Publicidade

Salmos 139

ସର୍ବଜ୍ଞାତା ମଙ୍ଗଳମୟ ସଦାପ୍ରଭୁ
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1 ହେ ସଦାପ୍ରଭୋ, ତୁମ୍ଭେ ମୋହର ଅନୁସନ୍ଧାନ କରିଅଛ

ଓ ମୋହର ପରିଚୟ ନେଇଅଛ।

2 ତୁମ୍ଭେ ମୋହର ବସିବାର ଓ ଉଠିବାର ଜାଣୁଅଛ,

ତୁମ୍ଭେ ଦୂରରୁ ମୋହର ସଂକଳ୍ପ ବୁଝୁଅଛ।

3 ତୁମ୍ଭେ ମୋହର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ,

ଆଉ ମୋହର ସକଳ ଗତି ଜାଣୁଅଛ।

4 କାରଣ ହେ ସଦାପ୍ରଭୋ, ଦେଖ, ଯାହା ତୁମ୍ଭଙ୍କୁ ସମ୍ପୂର୍ଣ୍ଣ ଗୋଚର ନୁହେଁ,

ଏପରି ଗୋଟିଏ କଥା ମୋʼ ଜିହ୍ୱାରେ ନାହିଁ।

5 ତୁମ୍ଭେ ମୋତେ ପଛରେ ଓ ଆଗରେ ଘେରିଅଛ

ଓ ମୋʼ ଉପରେ ଆପଣା ହସ୍ତ ରଖିଅଛ।

6 ଏହି ପ୍ରକାର ଜ୍ଞାନ ମୋʼ ପ୍ରତି ଅତି ଆଶ୍ଚର୍ଯ୍ୟ;

ତାହା ଉଚ୍ଚ, ମୋʼ ବୋଧର ଅଗମ୍ୟ।

7 ତୁମ୍ଭ ଆତ୍ମାଠାରୁ ମୁଁ କେଉଁଠାକୁ ଯିବି?

ଅବା ତୁମ୍ଭ ସାକ୍ଷାତରୁ ମୁଁ କେଉଁଠାକୁ ପଳାଇବି?

8 ଯଦି ମୁଁ ସ୍ୱର୍ଗକୁ ଆରୋହଣ କରେ, ତେବେ ତୁମ୍ଭେ ସେଠାରେ।

ଯଦି ମୁଁ ପାତାଳରେ ବିଛଣା କରେ, ତେବେ ଦେଖ, ତୁମ୍ଭେ ସେଠାରେ

9 ଯଦି ମୁଁ ଅରୁଣର ପକ୍ଷ ଧରେ

ଓ ସମୁଦ୍ରର ପ୍ରାନ୍ତସୀମାରେ ବାସ କରେ;

10 ସେଠାରେ ହେଁ ତୁମ୍ଭର ହସ୍ତ ମୋତେ ଚଳାଇବ

ଓ ତୁମ୍ଭର ଦକ୍ଷିଣ ହସ୍ତ ମୋତେ ଧରିବ।

11 ଯଦି ମୁଁ କହେ, ନିଶ୍ଚୟ ଅନ୍ଧକାର ମୋତେ ମଗ୍ନ କରିବ

ଓ ମୋʼ ଚତୁର୍ଦ୍ଦିଗସ୍ଥ ଆଲୁଅ ରାତ୍ରି ହେବ,

12 ତେବେ ଅନ୍ଧକାର ହିଁ ତୁମ୍ଭଠାରୁ ଲୁଚାଏ ନାହିଁ,

ବରଞ୍ଚ ରାତ୍ରି ଦିବସ ପରି ଦୀପ୍ତିମାନ ହୁଏ;

ତୁମ୍ଭ ପ୍ରତି ଅନ୍ଧାର ଓ ଆଲୁଅ ଦୁଇ ସମାନ।

13 କାରଣ ତୁମ୍ଭେ ମୋହର ମର୍ମର କର୍ତ୍ତା;

ତୁମ୍ଭେ ମୋତେ ମାତୃଗର୍ଭରେ ଆଚ୍ଛାଦନ କରିଅଛ।

14 ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି; କାରଣ ମୁଁ ଭୟଙ୍କର ଓ ଆଶ୍ଚର୍ଯ୍ୟ ରୂପେ ନିର୍ମିତ;

