Publicidade

Salmos 119

ପରମେଶ୍ୱରଙ୍କ ବ୍ୟବସ୍ଥା
ଆଲେଫ୍‍।

1 ଯେଉଁମାନେ ଆଚରଣରେ ସିଦ୍ଧ,

ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, ସେମାନେ ଧନ୍ୟ।

2 ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି,

ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ।

3 ସେମାନେ କୌଣସି ଅଧର୍ମ କରନ୍ତି ନାହିଁ;

ସେମାନେ ତାହାଙ୍କ ପଥରେ ଗମନ କରନ୍ତି।

4 ଆମ୍ଭେମାନେ ଯତ୍ନପୂର୍ବକ ଯେପରି ତୁମ୍ଭର ବିଧାନସବୁ ପାଳନ କରିବା,

ଏଥିପାଇଁ ତୁମ୍ଭେ ତାହାସବୁ ଆଜ୍ଞା କରିଅଛ।

5 ଆହା, ତୁମ୍ଭର ବିଧିସକଳ ପାଳନ କରିବା ପାଇଁ ଯଦି

ମୋହର ଗତି ସୁସ୍ଥିର ହୁଅନ୍ତା!

6 ତୁମ୍ଭର ସକଳ ଆଜ୍ଞା ପ୍ରତି ଦୃଷ୍ଟି ରଖିବା ବେଳେ

ମୁଁ ଲଜ୍ଜିତ ହେବି ନାହିଁ।

7 ତୁମ୍ଭର ଧର୍ମମୟ ଶାସନସକଳ ଶିଖିବା ବେଳେ

ମୁଁ ଅନ୍ତଃକରଣର ସରଳତାରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି।

8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି;

ମୋତେ ନିତାନ୍ତ ପରିତ୍ୟାଗ କର ନାହିଁ।

ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନ
ବୈତ୍‍।

9 ଯୁବା ମନୁଷ୍ୟ କିପ୍ରକାରେ ଆପଣା ପଥ ପରିଷ୍କାର କରିବ?

ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ।

10 ମୁଁ ସର୍ବାନ୍ତଃକରଣରେ ତୁମ୍ଭଙ୍କୁ ଖୋଜିଅଛି;

ମୋତେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମିବାକୁ ଦିଅ ନାହିଁ।

11 ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ,

ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି।

12 ହେ ସଦାପ୍ରଭୋ, ତୁମ୍ଭେ ଧନ୍ୟ;

ତୁମ୍ଭର ବିଧିସବୁ ମୋତେ ଶିଖାଅ।

13 ମୁଁ ତୁମ୍ଭ ମୁଖନିର୍ଗତ ଶାସନସକଳ

ଆପଣା ଓଷ୍ଠାଧରରେ ବର୍ଣ୍ଣନା କରିଅଛି।

14 ଯେପରି ସମୁଦାୟ ଧନରେ,

ସେପରି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୂପ ପଥରେ ଆମୋଦ କରିଅଛି।

15 ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି

ଓ ତୁମ୍ଭ ପଥ ପ୍ରତି ଦୃଷ୍ଟି ରଖିବି।

16 ମୁଁ ତୁମ୍ଭ ବିଧିସବୁରେ ଆନନ୍ଦ କରିବି;

ମୁଁ ତୁମ୍ଭର ବାକ୍ୟ ପାସୋରିବି ନାହିଁ।

ପରମେଶ୍ୱରଙ୍କ ବ୍ୟବସ୍ଥା ସୁଖକର
ଗିମେଲ୍‍।

17 ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର;

ତହୁଁ ମୁଁ ତୁମ୍ଭ ବାକ୍ୟ ପାଳନ କରିବି।

18 ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର,

ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।

19 ମୁଁ ପୃଥିବୀରେ ପ୍ରବାସୀ;

ତୁମ୍ଭର ଆଜ୍ଞାସବୁ ମୋʼ ଠାରୁ ଲୁଚାଅ ନାହିଁ।

20 ସର୍ବଦା ତୁମ୍ଭ ଶାସନସକଳ ଆକାଂକ୍ଷା କରିବା ସକାଶୁ

ମୋʼ ପ୍ରାଣ କ୍ଷୀଣ ହୁଏ।

21 ଯେଉଁ ଅଭିଶପ୍ତ ଅହଙ୍କାରୀମାନେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମନ୍ତି,

ତୁମ୍ଭେ ସେମାନଙ୍କୁ ଧମକାଇଅଛ।

22 ମୋʼ ଠାରୁ ନିନ୍ଦା ଓ ଅପମାନ ଦୂର କର;

କାରଣ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ପାଳନ କରିଅଛି।

23 ଅଧିପତିମାନେ ମଧ୍ୟ ବସି ମୋʼ ବିରୁଦ୍ଧରେ କଥା କହିଲେ;

ମାତ୍ର ତୁମ୍ଭର ଦାସ ତୁମ୍ଭ ବିଧିସକଳ ଧ୍ୟାନ କଲା।

24 ତୁମ୍ଭର ସକଳ ପ୍ରମାଣ-ବାକ୍ୟ ମଧ୍ୟ

ମୋହର ଆନନ୍ଦଜନକ ଓ ମନ୍ତ୍ରଣାଦାୟକ।

ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ ଦୃଢ ସଂକଳ୍ପ
ଦାଲତ୍‍।

25 ମୋହର ପ୍ରାଣ ଧୂଳିରେ ଲାଗୁଅଛି;

ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର।

26 ମୁଁ ଆପଣାର ସକଳ ଗତି ବର୍ଣ୍ଣନା କରନ୍ତେ, ତୁମ୍ଭେ ମୋତେ ଉତ୍ତର ଦେଲ;

ତୁମ୍ଭର ବିଧିସବୁ ମୋତେ ଶିଖାଅ।

27 ତୁମ୍ଭେ ଆପଣା ଆଜ୍ଞା-ପଥସବୁ ମୋତେ ବୁଝାଇ ଦିଅ;

ତହିଁରେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟଶିକ୍ଷାସବୁ ଧ୍ୟାନ କରିବି।

28 ଶୋକ ସକାଶୁ ମୋʼ ପ୍ରାଣ ତରଳି ଯାଏ;

ତୁମ୍ଭେ ଆପଣା ବାକ୍ୟାନୁସାରେ ମୋତେ ସବଳ କର।

29 ମୋʼ ଠାରୁ ମିଥ୍ୟାମାର୍ଗ ଅନ୍ତର କର

ଓ ଅନୁଗ୍ରହ କରି ମୋତେ ତୁମ୍ଭର ବ୍ୟବସ୍ଥା ପ୍ରଦାନ କର।

30 ମୁଁ ବିଶ୍ୱସ୍ତତାରୂପ ପଥ ମନୋନୀତ କରିଅଛି;

ମୁଁ ଆପଣା ସମ୍ମୁଖରେ ତୁମ୍ଭର ଶାସନସବୁ ରଖିଅଛି।

31 ମୁଁ ତୁମ୍ଭ ପ୍ରମାଣ-ବାକ୍ୟସବୁରେ ଆସକ୍ତ;

ହେ ସଦାପ୍ରଭୋ, ମୋତେ ଲଜ୍ଜିତ କର ନାହିଁ।

32 ତୁମ୍ଭେ ମୋହର ହୃଦୟ ପ୍ରଶସ୍ତ କରିବା ବେଳେ

ମୁଁ ତୁମ୍ଭ ଆଜ୍ଞା-ପଥରେ ଧାବମାନ ହେବି।

ବୋଧଶକ୍ତି ପାଇଁ ପ୍ରାର୍ଥନା
ହେ।

33 ହେ ସଦାପ୍ରଭୋ, ତୁମ୍ଭର ବିଧିରୂପ ପଥ ମୋତେ ଶିଖାଅ;

ତହିଁରେ ମୁଁ ଶେଷ ପର୍ଯ୍ୟନ୍ତ ତାହା ପାଳନ କରିବି।

34 ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ତୁମ୍ଭର ବ୍ୟବସ୍ଥା ମାନିବି;

ଆହୁରି, ମୁଁ ଆପଣା ସର୍ବାନ୍ତଃକରଣରେ ତାହା ପାଳନ କରିବି।

35 ତୁମ୍ଭ ଆଜ୍ଞା-ପଥରେ ମୋତେ ଗମନ କରାଅ;

କାରଣ ତହିଁରେ ମୁଁ ଆନନ୍ଦ କରେ।

36 ଲୋଭ ପ୍ରତି ନୁହେଁ, ମାତ୍ର ତୁମ୍ଭ ପ୍ରମାଣ-ବାକ୍ୟ

ପ୍ରତି ମୋʼ ଚିତ୍ତର ସ୍ନେହ ଜନ୍ମାଅ।

37 ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ

ଓ ତୁମ୍ଭ ପଥରେ ମୋତେ ସଚେତ କର।

38 ତୁମ୍ଭ ଦାସ ପକ୍ଷରେ ତୁମ୍ଭର ବାକ୍ୟ ସ୍ଥିର କର,

ତାହା ତୁମ୍ଭ ବିଷୟକ ଭୟ-ସଂଯୁକ୍ତ।

39 ମୋହର ଭୟଜନକ ନିନ୍ଦା ଦୂର କର;

କାରଣ ତୁମ୍ଭର ଶାସନସକଳ ଉତ୍ତମ।

40 ଦେଖ, ମୁଁ ତୁମ୍ଭ ବିଧାନସକଳର ଆକାଂକ୍ଷା କରିଅଛି;

ତୁମ୍ଭ ଧର୍ମରେ ମୋତେ ସଚେତ କର।

ପରମେଶ୍ୱରଙ୍କ ବ୍ୟବସ୍ଥା ଉପରେ ନିର୍ଭର
ବୌ।

41 ହେ ସଦାପ୍ରଭୋ, ତୁମ୍ଭ ଦୟା, ଅର୍ଥାତ୍‍, ତୁମ୍ଭ

ବାକ୍ୟାନୁସାରେ ତୁମ୍ଭ ପରିତ୍ରାଣ ମୋʼ ପ୍ରତି ବର୍ତ୍ତୁ।

42 ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେବି;

କାରଣ ମୁଁ ତୁମ୍ଭ ବାକ୍ୟରେ ନିର୍ଭର ରଖେ।

43 ପୁଣି, ମୋʼ ମୁଖରୁ ସତ୍ୟତାର ବାକ୍ୟ କଦାପି ନିଅ ନାହିଁ;

କାରଣ ମୁଁ ତୁମ୍ଭ ଶାସନରେ ଭରସା ରଖିଅଛି।

44 ତହିଁରେ ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ନିରନ୍ତର

ତୁମ୍ଭର ବ୍ୟବସ୍ଥା ପାଳନ କରିବି।

45 ଆଉ, ମୁଁ ସ୍ୱଚ୍ଛନ୍ଦରେ ଗମନାଗମନ କରିବି;

କାରଣ ମୁଁ ତୁମ୍ଭର ବିଧାନସବୁ ଖୋଜିଅଛି।

46 ଆହୁରି, ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର ପ୍ରମାଣ-ବାକ୍ୟ ବିଷୟ କହିବି

ଓ ଲଜ୍ଜିତ ନୋହିବି।

47 ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି,

ତହିଁରେ ଆପଣାକୁ ଆନନ୍ଦିତ କରିବି।

48 ଆହୁରି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି,

ତହିଁ ନିକଟରେ କୃତାଞ୍ଜଳି ହେବି;

