Publicidade

Salmos 31

ସଦାପ୍ରଭୁଙ୍କଠାରେ ନିର୍ଭରଶୀଳତାର ନିବେଦନ
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

1 ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଶରଣ ନେଇଅଛି;

ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ;

ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କର।

2 ମୋʼ ପ୍ରତି ଆପଣା କର୍ଣ୍ଣ ଡେର; ଶୀଘ୍ର ମୋତେ ଉଦ୍ଧାର କର;

ତୁମ୍ଭେ ମୋʼ ପ୍ରତି ଦୃଢ଼ ଶୈଳ,

ମୋହର ପରିତ୍ରାଣାର୍ଥକ ଦୁର୍ଗରୂପ ଗୃହ ହୁଅ।

3 କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ ଅଟ;

ଏଥିପାଇଁ ନିଜ ନାମ ସକାଶୁ ମୋତେ ପଥ ଦେଖାଇ କଢ଼ାଇ ନିଅ।

4 ସେମାନେ ଗୋପନରେ ମୋʼ ପାଇଁ ଯେଉଁ ଜାଲ ପାତିଅଛନ୍ତି, ତହିଁରୁ ମୋତେ ଉଦ୍ଧାର କର;

କାରଣ ତୁମ୍ଭେ ମୋହର ଦୃଢ଼ ଦୁର୍ଗ।

5 ମୁଁ ତୁମ୍ଭ ହସ୍ତରେ ଆପଣା ଆତ୍ମା ସମର୍ପଣ କରେ;

ହେ ସଦାପ୍ରଭୋ, ସତ୍ୟମୟ ପରମେଶ୍ୱର, ତୁମ୍ଭେ ମୋତେ ମୁକ୍ତ କରିଅଛ।

6 ଯେଉଁମାନେ ଅସାର ପ୍ରତିମାଗଣକୁ ମାନନ୍ତି, ସେମାନଙ୍କୁ ମୁଁ ଘୃଣା କରେ;

ମାତ୍ର ମୁଁ ସଦାପ୍ରଭୁଙ୍କଠାରେ ନିର୍ଭର ରଖେ।

7 ମୁଁ ତୁମ୍ଭ ଦୟାରେ ଆନନ୍ଦ ଓ ଉଲ୍ଲାସ କରିବି;

କାରଣ ତୁମ୍ଭେ ମୋହର କ୍ଳେଶ ଦେଖିଅଛ;

ତୁମ୍ଭେ ଦୁର୍ଦ୍ଦଶା ସମୟରେ ମୋʼ ପ୍ରାଣର ତତ୍ତ୍ୱ ନେଇଅଛ।

8 ପୁଣି, ଶତ୍ରୁ ହସ୍ତରେ ତୁମ୍ଭେ ମୋତେ ବନ୍ଦ କରି ନାହଁ;

ତୁମ୍ଭେ ପ୍ରଶସ୍ତ ସ୍ଥାନରେ ମୋର ଚରଣ ସ୍ଥାପନ କରିଅଛ।

9 ହେ ସଦାପ୍ରଭୋ, ମୋʼ ପ୍ରତି ଦୟା କର, କାରଣ ମୁଁ ବିପଦଗ୍ରସ୍ତ;

ଦୁଃଖରେ ମୋହର ଚକ୍ଷୁ, ମୋହର ପ୍ରାଣ ଓ ମୋହର ଶରୀର କ୍ଷୀଣ ହେଉଅଛି।

10 କାରଣ ଦୁଃଖରେ ମୋହର ଜୀବନ ଓ ହାହାକାରରେ

ମୋହର ବର୍ଷ ବହି ଯାଉଅଛି;

ମୋʼ ଅପରାଧ ସକାଶୁ ମୋର ବଳ କ୍ଷୀଣ ହେଉଅଛି

ଓ ମୋର ଅସ୍ଥିସବୁ କ୍ଷୟ ପାଉଅଛି।

11 ମୁଁ ଆପଣା ସମସ୍ତ ବିପକ୍ଷଙ୍କ ସକାଶୁ ଆପଣା

ପ୍ରତିବାସୀମାନଙ୍କର ଅତ୍ୟନ୍ତ ନିନ୍ଦାସ୍ପଦ

ଓ ଆପଣା ପରିଚିତମାନଙ୍କର ଭୟସ୍ଥଳ ହୋଇଅଛି,

ମୋତେ ବାହାରେ ଦେଖିଲା ଲୋକମାନେ ମୋʼ ନିକଟରୁ ପଳାଇଲେ।

12 ମୁଁ ମୃତ ଲୋକ ତୁଲ୍ୟ ମନରୁ ବିସ୍ମୃତ ହୋଇଅଛି;

ମୁଁ ଭଗ୍ନ ପାତ୍ର ସଦୃଶ।

13 କାରଣ ମୁଁ ଅନେକଙ୍କଠାରୁ ନିନ୍ଦାବାଦ ଶୁଣିଅଛି,

ଚତୁର୍ଦ୍ଦିଗରେ ଆଶଙ୍କା;

