Publicidade

Salmos 147

ସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ତୁତିଗାନ

1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

କାରଣ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବାର ଉତ୍ତମ;

ଯେହେତୁ ତାହା ମନୋହର ଓ ପ୍ରଶଂସା ଶୋଭନୀୟ।

2 ସଦାପ୍ରଭୁ ଯିରୂଶାଲମକୁ ଗଢ଼ନ୍ତି;

ସେ ଇସ୍ରାଏଲର ଦୂରୀକୃତ ଲୋକମାନଙ୍କୁ ସଂଗ୍ରହ କରନ୍ତି।

3 ସେ ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି

ଓ ସେମାନଙ୍କ କ୍ଷତସବୁ ବାନ୍ଧନ୍ତି।

4 ସେ ତାରାଗଣର ସଂଖ୍ୟା କରନ୍ତି;

ସେ ସମସ୍ତଙ୍କୁ ସେମାନଙ୍କ ନାମ ଦିଅନ୍ତି।

5 ଆମ୍ଭମାନଙ୍କର ପ୍ରଭୁ ମହାନ ଓ ଅତିଶୟ ଶକ୍ତିମାନ;

ତାହାଙ୍କର ବୁଦ୍ଧି ଅସୀମ।

6 ସଦାପ୍ରଭୁ ନମ୍ର ଲୋକଙ୍କୁ ଧରି ରଖନ୍ତି;

ସେ ଦୁଷ୍ଟମାନଙ୍କୁ ଭୂମିସାତ୍‍ କରନ୍ତି।

7 ଧନ୍ୟବାଦ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର;

ବୀଣା ଯନ୍ତ୍ରରେ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରଶଂସା ଗାନ କର;

8 ସେ ଆକାଶକୁ ମେଘମାଳାରେ ଆଚ୍ଛନ୍ନ କରନ୍ତି,

ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି,

ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।

9 ସେ ପଶୁକୁ ତାହାର ଆହାର ଦିଅନ୍ତି

ଓ ରାବନ୍ତା ଡାମରା କାଉ ଛୁଆମାନଙ୍କୁ ଆହାର ଦିଅନ୍ତି।

10 ସେ ଅଶ୍ୱର ବଳରେ ସନ୍ତୁଷ୍ଟ ନୁହନ୍ତି;

ସେ ମନୁଷ୍ୟର ଚରଣରେ ତୁଷ୍ଟ ନୁହନ୍ତି।

11 ସଦାପ୍ରଭୁ ଆପଣା ଭୟକାରୀମାନଙ୍କଠାରେ

ଓ ତାହାଙ୍କ ଦୟାରେ ଭରସାକାରୀମାନଙ୍କଠାରେ ତୁଷ୍ଟ ଅଟନ୍ତି।

12 ହେ ଯିରୂଶାଲମ, ସଦାପ୍ରଭୁଙ୍କର ପ୍ରଶଂସା କର;

ହେ ସିୟୋନ, ତୁମ୍ଭ ପରମେଶ୍ୱରଙ୍କର ପ୍ରଶଂସା କର;

13 କାରଣ ସେ ତୁମ୍ଭ ଦ୍ୱାରର ଅର୍ଗଳସବୁ ଦୃଢ଼ କରିଅଛନ୍ତି;

ସେ ତୁମ୍ଭ ମଧ୍ୟବର୍ତ୍ତୀ ତୁମ୍ଭ ସନ୍ତାନଗଣକୁ ଆଶୀର୍ବାଦ କରିଅଛନ୍ତି।

14 ସେ ତୁମ୍ଭ ସୀମା ମଧ୍ୟରେ ଶାନ୍ତି ସ୍ଥାପନ କରନ୍ତି;

ସେ ସର୍ବୋତ୍ତମ ଗହମରେ ତୁମ୍ଭକୁ ତୃପ୍ତ କରନ୍ତି।

15 ସେ ପୃଥିବୀରେ ଆପଣା ଆଜ୍ଞା ପ୍ରେରଣ କରନ୍ତି;

ତାହାଙ୍କ ବାକ୍ୟ ଅତି ଶୀଘ୍ର ଦୌଡ଼ଇ।

16 ସେ ମେଷଲୋମ ପରି ତୁଷାର ଦିଅନ୍ତି;

ସେ ଭସ୍ମ ତୁଲ୍ୟ ନୀହାର ବିଞ୍ଚି ଦିଅନ୍ତି।

17 ସେ ଖଣ୍ଡ ଖଣ୍ଡ ଆହାର ପରି ବରଫ ପକାଇ ଦିଅନ୍ତି;

ତାହାଙ୍କ ଶୀତ ଆଗରେ କିଏ ଠିଆ ହୋଇପାରେ?

18 ସେ ଆପଣା ବାକ୍ୟ ପଠାଇ ସେସବୁ ତରଳାଇ ପକାନ୍ତି;

ସେ ଆପଣା ବାୟୁ ବହାଇଲେ ଜଳ ପ୍ରବାହିତ ହୁଏ।

19 ସେ ଯାକୁବ ପ୍ରତି ଆପଣା ବାକ୍ୟ, ଇସ୍ରାଏଲ ପ୍ରତି

ଆପଣା ବିଧି ଓ ଶାସନ ପ୍ରକାଶ କରନ୍ତି।

20 ସେ କୌଣସି ଗୋଷ୍ଠୀ ପ୍ରତି ଏପରି ବ୍ୟବହାର କରି ନାହାନ୍ତି;

ତାହାଙ୍କ ଶାସନ ବିଷୟ କହିବାକୁ ଗଲେ, ସେମାନେ ତାହା ଜାଣି ନାହାନ୍ତି।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-