ପୁଣି, ମୁଁ ତୁମ୍ଭର ବିଧିସବୁ ଧ୍ୟାନ କରିବି।

ପରମେଶ୍ୱରଙ୍କ ବ୍ୟବସ୍ଥାରେ ବିଶ୍ୱାସ
ସୟିନ୍‍।

49 ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ

ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର।

50 ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା;

କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି।

51 ଅହଙ୍କାରୀମାନେ ମୋତେ ଅତିଶୟ ପରିହାସ କରିଅଛନ୍ତି,

ତଥାପି ମୁଁ ତୁମ୍ଭ ବ୍ୟବସ୍ଥାରୁ ବିମୁଖ ହୋଇ ନାହିଁ।

52 ହେ ସଦାପ୍ରଭୋ, ମୁଁ ପୂର୍ବକାଳୀନ ତୁମ୍ଭ ଶାସନସବୁ ସ୍ମରଣ କରି

ଆପଣାକୁ ସାନ୍ତ୍ୱନାଯୁକ୍ତ କରିଅଛି।

53 ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ

ପ୍ରଚଣ୍ଡ କ୍ରୋଧ ମୋତେ ଆକ୍ରମଣ କରିଅଛି।

54 ମୋʼ ପ୍ରବାସ-ଗୃହରେ

ତୁମ୍ଭର ବିଧିସବୁ ମୋହର ଗାୟନ ହୋଇଅଛି।

55 ହେ ସଦାପ୍ରଭୋ, ମୁଁ ରାତ୍ରିକାଳରେ ତୁମ୍ଭର ନାମ ସ୍ମରଣ କରିଅଛି

ଓ ତୁମ୍ଭର ବ୍ୟବସ୍ଥା ପାଳନ କରିଅଛି।

56 ତୁମ୍ଭର ବିଧାନସବୁ ପାଳନ କରିବା ସକାଶୁ

ମୁଁ ଏହି ଫଳ ପ୍ରାପ୍ତ ହୋଇଅଛି।

ପରମେଶ୍ୱରଙ୍କ ବ୍ୟବସ୍ଥାରେ ନିଷ୍ଠାପରତା
ହେତ୍।

57 ସଦାପ୍ରଭୁ ମୋହର ଅଂଶ;

ମୁଁ ତୁମ୍ଭର ବାକ୍ୟସବୁ ପାଳନ କରିବି ବୋଲି କହିଅଛି।

58 ମୁଁ ସର୍ବାନ୍ତଃକରଣରେ ତୁମ୍ଭର ଅନୁଗ୍ରହ ପ୍ରାର୍ଥନା କଲି;

ଆପଣା ବାକ୍ୟାନୁସାରେ ମୋʼ ପ୍ରତି ଦୟାଳୁ ହୁଅ।

59 ମୁଁ ଆପଣା ଗତିସବୁ ବିବେଚନା କଲି

ଓ ତୁମ୍ଭ ପ୍ରମାଣ-ବାକ୍ୟ ଆଡ଼େ ଆପଣା ପାଦ ଫେରାଇଲି।

60 ତୁମ୍ଭର ଆଜ୍ଞାସବୁ ପାଳିବାକୁ

ସତ୍ୱର ହେଲି ଓ ବିଳମ୍ବ କଲି ନାହିଁ।

61 ଦୁଷ୍ଟମାନଙ୍କର ରଜ୍ଜୁ ମୋʼ ଚାରିଆଡ଼େ ଜଡ଼ିତ ହେଲା;

ମାତ୍ର ମୁଁ ତୁମ୍ଭର ବ୍ୟବସ୍ଥା ପାସୋରି ନାହିଁ।

62 ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ

ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରରେ ଉଠିବି।

63 ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି ଓ ତୁମ୍ଭ ବିଧାନସବୁ

ପାଳନ୍ତି, ମୁଁ ସେହି ସମସ୍ତଙ୍କର ସଙ୍ଗୀ।

64 ହେ ସଦାପ୍ରଭୋ, ପୃଥିବୀ ତୁମ୍ଭ ଦୟାରେ ପରିପୂର୍ଣ୍ଣ;

ତୁମ୍ଭ ବିଧିସବୁ ମୋତେ ଶିଖାଅ।

ପରମେଶ୍ୱରଙ୍କ ବ୍ୟବସ୍ଥାର ମୂଲ୍ୟ
ଟେଟ୍‍।

65 ହେ ସଦାପ୍ରଭୋ, ତୁମ୍ଭେ ଆପଣା ବାକ୍ୟାନୁସାରେ

ନିଜ ଦାସ ପ୍ରତି ମଙ୍ଗଳ ବ୍ୟବହାର କରିଅଛ।

66 ମୋତେ ଉତ୍ତମ ବିଚାର ଓ ଜ୍ଞାନ ଶିଖାଅ।

କାରଣ ମୁଁ ତୁମ୍ଭ ଆଜ୍ଞାସମୂହରେ ବିଶ୍ୱାସ କରିଅଛି।

67 ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି;

ମାତ୍ର ଏବେ ମୁଁ ତୁମ୍ଭ ବାକ୍ୟ ପାଳନ କରେ।

68 ତୁମ୍ଭେ ମଙ୍ଗଳମୟ ଓ ମଙ୍ଗଳକାରୀ;

ମୋତେ ତୁମ୍ଭ ବିଧିସବୁ ଶିଖାଅ।

69 ଅହଙ୍କାରୀମାନେ ମୋʼ ବିରୁଦ୍ଧରେ ମିଥ୍ୟା କଥା କଳ୍ପନା କରିଅଛନ୍ତି;

