Publicidade

Salmos 35

ସହାୟତା ପାଇଁ ପ୍ରାର୍ଥନା
ଦାଉଦଙ୍କର ଗୀତ।

1 ସଦାପ୍ରଭୋ, ଯେଉଁମାନେ ମୋʼ ସଙ୍ଗେ ବିବାଦ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ବିବାଦ କର।

ଯେଉଁମାନେ ମୋʼ ସଙ୍ଗେ ଯୁଦ୍ଧ କରନ୍ତି, ତୁମ୍ଭେ ସେମାନଙ୍କ ସଙ୍ଗେ ଯୁଦ୍ଧ କର।

2 ଢାଲ ଓ ଫଳକ ଧାରଣ କର

ଓ ମୋର ସାହାଯ୍ୟ ନିମନ୍ତେ ଠିଆ ହୁଅ।

3 ମଧ୍ୟ ବର୍ଚ୍ଛା ଧରି ମୋʼ ପଛେ ଗୋଡ଼ାଇବା ଲୋକମାନଙ୍କ ପଥ ରୁଦ୍ଧ କର;

ମୋʼ ପ୍ରାଣକୁ କୁହ, ଆମ୍ଭେ ତୁମ୍ଭର ପରିତ୍ରାଣ।

4 ମୋʼ ପ୍ରାଣର ଅନ୍ୱେଷଣକାରୀମାନେ ଲଜ୍ଜିତ ଓ ଅପମାନିତ ହେଉନ୍ତୁ;

ମୋହର ଅନିଷ୍ଟ ଚିନ୍ତକମାନେ ବିମୁଖ ଓ ବିବ୍ରତ ହେଉନ୍ତୁ।

5 ସେମାନେ ବାୟୁ ଆଗେ ତୁଷ ପରି ହେଉନ୍ତୁ

ଓ ସଦାପ୍ରଭୁଙ୍କ ଦୂତ ସେମାନଙ୍କୁ ଘଉଡ଼ାଇ ଦେଉନ୍ତୁ।

6 ସେମାନଙ୍କ ପଥ ଅନ୍ଧକାରମୟ ଓ ଖସଡ଼ା ହେଉ,

ପୁଣି, ସଦାପ୍ରଭୁଙ୍କ ଦୂତ ସେମାନଙ୍କ ପଛେ ଗୋଡ଼ାଉନ୍ତୁ।

7 ଯେହେତୁ ସେମାନେ ଅକାରଣରେ ମୋʼ ପାଇଁ ଗର୍ତ୍ତ ମଧ୍ୟରେ ଜାଲ ଲୁଚାଇଅଛନ୍ତି,

ସେମାନେ ଅକାରଣରେ ମୋʼ ପାଇଁ ଖାତ ଖୋଳିଅଛନ୍ତି।

8 ଅଜ୍ଞାତସାରରେ ତାହାକୁ ସର୍ବନାଶ ଘଟୁ

ଓ ତାହାର ଗୁପ୍ତ ଜାଲ ତାହାକୁ ହିଁ ଧରୁ;

ସର୍ବନାଶ ସହିତ ସେ ତହିଁ ମଧ୍ୟରେ ପଡ଼ୁ।

9 ଆଉ, ମୋହର ପ୍ରାଣ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବ

ଓ ତାହାଙ୍କ ପରିତ୍ରାଣରେ ଉଲ୍ଲାସ କରିବ।

10 ମୋହର ଅସ୍ଥିସକଳ କହିବ, "ହେ ସଦାପ୍ରଭୋ, ତୁମ୍ଭ ତୁଲ୍ୟ କିଏ ଅଛି?

ତୁମ୍ଭେ ଦୁଃଖୀକୁ ତାହା ଅପେକ୍ଷା ବଳବାନ ଲୋକଠାରୁ,

ମଧ୍ୟ ଦୁଃଖୀ ଓ ଦୀନହୀନକୁ ତାହାର ଲୁଟକାରୀଠାରୁ ଉଦ୍ଧାର କରିଥାଅ।"

11 ଅନ୍ୟାୟ ସାକ୍ଷୀମାନେ ଉଠୁଅଛନ୍ତି;

ସେମାନେ ଆମ୍ଭର ଅଜ୍ଞାତ ବିଷୟ ଆମ୍ଭକୁ ପଚାରୁଅଛନ୍ତି।

12 ସେମାନେ ହିତର ପରିବର୍ତ୍ତେ ମୋହର ଅହିତ କରନ୍ତି,

ତହିଁରେ ମୋହର ପ୍ରାଣ ଅନାଥ ହୁଏ।

13 ମାତ୍ର ସେମାନେ ପୀଡ଼ିତ ଥିବା ବେଳେ ଚଟ ମୋହର ପରିଧେୟ ବସ୍ତ୍ର ହେଲା;

ମୁଁ ଉପବାସ କରି ଆପଣା ପ୍ରାଣକୁ କ୍ଳେଶ ଦେଲି

ପୁଣି, ମୋହର ପ୍ରାର୍ଥନାର ଉତ୍ତର ମୋତେ ମିଳିଲା ନାହିଁ।

14 ସେମାନେ ମୋହର ବନ୍ଧୁ ଓ ଭ୍ରାତା ଥିଲା ପରି ମୁଁ ବ୍ୟବହାର କଲି;

ମୁଁ ମାତୃଶୋକାତୁର ଲୋକ ତୁଲ୍ୟ ଶୋକରେ ଅବନତ ହେଲି।

15 ମାତ୍ର ମୋହର ପାଦ ଖସିଯିବା ବେଳେ ସେମାନେ ଆନନ୍ଦ କରି ଏକତ୍ରିତ ହେଲେ;

