Publicidade

Salmos 71

ଜଣେ ବୃଦ୍ଧର ପ୍ରାର୍ଥନା

1 ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଶରଣ ନେଇଅଛି;

ମୋତେ କେବେ ଲଜ୍ଜିତ ହେବାକୁ ଦିଅ ନାହିଁ।

2 ତୁମ୍ଭ ଧର୍ମଗୁଣରେ ମୋତେ ଉଦ୍ଧାର କରି ରକ୍ଷା କର;

ମୋʼ ପ୍ରତି ଆପଣା କର୍ଣ୍ଣ ଡେରି ମୋତେ ତ୍ରାଣ କର।

3 ଯେଉଁଠାକୁ ମୁଁ ନିତ୍ୟ ଯାଇପାରେ, ତୁମ୍ଭେ ମୋʼ ପ୍ରତି ସେରୂପ ବସତିର ଶୈଳ ସ୍ୱରୂପ ହୁଅ;

ତୁମ୍ଭେ ମୋତେ ପରିତ୍ରାଣ କରିବା ପାଇଁ ଆଜ୍ଞା ଦେଇଅଛ;

କାରଣ ତୁମ୍ଭେ ମୋହର ଶୈଳ ଓ ମୋହର ଦୁର୍ଗ।

4 ହେ ମୋହର ପରମେଶ୍ୱର, ଦୁଷ୍ଟ ଲୋକ ହସ୍ତରୁ,

ଅନ୍ୟାୟକାରୀ ଓ ନିର୍ଦ୍ଦୟ ଲୋକ ହସ୍ତରୁ ମୋତେ ରକ୍ଷା କର।

5 କାରଣ ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ହିଁ ମୋହର ଭରସା;

ମୋʼ ବାଲ୍ୟକାଳରୁ ତୁମ୍ଭେ ମୋହର ବିଶ୍ୱାସଭୂମି।

6 ଗର୍ଭରୁ ତୁମ୍ଭ ଉପରେ ମୋହର ଭାର ଅଛି;

ମାତାର ଉଦରରୁ ତୁମ୍ଭେ ହିଁ ମୋତେ ନେଇଅଛ;

ତୁମ୍ଭ ବିଷୟରେ ନିତ୍ୟ ମୋହର ପ୍ରଶଂସା ହେବ।

7 ମୁଁ ଅନେକଙ୍କ ପ୍ରତି ଆଶ୍ଚର୍ଯ୍ୟ ବିଷୟ ସ୍ୱରୂପ;

ମାତ୍ର ତୁମ୍ଭେ ମୋହର ଦୃଢ଼ ଆଶ୍ରୟ।

8 ମୋହର ମୁଖ ତୁମ୍ଭ ପ୍ରଶଂସାରେ

ଓ ସାରାଦିନ ତୁମ୍ଭ ଗୌରବ ବର୍ଣ୍ଣନାରେ ପରିପୂର୍ଣ୍ଣ ହେବ।

9 ବୃଦ୍ଧାବସ୍ଥାରେ ମୋତେ ପରିତ୍ୟାଗ କର ନାହିଁ;

ମୋହର ବଳ କ୍ଷୀଣ ହେବା ସମୟରେ ମୋତେ ଛାଡ଼ ନାହିଁ।

10 କାରଣ ମୋହର ଶତ୍ରୁଗଣ ମୋʼ ବିଷୟରେ କଥା କହନ୍ତି

ଓ ମୋʼ ପ୍ରାଣ ପାଇଁ ଜଗିବା ଲୋକମାନେ ଏକତ୍ର ମନ୍ତ୍ରଣା କରି କହନ୍ତି ଯେ,

11 ପରମେଶ୍ୱର ତାହାକୁ ପରିତ୍ୟାଗ କରିଅଛନ୍ତି, ପଛେ

ପଛେ ଗୋଡ଼ାଇ ତାହାକୁ ଧର; କାରଣ ଉଦ୍ଧାର କରିବାକୁ କେହି ନାହିଁ।

12 ହେ ପରମେଶ୍ୱର, ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ;

ହେ ମୋହର ପରମେଶ୍ୱର, ମୋହର ସାହାଯ୍ୟ କରିବାକୁ ସତ୍ୱର ହୁଅ।

13 ମୋʼ ପ୍ରାଣର ବିପକ୍ଷମାନେ ଲଜ୍ଜିତ ଓ ଉଚ୍ଛିନ୍ନ ହେଉନ୍ତୁ;

