Publicidade

Salmos 46

ସହବର୍ତ୍ତୀ ପରମେଶ୍ୱର
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ; ଅଲ୍‍ମୋତ୍‍ ସ୍ୱରର ଗୀତ।

1 ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ,

ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ।

2 ଏଥିପାଇଁ ପୃଥିବୀ ପରିବର୍ତ୍ତିତ ହେଲେ ହେଁ ଓ ପର୍ବତଗଣ

ସମୁଦ୍ର ମଧ୍ୟରେ ବିଚଳିତ ହେଲେ ହେଁ;

3 ତହିଁର ଜଳରାଶି ଗର୍ଜ୍ଜନ କରି ପ୍ରବଳ ହେଲେ ହେଁ,

ତହିଁର ପ୍ଲାବନରେ ପର୍ବତଗଣ କମ୍ପିତ ହେଲେ ହେଁ

ଆମ୍ଭେମାନେ ଭୟ କରିବା ନାହିଁ। [ସେଲା]

4 ନଦୀ ଗୋଟିଏ ଅଛି, ତହିଁର ସ୍ରୋତସମୂହ

ପରମେଶ୍ୱରଙ୍କ ନଗରକୁ,

ସର୍ବୋପରିସ୍ଥଙ୍କ ଆବାସର ପବିତ୍ର ସ୍ଥାନକୁ ଆନନ୍ଦିତ କରେ।

5 ପରମେଶ୍ୱର ସେହି ନଗରର ମଧ୍ୟବର୍ତ୍ତୀ; ତାହା ବିଚଳିତ ହେବ ନାହିଁ।

ପରମେଶ୍ୱର ଅତି ପ୍ରଭାତରେ ତାହାର ସାହାଯ୍ୟ କରିବେ।

6 ଗୋଷ୍ଠୀସବୁ ଗର୍ଜ୍ଜନ କଲେ, ରାଜ୍ୟସବୁ ବିଚଳିତ ହେଲେ;

ସେ ଆପଣା ରବ ଉଚ୍ଚାରଣ କଲେ, ପୃଥିବୀ ତରଳି ଗଲା।

7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ,

ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି।

8 ଆସ, ସଦାପ୍ରଭୁଙ୍କର କାର୍ଯ୍ୟସବୁ ଦେଖ,

ସେ ପୃଥିବୀରେ କି ପ୍ରକାର ଉଜାଡ଼ କରିଅଛନ୍ତି!

9 ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରନ୍ତି;

ସେ ଧନୁ ଭାଙ୍ଗି ପକାନ୍ତି ଓ ବର୍ଚ୍ଛା କାଟି ଖଣ୍ଡ ଖଣ୍ଡ କରନ୍ତି;

ସେ ରଥସବୁ ଅଗ୍ନିରେ ପୋଡ଼ି ପକାନ୍ତି।

10 "କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ;

ଆମ୍ଭେ ଦେଶୀୟମାନଙ୍କ ମଧ୍ୟରେ ଉନ୍ନତ ହେବୁ,

ଆମ୍ଭେ ପୃଥିବୀରେ ଉନ୍ନତ ହେବୁ।"

11 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ;

ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି। [ସେଲା]

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-