Publicidade

Salmos 5

ନିରାପତ୍ତା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ବଂଶୀ ଯନ୍ତ୍ରରେ ଦାଉଦଙ୍କର ଗୀତ।

1 ହେ ସଦାପ୍ରଭୋ, ମୋʼ ବାକ୍ୟରେ କର୍ଣ୍ଣ ଦିଅ,

ମୋହର କାକୂକ୍ତି ବିବେଚନା କର।

2 ହେ ମୋହର ରାଜନ୍‍, ହେ ମୋହର ପରମେଶ୍ୱର, ମୋହର ଆର୍ତ୍ତରବରେ ମନୋଯୋଗ କର,

କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ।

3 ହେ ସଦାପ୍ରଭୋ, ତୁମ୍ଭେ ପ୍ରାତଃକାଳରେ ମୋହର ରବ ଶୁଣିବ;

ମୁଁ ପ୍ରାତଃକାଳରେ ତୁମ୍ଭ ନିକଟରେ ଆପଣା ପ୍ରାର୍ଥନା ସଜାଇବି ଓ ଜଗି ରହିବି।

4 କାରଣ ତୁମ୍ଭେ ଦୁଷ୍ଟତାରେ ସନ୍ତୁଷ୍ଟ ପରମେଶ୍ୱର ନୁହଁ;

ମନ୍ଦ ତୁମ୍ଭ ସଙ୍ଗେ ପ୍ରବାସ କରିବ ନାହିଁ।

5 ଅହଙ୍କାରୀ ତୁମ୍ଭ ସାକ୍ଷାତରେ ଠିଆ ହେବ ନାହିଁ;

ତୁମ୍ଭେ ସମସ୍ତ ଅଧର୍ମାଚାରୀଙ୍କୁ ଘୃଣା କରୁଅଛ।

6 ତୁମ୍ଭେ ମିଥ୍ୟାବାଦୀମାନଙ୍କୁ ବିନାଶ କରିବ;

ସଦାପ୍ରଭୁ ହତ୍ୟାକାରୀ ଓ ପ୍ରବଞ୍ଚକ ଲୋକକୁ ଘୃଣା କରନ୍ତି।

7 ମାତ୍ର ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର ବାହୁଲ୍ୟରେ, ତୁମ୍ଭ ଗୃହକୁ ଆସିବି;

ମୁଁ ତୁମ୍ଭ ଭୟରେ ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ପ୍ରଣାମ କରିବି।

8 ହେ ସଦାପ୍ରଭୋ, ମୋʼ ଶତ୍ରୁଗଣ ସକାଶୁ ତୁମ୍ଭେ

ଆପଣା ଧର୍ମଗୁଣରେ ମୋତେ ପଥ କଢ଼ାଇ ନିଅ;

ମୋʼ ସମ୍ମୁଖରେ ତୁମ୍ଭର ପଥ ସରଳ କର।

9 କାରଣ ସେମାନଙ୍କ ମୁଖରେ କିଛି ବିଶ୍ୱସ୍ତତା ନାହିଁ;

ସେମାନଙ୍କ ଅନ୍ତଃକରଣ ଦୁଷ୍ଟତାମୟ;

ସେମାନଙ୍କ ଗଳାର ନଳୀ ଅନାବୃତ କବର ସ୍ୱରୂପ;

ସେମାନେ ଜିହ୍ୱାରେ ଚାଟୁବାଦ କରନ୍ତି।

10 ହେ ପରମେଶ୍ୱର, ସେମାନଙ୍କୁ ଦୋଷୀ କର;

ସେମାନେ ଆପଣାମାନଙ୍କ ମନ୍ତ୍ରଣା ଦ୍ୱାରା ପତିତ ହେଉନ୍ତୁ;

ସେମାନଙ୍କ ଅପରାଧର ବାହୁଲ୍ୟରେ ସେମାନଙ୍କୁ ତଡ଼ି ଦିଅ;

କାରଣ ସେମାନେ ତୁମ୍ଭ ପ୍ରତିକୂଳରେ ବିଦ୍ରୋହ କରିଅଛନ୍ତି।

11 ମାତ୍ର ତୁମ୍ଭର ଶରଣାଗତ ଲୋକ ସମସ୍ତେ ଆନନ୍ଦ କରନ୍ତୁ;

ସେମାନେ ଆନନ୍ଦ ସକାଶୁ ସର୍ବଦା ଜୟଧ୍ୱନି କରନ୍ତୁ; କାରଣ ତୁମ୍ଭେ ସେମାନଙ୍କୁ ରକ୍ଷା କରୁଅଛ;

ଆହୁରି, ଯେଉଁମାନେ ତୁମ୍ଭ ନାମକୁ ପ୍ରେମ କରନ୍ତି, ସେମାନେ ତୁମ୍ଭଠାରେ ଉଲ୍ଲସିତ ହେଉନ୍ତୁ।

12 ଯେଣୁ ତୁମ୍ଭେ ଧାର୍ମିକକୁ ଆଶୀର୍ବାଦ କରିବ; ହେ ସଦାପ୍ରଭୋ,

ତୁମ୍ଭେ ତାହାକୁ ଢାଲ ପରି ଅନୁଗ୍ରହରେ ବେଷ୍ଟନ କରିବ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-