Publicidade

Salmos 143

ସହାୟତା ପାଇଁ ପ୍ରାର୍ଥନା
ଦାଉଦଙ୍କର ଗୀତ।

1 ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ; ମୋʼ ନିବେଦନରେ କର୍ଣ୍ଣପାତ କର;

ତୁମ୍ଭର ବିଶ୍ୱସ୍ତତା ଓ ଧର୍ମରେ ମୋତେ ଉତ୍ତର ଦିଅ।

2 ନିଜ ଦାସକୁ ବିଚାରରେ ଆଣ ନାହିଁ;

କାରଣ ତୁମ୍ଭ ଦୃଷ୍ଟିରେ କୌଣସି ଜୀବିତ ମନୁଷ୍ୟ ଧାର୍ମିକ ହୋଇ ପାରିବ ନାହିଁ।

3 ଶତ୍ରୁ ମୋʼ ପ୍ରାଣକୁ ତାଡ଼ନା କରିଅଛି;

ସେ ମୋʼ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛି;

ସେ ବହୁ କାଳରୁ ମୃତ ଲୋକମାନଙ୍କ ତୁଲ୍ୟ ମୋତେ ଅନ୍ଧକାର ସ୍ଥାନରେ ବାସ କରାଇଅଛି।

4 ଏହେତୁ ମୋହର ଆତ୍ମା ମୋʼ ଅନ୍ତରରେ ଉଦ୍‍ବିଗ୍ନ ହୋଇଅଛି;

ମୋʼ ଅନ୍ତରରେ ମୋହର ଚିତ୍ତ ଶୂନ୍ୟ ହୋଇଅଛି।

5 ମୁଁ ପୂର୍ବକାଳର ଦିନସବୁ ସ୍ମରଣ କରୁଅଛି;

ମୁଁ ତୁମ୍ଭର କର୍ମସବୁ ଧ୍ୟାନ କରୁଅଛି;

ମୁଁ ତୁମ୍ଭର ହସ୍ତକୃତ କର୍ମ ଚିନ୍ତା କରୁଅଛି।

6 ମୁଁ ତୁମ୍ଭଆଡ଼େ ହସ୍ତ ପ୍ରସାରୁଅଛି;

ଶୁଷ୍କ ଭୂମି ତୁଲ୍ୟ ମୋʼ ପ୍ରାଣ ତୁମ୍ଭ ପାଇଁ ତୃଷିତ ହେଉଅଛି। [ସେଲା]

7 ହେ ସଦାପ୍ରଭୋ, ମୋତେ ଉତ୍ତର ଦେବାକୁ ସତ୍ୱର ହୁଅ; ମୋହର ଆତ୍ମା କ୍ଷୀଣ ହେଉଅଛି;

ମୋʼ ଠାରୁ ଆପଣା ମୁଖ ଲୁଚାଅ ନାହିଁ;

କେଜାଣି ମୁଁ ଗର୍ତ୍ତଗାମୀମାନଙ୍କ ତୁଲ୍ୟ ହେବି।

8 ପ୍ରଭାତରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର କଥା ମୋତେ ଶୁଣାଅ;

କାରଣ ମୁଁ ତୁମ୍ଭଠାରେ ଭରସା ରଖେ;

ମୋହର ଗନ୍ତବ୍ୟ ପଥ ମୋତେ ଜଣାଅ;

କାରଣ ମୁଁ ତୁମ୍ଭଆଡ଼େ ଆପଣା ପ୍ରାଣ ଉଠାଏ।

9 ହେ ସଦାପ୍ରଭୋ, ମୋʼ ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର;

ମୁଁ ଲୁଚିବା ପାଇଁ ତୁମ୍ଭ ନିକଟକୁ ପଳାଏ।

10 ତୁମ୍ଭର ଇଷ୍ଟ ସାଧନ କରିବାକୁ ମୋତେ ଶିକ୍ଷା ଦିଅ;

କାରଣ ତୁମ୍ଭେ ମୋହର ପରମେଶ୍ୱର;

ତୁମ୍ଭର ଆତ୍ମା ମଙ୍ଗଳମୟ; ମୋତେ ସରଳ ଭୂମିରେ ଗମନ କରାଅ।

11 ହେ ସଦାପ୍ରଭୋ, ତୁମ୍ଭ ନାମ ସକାଶୁ ମୋତେ ସଜୀବ କର;

ତୁମ୍ଭ ଧର୍ମରେ ମୋʼ ପ୍ରାଣକୁ ସଙ୍କଟରୁ ବାହାର କରି ଆଣ।

12 ପୁଣି, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋʼ ଶତ୍ରୁମାନଙ୍କୁ ଉଚ୍ଛିନ୍ନ କର

ଓ ମୋʼ ପ୍ରାଣର କ୍ଳେଶଦାୟୀ ସମସ୍ତଙ୍କୁ ନାଶ କର;

କାରଣ ମୁଁ ତୁମ୍ଭର ଦାସ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-