ମୁଁ ସର୍ବାନ୍ତଃକରଣରେ ତୁମ୍ଭର ବିଧାନସବୁ ପାଳନ କରିବି।

70 ସେମାନଙ୍କ ଅନ୍ତଃକରଣ ମେଦ ପରି ସ୍ଥୂଳ

ମାତ୍ର ମୁଁ ତୁମ୍ଭ ବ୍ୟବସ୍ଥାରେ ଆମୋଦ କରେ।

71 ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି,

ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋʼ ପକ୍ଷରେ ଭଲ ହେଲା।

72 ହଜାର ହଜାର ସୁନା ଓ ରୂପା ଅପେକ୍ଷା

ତୁମ୍ଭ ମୁଖର ବ୍ୟବସ୍ଥା ମୋʼ ପ୍ରତି ଉତ୍ତମ।

ପରମେଶ୍ୱରଙ୍କ ନ୍ୟାୟୋଚିତ ବ୍ୟବସ୍ଥା
ଇୟୂଦ୍‍।

73 ତୁମ୍ଭ ହସ୍ତ ମୋତେ ନିର୍ମାଣ ଓ ମୂର୍ତ୍ତିମାନ କରିଅଛି;

ମୁଁ ଯେପରି ତୁମ୍ଭର ଆଜ୍ଞାସବୁ ପାଳନ କରିବି, ଏଥିପାଇଁ ମୋତେ ସୁବିବେଚନା ପ୍ରଦାନ କର।

74 ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋତେ ଦେଖି ଆନନ୍ଦିତ ହେବେ;

କାରଣ ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଅଛି।

75 ହେ ସଦାପ୍ରଭୋ, ମୁଁ ଜାଣେ, ତୁମ୍ଭ ଶାସନସକଳ ଧର୍ମମୟ,

ପୁଣି, ତୁମ୍ଭେ ବିଶ୍ୱସ୍ତ ଭାବରେ ମୋତେ ଦୁଃଖ ଦେଇଅଛ।

76 ମୁଁ ପ୍ରାର୍ଥନା କରୁଅଛି, ତୁମ୍ଭ ଦାସ ପ୍ରତି ତୁମ୍ଭ

ବାକ୍ୟାନୁସାରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ମୋହର ସାନ୍ତ୍ୱନାଜନକ ହେଉ।

77 ମୁଁ ଯେପରି ବଞ୍ଚିବି, ଏଥିପାଇଁ ମୋʼ ପ୍ରତି ତୁମ୍ଭର କରୁଣା ବର୍ତ୍ତୁ;

କାରଣ ତୁମ୍ଭର ବ୍ୟବସ୍ଥା ମୋହର ଆନନ୍ଦଜନକ।

78 ଅହଙ୍କାରୀମାନେ ଲଜ୍ଜିତ ହେଉନ୍ତୁ;

କାରଣ ସେମାନେ ଅନ୍ୟାୟରେ ମୋହର ସର୍ବନାଶ କରିଅଛନ୍ତି;

ମାତ୍ର ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି।

79 ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋʼ କତିକି ଫେରନ୍ତୁ,

ତହିଁରେ ସେମାନେ ତୁମ୍ଭର ପ୍ରମାଣ-ବାକ୍ୟ ଜ୍ଞାତସାର ହେବେ।

80 ମୁଁ ଯେପରି ଲଜ୍ଜିତ ନୋହିବି,

ଏଥିପାଇଁ ତୁମ୍ଭ ବିଧିସବୁରେ ମୋʼ ଅନ୍ତଃକରଣ ସିଦ୍ଧ ହେଉ।

ନିସ୍ତାର ପାଇଁ ପ୍ରାର୍ଥନା
କଫ୍‍।

81 ତୁମ୍ଭ ପରିତ୍ରାଣ ପାଇଁ ମୋʼ ପ୍ରାଣ କ୍ଷୀଣ ହୁଏ;

ମାତ୍ର ମୁଁ ତୁମ୍ଭ ବାକ୍ୟରେ ଭରସା ରଖେ।

82 ତୁମ୍ଭେ କେବେ ମୋତେ ସାନ୍ତ୍ୱନା କରିବ?

ଏହା କହି କହି ତୁମ୍ଭ ବାକ୍ୟ ପାଇଁ ମୋହର ଚକ୍ଷୁ କ୍ଷୀଣ ହୁଏ।

83 କାରଣ ମୁଁ ଧୂମସ୍ଥିତ କୁମ୍ପା ତୁଲ୍ୟ ହୋଇଅଛି।

ତଥାପି ମୁଁ ତୁମ୍ଭର ବିଧିସବୁ ପାସୋରୁ ନାହିଁ।

84 ତୁମ୍ଭ ଦାସ କେତେ ଦିନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବ?

ତୁମ୍ଭେ କେବେ ମୋʼ ତାଡ଼ନାକାରୀମାନଙ୍କର ବିଚାର କରିବ?

85 ଅହଙ୍କାରୀମାନେ ମୋʼ ପାଇଁ ଗର୍ତ୍ତ ଖୋଳିଅଛନ୍ତି,

ସେମାନେ ତୁମ୍ଭ ବ୍ୟବସ୍ଥାର ଅନୁଗାମୀ ନୁହନ୍ତି।

86 ତୁମ୍ଭର ଆଜ୍ଞାସବୁ ବିଶ୍ୱସନୀୟ;

ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି; ତୁମ୍ଭେ ମୋହର ସାହାଯ୍ୟ କର।

87 ସେମାନେ ପୃଥିବୀରେ ମୋତେ ପ୍ରାୟ ବିନାଶ କରିଥିଲେ;

ମାତ୍ର ମୁଁ ତୁମ୍ଭର ବିଧାନସବୁ ତ୍ୟାଗ କଲି ନାହିଁ।

88 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋʼ ଜୀବନକୁ ରକ୍ଷା କର;

