Publicidade

Salmos 25

ଚାଳନା ଓ ସୁରକ୍ଷା ପାଇଁ ପ୍ରାର୍ଥନା
ଦାଉଦଙ୍କର ଗୀତ।

1 ହେ ସଦାପ୍ରଭୋ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ।

2 ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନିଏ,

ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ;

ମୋହର ଶତ୍ରୁମାନେ ମୋʼ ଉପରେ ଉଲ୍ଲାସ ନ କରନ୍ତୁ।

3 ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି,

ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ;

ଯେଉଁମାନେ ଅକାରଣରେ ବିଶ୍ୱାସଘାତକତା କରନ୍ତି, ସେମାନେ ଲଜ୍ଜିତ ହେବେ।

4 ହେ ସଦାପ୍ରଭୋ, ତୁମ୍ଭର ପଥସବୁ ମୋତେ ଦେଖାଅ;

ତୁମ୍ଭର ମାର୍ଗସବୁ ମୋତେ ଶିଖାଅ।

5 ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ;

କାରଣ ତୁମ୍ଭେ ମୋʼ ପରିତ୍ରାଣର ପରମେଶ୍ୱର ଅଟ;

ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ।

6 ହେ ସଦାପ୍ରଭୋ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର।

କାରଣ ତାହା ଅନାଦିକାଳୀନ।

7 ମୋʼ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ;

ହେ ସଦାପ୍ରଭୋ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର।

8 ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି;

ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ।

9 ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ

ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ।

10 ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି,

ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ।

11 ହେ ସଦାପ୍ରଭୋ, ଆପଣା ନାମ ସକାଶୁ

ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼।

12 ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ?

ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ।

13 ତାହାର ପ୍ରାଣ କୁଶଳରେ ବାସ କରିବ

ଓ ତାହାର ବଂଶ ଦେଶ ଅଧିକାର କରିବେ।

14 ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ;

ଆଉ, ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ।

15 ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏ;

କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ।

16 ମୋʼ ପ୍ରତି ଫେର ଓ ମୋʼ ପ୍ରତି ଦୟା କର;

କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ।

17 ମୋʼ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି;

ତୁମ୍ଭେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର।

18 ମୋହର କ୍ଳେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର;

ପୁଣି, ମୋହର ପାପସବୁ କ୍ଷମା କର।

19 ମୋହର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ;

ସେମାନେ ଦାରୁଣ ଘୃଣା ଭାବରେ ମୋତେ ଘୃଣା କରନ୍ତି।

20 ମୋʼ ପ୍ରାଣକୁ ରକ୍ଷା କର ଓ ମୋତେ ଉଦ୍ଧାର କର;

ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମ୍ଭଠାରେ ଶରଣ ନେଇଅଛି।

21 ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ,

କାରଣ ମୁଁ ତୁମ୍ଭର ଅନୁସରଣ କରେ।

22 ହେ ପରମେଶ୍ୱର, ଇସ୍ରାଏଲକୁ ତାହାର ସମସ୍ତ

ତାହାର ସମସ୍ତ ସଙ୍କଟରୁ ମୁକ୍ତ କର।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-