁଙ୍କ ମନ୍ତ୍ରଣା ଅନନ୍ତକାଳସ୍ଥାୟୀ;

ତାହାଙ୍କ ଚିତ୍ତର ସଂକଳ୍ପସବୁ ପୁରୁଷାନୁକ୍ରମେ ଥାଏ।

12 ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ;

ସେ ଯେଉଁ ଲୋକମାନଙ୍କୁ ଆପଣା ଅଧିକାରାର୍ଥେ ମନୋନୀତ କରିଅଛନ୍ତି, ସେମାନେ ଧନ୍ୟ।

13 ସଦାପ୍ରଭୁ ସ୍ୱର୍ଗରୁ ଦୃଷ୍ଟିପାତ କରନ୍ତି;

ସେ ସମସ୍ତ ଲୋକମାନଙ୍କୁ ନିରୀକ୍ଷଣ କରନ୍ତି;

14 ସେ ଆପଣା ନିବାସ-ସ୍ଥାନରୁ

ପୃଥିବୀନିବାସୀ ସମସ୍ତଙ୍କ ଉପରେ ଦୃଷ୍ଟିପାତ କରନ୍ତି;

15 ସେ ସମସ୍ତଙ୍କର ହୃଦୟ ଗଢ଼ନ୍ତି,

ସେ ସେମାନଙ୍କର କର୍ମସବୁ ନିରୀକ୍ଷଣ କରନ୍ତି।

16 କୌଣସି ରାଜା ଅପାର ସୈନ୍ୟ ଦ୍ୱାରା ଉଦ୍ଧାର ପାଏ ନାହିଁ;

କୌଣସି ବୀର ମହାଶକ୍ତି ଦ୍ୱାରା ଉଦ୍ଧାର ପାଏ ନାହିଁ।

17 ରକ୍ଷାର୍ଥେ ଅଶ୍ୱ ମିଥ୍ୟା;

କିଅବା ସେ ଆପଣା ମହାବଳ ଦ୍ୱାରା କାହାକୁ ରକ୍ଷା କରି ପାରିବ ନାହିଁ।

18 ଦେଖ, ଯେଉଁମାନେ ସଦାପ୍ରଭୁଙ୍କୁ ଭୟ କରନ୍ତି,

ତାହାଙ୍କ ଦୟାରେ ଭରସା ରଖନ୍ତି,

19 ସେମାନଙ୍କ ପ୍ରାଣ ମୃତ୍ୟୁୁରୁ ରକ୍ଷା କରିବା ପାଇଁ

ଓ ଦୁର୍ଭିକ୍ଷ ସମୟରେ ସେମାନଙ୍କୁ ବଞ୍ଚାଇବା ପାଇଁ

ସେମାନଙ୍କ ଉପରେ ତାହାଙ୍କର ଦୃଷ୍ଟି ଥାଏ।

20 ଆମ୍ଭମାନଙ୍କ ପ୍ରାଣ ସଦାପ୍ରଭୁଙ୍କ ଅପେକ୍ଷାରେ ରହିଅଛି;

ସେ ଆମ୍ଭମାନଙ୍କର ସହାୟ ଓ ଆମ୍ଭମାନଙ୍କର ଢାଲ।

21 ଆମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ଆନନ୍ଦ କରିବ,

କାରଣ ଆମ୍ଭେମାନେ ତାହାଙ୍କ ପବିତ୍ର ନାମରେ ବିଶ୍ୱାସ କରିଅଛୁ।

22 ହେ ସଦାପ୍ରଭୋ, ତୁମ୍ଭଠାରେ ଆମ୍ଭେମାନେ ଭରସା

କରିଥିବା ପ୍ରମାଣେ ଆମ୍ଭମାନଙ୍କ ପ୍ରତି ତୁମ୍ଭର ଦୟା ବର୍ତ୍ତୁ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-