ଅଧମ ଲୋକମାନେ ମୋʼ ଅଜ୍ଞାତସାରରେ ମୋʼ ପ୍ରତିକୂଳରେ ଏକତ୍ରିତ ହେଲେ;

ସେମାନେ ମୋତେ ବିଦୀର୍ଣ୍ଣ କଲେ ଓ କ୍ଷାନ୍ତ ନୋହିଲେ;

16 ଭୋଜରେ ପାଷାଣ୍ଡ ଉପହାସକମାନଙ୍କ ପରି

ସେମାନେ ମୋʼ ଉପରେ ଦନ୍ତ ଘର୍ଷଣ କଲେ।

17 ହେ ସଦାପ୍ରଭୋ, ତୁମ୍ଭେ କେତେ କାଳ ଅନାଇ ଥିବ?

ସେମାନଙ୍କ ଧ୍ୱଂସନରୁ ମୋହର ପ୍ରାଣକୁ,

ସିଂହମାନଙ୍କଠାରୁ ମୋହର ଏକମାତ୍ର ଆତ୍ମାକୁ ରକ୍ଷା କର।

18 ମୁଁ ମହାସମାଜ ମଧ୍ୟରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି।

ମୁଁ ମହାଜନତା ମଧ୍ୟରେ ତୁମ୍ଭର ପ୍ରଶଂସା କରିବି।

19 ମୋʼ ଉପରେ ମୋʼ ଶତ୍ରୁମାନଙ୍କୁ ଅନ୍ୟାୟରେ ଆନନ୍ଦ କରିବାକୁ ଦିଅ ନାହିଁ।

କିଅବା ଯେଉଁମାନେ ଅକାରଣରେ ମୋତେ ଘୃଣା କରନ୍ତି,

ସେମାନଙ୍କୁ ପରିହାସ କରିବାକୁ ଦିଅ ନାହିଁ।

20 ସେମାନେ ଶାନ୍ତିର କଥା କହନ୍ତି ନାହିଁ;

ମାତ୍ର ଦେଶସ୍ଥ ଶାନ୍ତ ଲୋକଙ୍କ ବିରୁଦ୍ଧରେ ଛଳକଥା କଳ୍ପନା କରନ୍ତି।

21 ହଁ, ସେମାନେ ମୋʼ ବିରୁଦ୍ଧରେ କଥା କହିଲେ;

ସେମାନେ କହିଲେ, "ହଁ, ହଁ, ଆମ୍ଭମାନଙ୍କ ଚକ୍ଷୁ ତାହା ଦେଖିଅଛି।"

22 ହେ ସଦାପ୍ରଭୋ, ତୁମ୍ଭେ ତାହା ଦେଖିଅଛ; ନୀରବ ରୁହ ନାହିଁ;

ହେ ପ୍ରଭୋ, ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ।

23 ହେ ମୋହର ପରମେଶ୍ୱର, ହେ ମୋହର ପ୍ରଭୋ, ଜାଗି ଉଠ,

ମୋହର ବିଚାର ଓ ବିବାଦ ନିଷ୍ପତ୍ତି କରିବା ପାଇଁ ଜାଗ୍ରତ ହୁଅ।

24 ହେ ସଦାପ୍ରଭୋ, ମୋହର ପରମେଶ୍ୱର, ତୁମ୍ଭର ଧର୍ମ ପ୍ରମାଣେ ମୋହର ବିଚାର କର

ଓ ସେମାନଙ୍କୁ ମୋʼ ଉପରେ ଆନନ୍ଦ କରିବାକୁ ଦିଅ ନାହିଁ।

25 "ହଁ, ସେପରି ହେଉ ବୋଲି ଆମ୍ଭମାନଙ୍କ ଇଚ୍ଛା," ଏହା ସେମାନେ ଆପଣା ଆପଣା ମନରେ ନ କହନ୍ତୁ;

"ଆମ୍ଭେମାନେ ତାହାକୁ ଗ୍ରାସ କରିଅଛୁ" ବୋଲି ସେମାନେ ନ କହନ୍ତୁ।

26 ଯେଉଁମାନେ ମୋʼ ବିପଦରେ ଆନନ୍ଦ କରନ୍ତି, ସେମାନେ ଏକତ୍ର ଲଜ୍ଜିତ ଓ ବିବ୍ରତ ହେଉନ୍ତୁ;

ଯେଉଁମାନେ ମୋʼ ବିରୁଦ୍ଧରେ ଦର୍ପ କରନ୍ତି, ସେମାନେ ଲଜ୍ଜା ଓ ଅପମାନ ପରିଧାନ କରନ୍ତୁ।

27 ଯେଉଁମାନେ ମୋʼ ଧର୍ମରେ ସନ୍ତୁଷ୍ଟ, ସେମାନେ ଆନନ୍ଦଧ୍ୱନି କରି ଆହ୍ଲାଦିତ ହେଉନ୍ତୁ;

ଆପଣା ଦାସର ସମୃଦ୍ଧିରେ ସନ୍ତୁଷ୍ଟ ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ ବୋଲି

ସେମାନେ ନିରନ୍ତର କହନ୍ତୁ।

28 ପୁଣି, ମୋହର ଜିହ୍ୱା ଦିନସାରା ତୁମ୍ଭ ଧର୍ମଗୁଣ

ଓ ତୁମ୍ଭ ପ୍ରଶଂସାର କଥା କହିବ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-