Publicidade

Salmos 9

ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବି
ପ୍ରଧାନ ବାଦ୍ୟକର ନିମନ୍ତେ, ମୂତ୍‍-ଲବ୍ବନ୍‍ ସ୍ୱରରେ ଦାଉଦଙ୍କର ଗୀତ।

1 ମୁଁ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି;

ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବି।

2 ମୁଁ ତୁମ୍ଭଠାରେ ଆନନ୍ଦ ଓ ଉଲ୍ଲାସ କରିବି;

ହେ ସର୍ବୋପରିସ୍ଥ, ମୁଁ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।

3 ମୋହର ଶତ୍ରୁମାନେ ଫେରିଯିବା ବେଳେ

ତୁମ୍ଭ ସାକ୍ଷାତରେ ଝୁଣ୍ଟି ପଡ଼ି ବିନଷ୍ଟ ହୁଅନ୍ତି।

4 କାରଣ ତୁମ୍ଭେ ମୋହର ବିଚାର ଓ ବିବାଦ ନିଷ୍ପନ୍ନ କରିଅଛ;

ତୁମ୍ଭେ ସିଂହାସନରେ ବସି ଧର୍ମବିଚାର କରିଅଛ।

5 ତୁମ୍ଭେ ଗୋଷ୍ଠୀୟମାନଙ୍କୁ ଅନୁଯୋଗ କରିଅଛ, ତୁମ୍ଭେ

ତୁମ୍ଭ ଦୁଷ୍ଟମାନଙ୍କୁ ସଂହାର କରିଅଛ,

ତୁମ୍ଭେ ଅନନ୍ତକାଳ ନିମନ୍ତେ ସେମାନଙ୍କ ନାମ ଲିଭାଇ ଦେଇଅଛ।

6 ଶତ୍ରୁମାନେ ଅଦୃଶ୍ୟ ହୋଇଅଛନ୍ତି,

ସେମାନେ ସଦାକାଳ ଉଚ୍ଛିନ୍ନ ହୋଇଅଛନ୍ତି;

ତୁମ୍ଭେ ନଗରମାନଙ୍କୁ ଉତ୍ପାଟନ କରିଅଛ, ସେମାନଙ୍କର ସ୍ମରଣ ସୁଦ୍ଧା ଲୁପ୍ତ ହୋଇଅଛି।

7 ମାତ୍ର ସଦାପ୍ରଭୁ ଅନନ୍ତକାଳ ରାଜା ରୂପେ ଉପବିଷ୍ଟ;

ସେ ବିଚାରାର୍ଥେ ଆପଣା ସିଂହାସନ ପ୍ରସ୍ତୁତ କରିଅଛନ୍ତି।

8 ପୁଣି, ସେ ଧର୍ମରେ ଜଗତକୁ ବିଚାର କରିବେ,

ସେ ନ୍ୟାୟରେ ଗୋଷ୍ଟୀୟମାନଙ୍କର ବିଚାର ସାଧନ କରିବେ।

9 ମଧ୍ୟ ସଦାପ୍ରଭୁ ଉପଦ୍ରବଗ୍ରସ୍ତମାନଙ୍କ ନିମନ୍ତେ ଉଚ୍ଚ ଦୁର୍ଗ ହେବେ।

ସଙ୍କଟ ସମୟରେ ଉଚ୍ଚ ଦୁର୍ଗ ହେବେ;

10 ଯେଉଁମାନେ ତୁମ୍ଭ ନାମ ଜାଣନ୍ତି, ସେମାନେ ତୁମ୍ଭଠାରେ ବିଶ୍ୱାସ କରିବେ;

କାରଣ ହେ ସଦାପ୍ରଭୋ, ତୁମ୍ଭେ ଆପଣା ଅନ୍ୱେଷଣକାରୀମାନଙ୍କୁ ପରିତ୍ୟାଗ କରି ନାହଁ।

11 ସିୟୋନ ନିବାସୀ, ସଦାପ୍ରଭୁଙ୍କର ପ୍ରଶଂସା ଗାନ କର;

ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସବୁ ପ୍ରଚାର କର।

12 କାରଣ ଯେ ରକ୍ତପାତର ଅନୁସନ୍ଧାନ କରନ୍ତି, ସେ ସେମାନଙ୍କୁ ସ୍ମରଣ କରନ୍ତି;

ସେ ଦୁଃଖୀମାନଙ୍କର କ୍ରନ୍ଦନ ଭୁଲନ୍ତି ନାହିଁ।

13 ହେ ସଦାପ୍ରଭୋ, ହେ ମୃତ୍ୟୁୁଦ୍ୱାରରୁ ମୋହର ଉଠାଇବା କର୍ତ୍ତା,

ମୋʼ ପ୍ରତି ଦୟା କର; ମୁଁ ଘୃଣାକାରୀମାନଙ୍କଠାରୁ ଯେଉଁ କ୍ଳେଶ ଭୋଗ କରେ, ତହିଁ ପ୍ରତି ଦୃଷ୍ଟି କର।

14 ତହିଁରେ ମୁଁ ତୁମ୍ଭର ସକଳ ପ୍ରଶଂସା ପ୍ରକାଶ କରିବି।

ସିୟୋନ କନ୍ୟାର ନଗର-ଦ୍ୱାରରେ

ମୁଁ ତୁମ୍ଭ କୃତ ପରିତ୍ରାଣରେ ଉଲ୍ଲାସ କରିବି।

15 ଗୋଷ୍ଠୀୟମାନେ ଆପଣାମାନଙ୍କ ଚୋରାଗର୍ତ୍ତରେ ମଗ୍ନ ହୋଇଅଛନ୍ତି;

ସେମାନେ ଗୋପନରେ ଯେଉଁ ଜାଲ ପାତିଥିଲେ, ତହିଁରେ ସେମାନଙ୍କ ନିଜ ପାଦ ଧରା ଯାଇଅଛି।

16 ସଦାପ୍ରଭୁ ଆପଣାର ପରିଚୟ ଦେଇଅଛନ୍ତି, ସେ ବିଚାର ସାଧନ କରିଅଛନ୍ତି;

ଦୁଷ୍ଟ ନିଜ ହସ୍ତର କର୍ମପାଶରେ ବଦ୍ଧ ହୋଇଅଛି। [ହିଗାୟୋନ୍‍, ସେଲା]

17 ଦୁଷ୍ଟମାନେ ଓ ଯେଉଁ ଗୋଷ୍ଠୀୟମାନେ ପରମେଶ୍ୱରଙ୍କୁ ପାସୋରନ୍ତି,

ସେମାନେ ସମସ୍ତେ ପାତାଳକୁ ଚାଲିଯିବେ।

18 କାରଣ ଦୀନହୀନ ସର୍ବଦା ବିସ୍ମୃତ ନୋହିବ, ଅବା

ଦରିଦ୍ରର ପ୍ରତ୍ୟାଶା ସର୍ବଦା ବିନଷ୍ଟ ନୋହିବ।

19 ହେ ସଦାପ୍ରଭୋ, ଉଠ; ମନୁଷ୍ୟକୁ ପ୍ରବଳ ହେବାକୁ ଦିଅ ନାହିଁ;

ଗୋଷ୍ଠୀୟମାନେ ତୁମ୍ଭ ସାକ୍ଷାତରେ ବିଚାରିତ ହେଉନ୍ତୁ।

20 ହେ ସଦାପ୍ରଭୋ, ସେମାନଙ୍କୁ ଭୟଗ୍ରସ୍ତ କର;

ଗୋଷ୍ଠୀୟମାନେ ଆପଣାମାନଙ୍କୁ ମନୁଷ୍ୟ ମାତ୍ର ବୋଲି ଜାଣନ୍ତୁ। [ସେଲା]

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-