ତହୁଁ ମୁଁ ତୁମ୍ଭ ମୁଖର ପ୍ରମାଣ-ବାକ୍ୟ ପାଳନ କରିବି।

ପରମେଶ୍ୱରଙ୍କ ବ୍ୟବସ୍ଥାରେ ବିଶ୍ୱାସ
ଲାମଦ୍‍।

89 ହେ ସଦାପ୍ରଭୋ, ତୁମ୍ଭ ବାକ୍ୟ ଅନନ୍ତକାଳ

ନିମନ୍ତେ ସ୍ୱର୍ଗରେ ସଂସ୍ଥାପିତ ଅଛି।

90 ତୁମ୍ଭର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ସ୍ଥାୟୀ;

ତୁମ୍ଭେ ପୃଥିବୀକୁ ସଂସ୍ଥାପନ କରିଅଛ ଓ ତାହା ସୁସ୍ଥିର ଥାଏ।

91 ତୁମ୍ଭ ଶାସନାନୁସାରେ ଅଦ୍ୟାପି ସକଳ ସୁସ୍ଥିର;

କାରଣ ସମସ୍ତେ ତୁମ୍ଭର ଦାସ।

92 ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ ହୋଇ ନ ଥିଲେ,

ମୁଁ ଆପଣା ଦୁଃଖରେ ବିନଷ୍ଟ ହୋଇଥାʼନ୍ତି।

93 ତୁମ୍ଭର ବିଧାନସବୁ ମୁଁ କେବେ ପାସୋରିବି ନାହିଁ;

କାରଣ ତଦ୍ଦ୍ୱାରା ତୁମ୍ଭେ ମୋତେ ସଚେତ କରିଅଛ।

94 ମୋତେ ତ୍ରାଣ କର, ମୁଁ ତୁମ୍ଭର;

କାରଣ ମୁଁ ତୁମ୍ଭର ବିଧାନସବୁ ଅନ୍ୱେଷଣ କରିଅଛି।

95 ଦୁଷ୍ଟମାନେ ମୋତେ ବିନାଶ କରିବା ପାଇଁ ଚାହିଁ ରହିଅଛନ୍ତି;

ମାତ୍ର ମୁଁ ତୁମ୍ଭର ପ୍ରମାଣ-ବାକ୍ୟ ବିବେଚନା କରିବି।

96 ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି;

ମାତ୍ର ତୁମ୍ଭର ଆଜ୍ଞା ସୀମାହୀନ।

ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରତି ଅନୁରାଗ
ମେମ୍‍।

97 ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ।

ତାହା ସାରାଦିନ ମୋହର ଧ୍ୟାନ।

98 ତୁମ୍ଭ ଆଜ୍ଞାସବୁ ମୋତେ ମୋʼ ଶତ୍ରୁଗଣଠାରୁ ଅଧିକ ଜ୍ଞାନବାନ କରେ;

କାରଣ ତାହାସବୁ ନିରନ୍ତର ମୋʼ ସଙ୍ଗେ ଥାଏ।

99 ମୋହର ସମସ୍ତ ଗୁରୁ ଅପେକ୍ଷା ମୋʼ ବୁଦ୍ଧି ଅଧିକ;

କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ।

100 ମୁଁ ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ ବୁଝେ।

ଯେଣୁ ମୁଁ ତୁମ୍ଭର ବିଧାନସବୁ ପାଳନ କରିଅଛି।

101 ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି,

ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି।

102 ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇ ନାହିଁ;

କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ।

103 ମୋʼ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର!

ହଁ, ମୋʼ ମୁଖକୁ ତାହା ମଧୁ ଅପେକ୍ଷା ମଧୁର!

104 ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧି ପ୍ରାପ୍ତ ହୁଏ;

ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ।

ପରମେଶ୍ୱରଙ୍କ ବ୍ୟବସ୍ଥାର ଆଲୋକ
ନୂନ୍‍।

105 ତୁମ୍ଭ ବାକ୍ୟ ମୋʼ ଚରଣ ପାଇଁ ପ୍ରଦୀପ

ଓ ମୋʼ ପଥ ପାଇଁ ଆଲୁଅ ଅଟେ।

106 ମୁଁ ତୁମ୍ଭର ଧର୍ମମୟ ଶାସନସବୁ ପାଳିବା ପାଇଁ

ଶପଥ କରିଅଛି ଓ ତାହା ସ୍ଥିର କରିଅଛି।

107 ମୁଁ ଅତ୍ୟନ୍ତ ଦୁଃଖିତ ଅଛି;

ହେ ସଦାପ୍ରଭୋ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।

108 ହେ ସଦାପ୍ରଭୋ, ନିବେଦନ କରୁଅଛି, ମୋʼ ମୁଖର ସ୍ୱେଚ୍ଛାଦତ୍ତ ଉପହାର ଗ୍ରହଣ କର

ଓ ତୁମ୍ଭର ଶାସନସବୁ ମୋତେ ଶିଖାଅ।

109 ମୋʼ ପ୍ରାଣ ନିରନ୍ତର ବିପଦରେ ଥାଏ;

ତେବେ ହେଁ ମୁଁ ତୁମ୍ଭ ବ୍ୟବସ୍ଥା ପାସୋରୁ ନାହିଁ।

110 ଦୁଷ୍ଟମାନେ ମୋʼ ପାଇଁ ଫାନ୍ଦ ପାତିଅଛନ୍ତି;

ତଥାପି ମୁଁ ତୁମ୍ଭ ବିଧାନରୁ ବିପଥଗାମୀ ହେଲି ନାହିଁ।

111 ମୁଁ ତୁମ୍ଭ ପ୍ରମାଣ-ବାକ୍ୟସକଳକୁ ସଦାକାଳ

ଅଧିକାର ରୂପେ ଗ୍ରହଣ କରିଅଛି;

କାରଣ ତାହାସବୁ ମୋʼ ଚିତ୍ତର ଆହ୍ଲାଦଜନକ।

112 ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧିସବୁ ପାଳନ

କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି।

ପରମେଶ୍ୱରଙ୍କ ବ୍ୟବସ୍ଥାରେ ସୁରକ୍ଷା
ସାମକ୍‍।

113 ମୁଁ ଦ୍ୱିମନାମାନଙ୍କୁ ଘୃଣା କରେ;

ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ।

114 ତୁମ୍ଭେ ମୋʼ ଲୁଚିବାର ସ୍ଥାନ ଓ ମୋହର ଢାଲ;

ମୁଁ ତୁମ୍ଭ ବାକ୍ୟରେ ଭରସା କରେ।

115 ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା

ପରମେଶ୍ୱରଙ୍କ ଆଜ୍ଞାସବୁ ପାଳି ପାରିବି, ଏଥିପାଇଁ ମୋʼ ନିକଟରୁ ଦୂର ହୁଅ।

116 ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭ ବାକ୍ୟାନୁସାରେ ମୋତେ ଧରି ରଖ

ଓ ମୋʼ ଭରସା ବିଷୟରେ ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ।

117 ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦରହିତ ହେବି

ଓ ତୁମ୍ଭ ବିଧିସବୁ ସର୍ବଦା ମାନ୍ୟ କରିବି।

118 ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛଜ୍ଞାନ କରିଅଛ;

କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା।

119 ତୁମ୍ଭେ ପୃଥିବୀସ୍ଥ ସମସ୍ତ ଦୁଷ୍ଟଙ୍କୁ ଧାତୁର ଖାଦ ପରି ଦୂର କରିଥାଅ;

ଏଣୁ ମୁଁ ତୁମ୍ଭ ପ୍ରମାଣ-ବାକ୍ୟକୁ ସ୍ନେହ କରେ।

120 ତୁମ୍ଭ ଭୟ ସକାଶୁ ମୋʼ ଶରୀର କମ୍ପିତ ହୁଏ

ଓ ତୁମ୍ଭ ଶାସନ ବିଷୟରେ ମୁଁ ଭୀତ ହୁଏ।

ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନ
ଅଇନ୍‍।

121 ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି;

ମୋʼ ଉପଦ୍ରବୀମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ।

122 ମଙ୍ଗଳ ନିମନ୍ତେ ଆପଣା ଦାସର ଲଗା ହୁଅ;

ଅହଙ୍କାରୀମାନଙ୍କୁ ମୋʼ ପ୍ରତି ଉପଦ୍ରବ କରିବାକୁ ଦିଅ ନାହିଁ।

123 ତୁମ୍ଭର ପରିତ୍ରାଣ ଓ ତୁମ୍ଭର ଧର୍ମମୟ ବାକ୍ୟ ନିମନ୍ତେ

ମୋହର ଚକ୍ଷୁ କ୍ଷୀଣ ହେଉଅଛି।

124 ତୁମ୍ଭ ଦୟାନୁସାରେ ଆପଣା ଦାସ ପ୍ରତି ବ୍ୟବହାର କର

ଓ ତୁମ୍ଭର ବିଧି ମୋତେ ଶିଖାଅ।

125 ମୁଁ ତୁମ୍ଭର ଦାସ, ଯେପରି ମୁଁ ତୁମ୍ଭର

ପ୍ରମାଣ-ବାକ୍ୟସକଳ ଜ୍ଞାତ ହେବି, ଏଥିପାଇଁ ମୋତେ ବୁଦ୍ଧି ଦିଅ।

126 ସଦାପ୍ରଭୁଙ୍କର କାର୍ଯ୍ୟ କରିବାର ସମୟ ଏହି;

କାରଣ ଲୋକମାନେ ତୁମ୍ଭ ବ୍ୟବସ୍ଥା ବ୍ୟର୍ଥ କରିଅଛନ୍ତି।

127 ଏହେତୁ ମୁଁ ସୁବର୍ଣ୍ଣ ଓ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା

ତୁମ୍ଭ ଆଜ୍ଞାସମୂହକୁ ସ୍ନେହ କରେ।

128 ଏଣୁ ମୁଁ ସବୁ ବିଷୟରେ ତୁମ୍ଭର ସକଳ ବିଧାନ ଯଥାର୍ଥ ଜ୍ଞାନ କରେ

ଓ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ।

ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ ସ୍ପୃହା
ପେ।

129 ତୁମ୍ଭ ପ୍ରମାଣ-ବାକ୍ୟସକଳ ଆଶ୍ଚର୍ଯ୍ୟ;

ଏଥିପାଇଁ ମୋʼ ପ୍ରାଣ ତାହାସବୁ ପାଳନ କରେ।

130 ତୁମ୍ଭ ବାକ୍ୟର ବିକାଶ ଆଲୁଅ ପ୍ରଦାନ କରେ;

ତାହା ନିର୍ବୋଧକୁ ବୋଧ ଦିଏ।

131 ମୁଁ ତୁମ୍ଭ ଆଜ୍ଞାର ଆକାଂକ୍ଷାରେ

ଆପଣା ମୁଖ ଫର୍ଚ୍ଚା କରି ଫିଟାଇ ପକାଇଲି।

132 ତୁମ୍ଭେ ଆପଣା ନାମର ପ୍ରେମକାରୀମାନଙ୍କ ପ୍ରତି

ଯେପରି କରିଥାଅ, ସେପରି ମୋʼ ପ୍ରତି ଫେର ଓ ମୋତେ ଦୟା କର।

133 ତୁମ୍ଭ ବାକ୍ୟାନୁସାରେ ମୋʼ ପାଦଗତି ସଜାଡ଼

ଓ ମୋʼ ଉପରେ କୌଣସି ଅଧର୍ମକୁ ରାଜତ୍ୱ କରିବାକୁ ଦିଅ ନାହିଁ।

134 ମନୁଷ୍ୟର ଉପଦ୍ରବରୁ ମୋତେ ମୁକ୍ତ କର;