ତୁମ୍ଭର କର୍ମସକଳ ଆଶ୍ଚର୍ଯ୍ୟ;

ଏହା ମୁଁ ଭଲ ରୂପେ ଜାଣେ।

15 ମୁଁ ଗୋପନରେ ନିର୍ମିତ ଓ ପୃଥିବୀର ଅଧଃସ୍ଥାନରେ

ଶିଳ୍ପିତ ହେବା ସମୟରେ ମୋହର ଅସ୍ଥିପଞ୍ଜର ତୁମ୍ଭଠାରୁ ଗୁପ୍ତ ନ ଥିଲା।

16 ତୁମ୍ଭ ଚକ୍ଷୁ ମୋହର ସେହି ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଲା

ଓ ମୋହର ଯେଉଁସବୁ ଅଙ୍ଗପ୍ରତ୍ୟଙ୍ଗ ଦିନକୁ ଦିନ ଗଠିତ ହେଲା,

ତନ୍ମଧ୍ୟରୁ ଗୋଟିଏ ହେଲେ ନ ହେଉଣୁ ତାହାସବୁ ତୁମ୍ଭ ପୁସ୍ତକରେ ଲିଖିତ ଥିଲା।

17 ହେ ପରମେଶ୍ୱର, ଆହୁରି ତୁମ୍ଭର ସଂକଳ୍ପସକଳ ମୋʼ ପ୍ରତି କିପରି ବହୁମୂଲ୍ୟ!

ତହିଁର ସଂଖ୍ୟା କିପରି ଅଧିକ!

18 ମୁଁ ସେସବୁ ଗଣନା କରିବାକୁ ଗଲେ, ତାହା ସଂଖ୍ୟାରେ ବାଲୁକା ଅପେକ୍ଷା ଅଧିକ;

ଯେତେବେଳେ ମୁଁ ଜାଗ୍ରତ ହୁଏ, ସେତେବେଳେ ହେଁ ମୁଁ ତୁମ୍ଭ ନିକଟରେ ଥାଏ।

19 ହେ ପରମେଶ୍ୱର, ତୁମ୍ଭେ ନିଶ୍ଚୟ ଦୁଷ୍ଟମାନଙ୍କୁ ବଧ କରିବ;

ଏହେତୁ ହେ ହତ୍ୟାକାରୀ ଲୋକମାନେ, ତୁମ୍ଭେମାନେ ମୋʼ ନିକଟରୁ ଦୂର ହୁଅ।

20 କାରଣ ସେମାନେ ଦୁଷ୍ଟ ଭାବରେ ତୁମ୍ଭ ବିରୁଦ୍ଧରେ କଥା କହନ୍ତି

ଓ ତୁମ୍ଭ ଶତ୍ରୁମାନେ ବ୍ୟର୍ଥରେ ତୁମ୍ଭ ନାମ ଧରନ୍ତି।

21 ହେ ସଦାପ୍ରଭୋ, ତୁମ୍ଭ ଘୃଣାକାରୀମାନଙ୍କୁ ମୁଁ କʼଣ ଘୃଣା କରୁ ନାହିଁ?

ଓ ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଉଠନ୍ତି, ସେମାନଙ୍କ ପ୍ରତି ମୁଁ କʼଣ ବିରକ୍ତ ହେଉ ନାହିଁ?

22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ଘୃଣାରେ ଘୃଣା କରେ;

ମୁଁ ସେମାନଙ୍କୁ ଆପଣାର ଶତ୍ରୁ ବୋଲି ଜ୍ଞାନ କରେ।

23 ହେ ପରମେଶ୍ୱର, ମୋହର ଅନୁସନ୍ଧାନ କର ଓ ମୋʼ ଅନ୍ତଃକରଣର ପରିଚୟ ନିଅ;

ମୋତେ ପରୀକ୍ଷା କର ଓ ମୋହର ସଂକଳ୍ପସବୁ ଜ୍ଞାତ ହୁଅ;

24 ଆଉ, ମୋʼ ଅନ୍ତରରେ ଦୁଷ୍ଟତାର କୌଣସି ଆଚରଣ ଅଛି କି ନାହିଁ, ଏହା ଦେଖ,

ପୁଣି, ଅନନ୍ତ ପଥରେ ମୋତେ ଗମନ କରାଅ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-18_10-32-54-