ସେମାନେ ମୋʼ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲା ବେଳେ

ମୋʼ ପ୍ରାଣ ନେବା ପାଇଁ ସଂକଳ୍ପ କଲେ।

14 ମାତ୍ର ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଶରଣ ନିଏ;

ମୁଁ କହେ, "ତୁମ୍ଭେ ମୋହର ପରମେଶ୍ୱର।"

15 ମୋହର ସମୟ ସବୁ ତୁମ୍ଭର ହସ୍ତଗତ;

ମୋʼ ଶତ୍ରୁଗଣ ହସ୍ତରୁ ଓ ମୋʼ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର।

16 ଆପଣା ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର;

ଆପଣା ସ୍ନେହପୂର୍ଣ୍ଣ କରୁଣାରେ ମୋତେ ପରିତ୍ରାଣ କର।

17 ହେ ସଦାପ୍ରଭୋ, ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; କାରଣ ମୁଁ ତୁମ୍ଭ ନିକଟରେ ଡାକ ପକାଇଅଛି;

ଦୁଷ୍ଟମାନେ ଲଜ୍ଜିତ ହେଉନ୍ତୁ, ସେମାନେ ପାତାଳରେ ନୀରବ ହେଉନ୍ତୁ।

18 ମିଥ୍ୟାବାଦୀ ଓଷ୍ଠାଧରସବୁ ମୂକ ହେଉ,

ସେମାନେ ଅହଙ୍କାର ଓ ତୁଚ୍ଛ ଭାବରେ

ଧାର୍ମିକମାନଙ୍କ ପ୍ରତିକୂଳରେ ଦର୍ପ କଥା କହନ୍ତି।

19 ଆଃ, ତୁମ୍ଭେ ଆପଣା ଭୟକାରୀମାନଙ୍କ ପାଇଁ ଯେଉଁ ମଙ୍ଗଳ ସଞ୍ଚୟ କରିଅଛ,

ମନୁଷ୍ୟ-ସନ୍ତାନଗଣ ସାକ୍ଷାତରେ

ଆପଣା ଶରଣାଗତ ଲୋକଙ୍କ ପାଇଁ ଯେଉଁ ମଙ୍ଗଳ ସାଧନ କରିଅଛ,

ତାହା କିପରି ମହତ୍!

20 ତୁମ୍ଭେ ମନୁଷ୍ୟର ସବୁ କୁମନ୍ତ୍ରଣାରୁ ସେମାନଙ୍କୁ ଆପଣା ଶ୍ରୀଛାମୁର ଅନ୍ତରାଳରେ ଲୁଚାଇବ;

ତୁମ୍ଭେ ଜିହ୍ୱାସମୂହର ବିରୋଧରୁ ସେମାନଙ୍କୁ ଆପଣା ଆବାସରେ ଗୋପନ କରି ରଖିବ।

21 ସଦାପ୍ରଭୁ ଧନ୍ୟ ହେଉନ୍ତୁ;

କାରଣ ସେ ଦୃଢ଼ ନଗରରେ ମୋʼ ପ୍ରତି ଆପଣାର ଆଶ୍ଚର୍ଯ୍ୟ ସ୍ନେହପୂର୍ଣ୍ଣ କରୁଣା ପ୍ରକାଶ କରିଅଛନ୍ତି।

22 ମାତ୍ର ମୁଁ ତୁମ୍ଭ ଦୃଷ୍ଟିରୁ ଉଚ୍ଛିନ୍ନ ବୋଲି

ଆପଣା ଅଧୈର୍ଯ୍ୟରେ କହିଥିଲି;

ତଥାପି ମୁଁ ତୁମ୍ଭ ନିକଟରେ ଆର୍ତ୍ତନାଦ କଲା ବେଳେ ତୁମ୍ଭେ ମୋʼ ନିବେଦନର ରବ ଶୁଣିଲ।

23 ହେ ସଦାପ୍ରଭୁଙ୍କ ସଦ୍‍ଭକ୍ତ ସମସ୍ତେ, ତାହାଙ୍କୁ ପ୍ରେମ କର;

ସଦାପ୍ରଭୁ ବିଶ୍ୱସ୍ତ ଲୋକମାନଙ୍କୁ ରକ୍ଷା କରନ୍ତି

ଓ ଗର୍ବାଚାରୀମାନଙ୍କୁ ବହୁଳ ରୂପେ ପ୍ରତିଫଳ ଦିଅନ୍ତି।

24 ହେ ସଦାପ୍ରଭୁଙ୍କଠାରେ ଭରସାକାରୀ ସମସ୍ତେ,

ତୁମ୍ଭେମାନେ ବଳବାନ ହୁଅ ଓ ତୁମ୍ଭମାନଙ୍କ ଅନ୍ତଃକରଣ ସାହସିକ ହେଉ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-