ଯେଉଁମାନେ ମୋହର କ୍ଷତି ଚେଷ୍ଟା କରନ୍ତି, ସେମାନେ ନିନ୍ଦା ଓ ଅପମାନରେ ଆଚ୍ଛନ୍ନ ହେଉନ୍ତୁ।

14 ମାତ୍ର ମୁଁ ନିରନ୍ତର ଭରସା କରିବି,

ପୁଣି, ଆହୁରି ଆହୁରି ତୁମ୍ଭର ପ୍ରଶଂସା କରିବି।

15 ମୋହର ମୁଖ ସାରାଦିନ ତୁମ୍ଭର ଧର୍ମ

ଓ ତୁମ୍ଭର ପରିତ୍ରାଣ ବର୍ଣ୍ଣନା କରିବ;

କାରଣ ମୁଁ ତହିଁର ସଂଖ୍ୟା ଜାଣେ ନାହିଁ।

16 ମୁଁ ପ୍ରଭୁ, ସଦାପ୍ରଭୁଙ୍କ ପରାକ୍ରମର ସକଳ କ୍ରିୟା ସହିତ ଉପସ୍ଥିତ ହେବି।

ମୁଁ ତୁମ୍ଭର, କେବଳ ତୁମ୍ଭର ଧର୍ମ ବିଷୟ ବର୍ଣ୍ଣନା କରିବି।

17 ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳଠାରୁ ଶିକ୍ଷା ଦେଇ ଆସୁଅଛ;

ପୁଣି, ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟାସବୁ ପ୍ରଚାର କରିଅଛି।

18 ହେ ପରମେଶ୍ୱର, ମୁଁ ଆସନ୍ତା ପିଢ଼ି ନିକଟରେ ତୁମ୍ଭର ବାହୁ ବଳ,

ପ୍ରତ୍ୟେକ ଭବିଷ୍ୟତ ଲୋକଙ୍କ ନିକଟରେ ତୁମ୍ଭର ପରାକ୍ରମ ପ୍ରଚାର କରିବା ପର୍ଯ୍ୟନ୍ତ,

ବୃଦ୍ଧ ଓ ପକ୍ୱକେଶ ହେବା ସମୟରେ ହେଁ ମୋତେ ପରିତ୍ୟାଗ କର ନାହିଁ।

19 ହେ ପରମେଶ୍ୱର, ମହତ କାର୍ଯ୍ୟମାନ ସାଧନ କରିଅଛ ଯେ ତୁମ୍ଭେ,

ତୁମ୍ଭର ଧର୍ମ ଅତି ଉଚ୍ଚ; ହେ ପରମେଶ୍ୱର, ତୁମ୍ଭ ତୁଲ୍ୟ କିଏ ଅଛି?

20 ଆମ୍ଭମାନଙ୍କୁ ଅନେକ ଓ ଦାରୁଣ କ୍ଳେଶ ଦେଖାଇଅଛ ଯେ ତୁମ୍ଭେ,

ତୁମ୍ଭେ ଆମ୍ଭମାନଙ୍କୁ ପୁନର୍ବାର ସଜୀବ କରିବ

ଓ ପୃଥିବୀର ଗଭୀର ସ୍ଥାନରୁ ପୁନର୍ବାର ଉଠାଇ ଆଣିବ।

21 ତୁମ୍ଭେ ମୋହର ମହତ୍ତ୍ୱ ବଢ଼ାଅ

ଓ ଫେରି ମୋତେ ସାନ୍ତ୍ୱନା ଦିଅ।

22 ହେ ମୋହର ପରମେଶ୍ୱର, ମୁଁ ନେବଲ ଯନ୍ତ୍ରରେ, ମଧ୍ୟ ତୁମ୍ଭର,

ଅର୍ଥାତ୍‍, ତୁମ୍ଭ ସତ୍ୟତାର ପ୍ରଶଂସା କରିବି;

ହେ ଇସ୍ରାଏଲର ଧର୍ମସ୍ୱରୂପ,

ମୁଁ ବୀଣା ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି।

23 ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବା ବେଳେ ମୋହର ଓଷ୍ଠାଧର

ଓ ତୁମ୍ଭ ଦ୍ୱାରା ମୁକ୍ତ ମୋହର ପ୍ରାଣ ଅତିଶୟ ଆହ୍ଲାଦ କରିବ।

24 ମୋହର ଜିହ୍ୱା ମଧ୍ୟ ସାରାଦିନ ତୁମ୍ଭ ଧର୍ମ ବିଷୟ କହିବ;

କାରଣ ମୋହର ଅନିଷ୍ଟ ଚେଷ୍ଟାକାରୀମାନେ ଲଜ୍ଜିତ ଓ ହତାଶ ହୋଇଅଛନ୍ତି।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-