ତହିଁରେ ମୁଁ ତୁମ୍ଭର ବିଧାନସବୁ ପାଳନ କରିବି।

135 ତୁମ୍ଭ ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର

ଓ ତୁମ୍ଭର ବିଧିସବୁ ମୋତେ ଶିଖାଅ।

136 ଲୋକମାନେ ତୁମ୍ଭର ବ୍ୟବସ୍ଥା ପାଳନ ନ କରିବାରୁ

ମୋʼ ଚକ୍ଷୁରୁ ଜଳଧାରା ବହୁଅଛି।

ପରମେଶ୍ୱରଙ୍କ ନ୍ୟାୟୋଚିତ ବ୍ୟବସ୍ଥା
ସାଦେ।

137 ହେ ସଦାପ୍ରଭୋ, ତୁମ୍ଭେ ଧର୍ମମୟ

ଓ ତୁମ୍ଭର ଶାସନସକଳ ସରଳ।

138 ତୁମ୍ଭେ ଧର୍ମରେ ଓ ଅତି ବିଶ୍ୱସ୍ତତାରେ

ଆପଣା ପ୍ରମାଣ-ବାକ୍ୟସବୁ ଆଜ୍ଞା କରିଅଛ।

139 ମୋହର ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି,

କାରଣ ମୋହର ବିପକ୍ଷଗଣ ତୁମ୍ଭର ବାକ୍ୟସବୁ ପାସୋରିଅଛନ୍ତି।

140 ତୁମ୍ଭର ବାକ୍ୟ ଅତ୍ୟନ୍ତ ନିର୍ମଳ;

ତହିଁ ପାଇଁ ତୁମ୍ଭ ଦାସ ତାହା ସ୍ନେହ କରେ।

141 ମୁଁ କ୍ଷୁଦ୍ର ଓ ତୁଚ୍ଛୀକୃତ;

ତଥାପି ମୁଁ ତୁମ୍ଭର ବିଧାନସବୁ ପାସୋରୁ ନାହିଁ।

142 ତୁମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ଧର୍ମ

ଓ ତୁମ୍ଭର ବ୍ୟବସ୍ଥା ସତ୍ୟ।

143 କ୍ଳେଶ ଓ ଯନ୍ତ୍ରଣା ମୋତେ ଆକ୍ରମଣ କରିଅଛି;

ତେବେ ହେଁ ତୁମ୍ଭର ଆଜ୍ଞାସମୂହ ମୋହର ଆହ୍ଲାଦଜନକ।

144 ତୁମ୍ଭର ପ୍ରମାଣ-ବାକ୍ୟସକଳ ସଦାକାଳ ଧର୍ମମୟ;

ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ବଞ୍ଚିବି।

ଉଦ୍ଧାର ପାଇବା ପାଇଁ ପ୍ରାର୍ଥନା
କଫ।

145 ମୁଁ ସର୍ବାନ୍ତଃକରଣରେ ପ୍ରାର୍ଥନା କରିଅଛି; ହେ ସଦାପ୍ରଭୋ, ମୋତେ ଉତ୍ତର ଦିଅ;

ମୁଁ ତୁମ୍ଭର ବିଧି ପାଳନ କରିବି।

146 ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି; ମୋତେ ତ୍ରାଣ କର,

ତହିଁରେ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ମାନିବି।

147 ମୁଁ ଅରୁଣୋଦୟ ପୂର୍ବେ ଆର୍ତ୍ତନାଦ କଲି;

ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଲି।

148 ମୁଁ ଯେପରି ତୁମ୍ଭ ବାକ୍ୟ ଧ୍ୟାନ କରିବି,

ଏଥିପାଇଁ ରାତ୍ରିର ପ୍ରତ୍ୟେକ ପ୍ରହର ପୂର୍ବେ ମୋହର ଚକ୍ଷୁ ପ୍ରସ୍ତୁତ ହେଲା।

149 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋହର ରବ ଶୁଣ;

ହେ ସଦାପ୍ରଭୋ, ଆପଣା ଶାସନାନୁସାରେ ମୋତେ ସଚେତ କର।

150 ଦୁଷ୍ଟତାର ଅନୁଗାମୀ ଲୋକମାନେ ନିକଟକୁ ଆସୁଅଛନ୍ତି;

ସେମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରବର୍ତ୍ତୀ।

151 ହେ ସଦାପ୍ରଭୋ, ତୁମ୍ଭେ ନିକଟବର୍ତ୍ତୀ

ଓ ତୁମ୍ଭ ଆଜ୍ଞାସକଳ ସତ୍ୟ।

152 ମୁଁ ପୂର୍ବଠାରୁ ତୁମ୍ଭ ପ୍ରମାଣ-ବାକ୍ୟରୁ ଜାଣିଅଛି ଯେ,

ତୁମ୍ଭେ ସଦାକାଳ ନିମନ୍ତେ ତାହା ସ୍ଥାପନ କରିଅଛ।

ସହାୟତା ପାଇଁ ଅନୁନୟ
ରେଶ୍‍।

153 ମୋର କ୍ଲେଶ ବିବେଚନା କର ଓ ମୋତେ ଉଦ୍ଧାର କର;

କାରଣ ମୁଁ ତୁମ୍ଭର ବ୍ୟବସ୍ଥା ପାସୋରୁ ନାହିଁ।

154 ତୁମ୍ଭେ ମୋହର ବିବାଦ ନିଷ୍ପତ୍ତି କର ଓ ମୋତେ ମୁକ୍ତ କର;

ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର।

155 ପରିତ୍ରାଣ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଏ;

କାରଣ ସେମାନେ ତୁମ୍ଭର ବିଧିସବୁ ଅନୁସନ୍ଧାନ କରନ୍ତି ନାହିଁ।

156 ହେ ସଦାପ୍ରଭୋ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବହୁବିଧ;

ତୁମ୍ଭର ଶାସନାନୁସାରେ ମୋତେ ସଚେତ କର।

157 ମୋହର ତାଡ଼ନାକାରୀ ଓ ବିପକ୍ଷ ଅନେକ;

ତଥାପି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୁ ବିମୁଖ ହୋଇ ନାହିଁ।

158 ମୁଁ ବିଶ୍ୱାସଘାତକମାନଙ୍କୁ ଦେଖି ଦୁଃଖିତ ହେଲି;

କାରଣ ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ।

159 ମୁଁ ତୁମ୍ଭ ବିଧାନସବୁ କିପରି ସ୍ନେହ କରେ,

ଏହା ବିବେଚନା କର; ହେ ସଦାପ୍ରଭୋ, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋତେ ସଚେତ କର।

160 ତୁମ୍ଭର ସମୁଦାୟ ବାକ୍ୟ ସତ୍ୟ

ଓ ତୁମ୍ଭର ଧର୍ମମୟ ପ୍ରତ୍ୟେକ ଶାସନ ନିତ୍ୟସ୍ଥାୟୀ।

ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରତି ନିଷ୍ଠା
ଶିନ୍‍।

161 ଅଧିପତିମାନେ ଅକାରଣରେ ମୋତେ ତାଡ଼ନା କରିଅଛନ୍ତି;

ମାତ୍ର ମୋହର ମନ ତୁମ୍ଭ ବାକ୍ୟରେ ଭୀତ ଥାଏ।

162 କେହି ପ୍ରଚୁର ଲୁଟଧନ ପାଇବା ପରି

ମୁଁ ତୁମ୍ଭ ବାକ୍ୟରେ ଆନନ୍ଦ କରେ।

163 ମୁଁ ମିଥ୍ୟାକୁ ଘୃଣା ଓ ଅଶ୍ରଦ୍ଧା କରେ;

ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ।

164 ତୁମ୍ଭର ଧର୍ମମୟ ଶାସନ ସକାଶୁ

ମୁଁ ଦିନ ମଧ୍ୟରେ ସାତ ଥର ତୁମ୍ଭର ପ୍ରଶଂସା କରେ।

165 ତୁମ୍ଭ ବ୍ୟବସ୍ଥା ସ୍ନେହକାରୀମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି;

ପୁଣି, ସେମାନଙ୍କର ଝୁଣ୍ଟିବାର କୌଣସି କାରଣ ଘଟେ ନାହିଁ।

166 ହେ ସଦାପ୍ରଭୋ, ମୁଁ ତୁମ୍ଭର ପରିତ୍ରାଣ ପାଇଁ ପ୍ରତ୍ୟାଶା କରିଅଛି,

ଓ ତୁମ୍ଭର ଆଜ୍ଞାସବୁ ପାଳନ କରିଅଛି।

167 ମୋହର ପ୍ରାଣ ତୁମ୍ଭ ପ୍ରମାଣ-ବାକ୍ୟସବୁ ମାନିଅଛି

ଓ ମୁଁ ତାହାସବୁ ଅତିଶୟ ସ୍ନେହ କରେ।

168 ମୁଁ ତୁମ୍ଭର ବିଧାନ ଓ ପ୍ରମାଣ-ବାକ୍ୟସବୁ ମାନିଅଛି।

କାରଣ ମୋହର ସବୁ ଗତି ତୁମ୍ଭ ସମ୍ମୁଖରେ ଅଛି।

ସହାୟତା ପାଇଁ ପ୍ରାର୍ଥନା
ତୌ।

169 ହେ ସଦାପ୍ରଭୋ, ମୋହର କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ;

ତୁମ୍ଭ ବାକ୍ୟାନୁସାରେ ମୋତେ ବୁଦ୍ଧି ପ୍ରଦାନ କର।

170 ମୋʼ ନିବେଦନ ତୁମ୍ଭ ସମ୍ମୁଖରେ ଉପସ୍ଥିତ ହେଉ;

ତୁମ୍ଭ ବାକ୍ୟାନୁସାରେ ମୋତେ ଉଦ୍ଧାର କର।

171 ମୋହର ଓଷ୍ଠାଧର ପ୍ରଶଂସା ଉଚ୍ଚାରଣ କରୁ;

କାରଣ ତୁମ୍ଭେ ଆପଣା ବିଧି ମୋତେ ଶିଖାଉଅଛ।

172 ମୋʼ ଜିହ୍ୱା ତୁମ୍ଭ ବାକ୍ୟ ବିଷୟ କୀର୍ତ୍ତନ କରୁ;

କାରଣ ତୁମ୍ଭର ଆଜ୍ଞାସକଳ ଧର୍ମମୟ।

173 ମୋହର ସାହାଯ୍ୟାର୍ଥେ ତୁମ୍ଭର ହସ୍ତ ପ୍ରସ୍ତୁତ ହେଉ,

କାରଣ ମୁଁ ତୁମ୍ଭର ବିଧାନସବୁ ମନୋନୀତ କରିଅଛି।

174 ହେ ସଦାପ୍ରଭୋ, ମୁଁ ତୁମ୍ଭ ପରିତ୍ରାଣର ଆକାଂକ୍ଷା କରିଅଛି;

ପୁଣି, ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ।

175 ମୋତେ ଜୀବିତ ରଖ, ତହିଁରେ ମୁଁ ତୁମ୍ଭର ପ୍ରଶଂସା କରିବ

ଓ ତୁମ୍ଭର ଶାସନସକଳ ମୋହର ସାହାଯ୍ୟ କରୁ।

176 ମୁଁ ହଜାମେଷ ପରି ବିପଥଗାମୀ ହୋଇଅଛି;

ଆପଣା ଦାସକୁ ଖୋଜ;

କାରଣ ମୁଁ ତୁମ୍ଭ ଆଜ୍ଞାସକଳ ପାସୋରୁ ନାହିଁ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-