Publicidade

Salmos 38

ଦୁଃଖୀର ପ୍ରାର୍ଥନା
ଦାଉଦଙ୍କର ଗୀତ, ସ୍ମରଣୋପାୟ।

1 ହେ ସଦାପ୍ରଭୋ, ତୁମ୍ଭ କୋପରେ ମୋତେ ଅନୁଯୋଗ କର ନାହିଁ;

କିଅବା ତୁମ୍ଭ ପ୍ରଚଣ୍ଡ କ୍ରୋଧରେ ମୋତେ ଶାସ୍ତି ଦିଅ ନାହିଁ।

2 କାରଣ ତୁମ୍ଭର ତୀରସବୁ ମୋʼ ଠାରେ ବିଦ୍ଧ ରହିଅଛି

ଓ ତୁମ୍ଭର ହସ୍ତ ମୋତେ ଅତିଶୟ ଚାପୁଅଛି।

3 ତୁମ୍ଭ କୋପ ସକାଶୁ ମୋʼ ଶରୀର କିଛି ସ୍ୱାସ୍ଥ୍ୟ ନାହିଁ;

ପୁଣି, ମୋʼ ପାପ ସକାଶୁ ମୋʼ ଅସ୍ଥିରେ କିଛି ଆରାମ ନାହିଁ।

4 କାରଣ ମୋହର ଅପରାଧ ମୋʼ ମସ୍ତକ ଉପରେ ଉଠିଅଛି;

ତାହାସବୁ ମୋʼ ଶକ୍ତି ଅପେକ୍ଷା ଭାରୀ ବୋଝ ସ୍ୱରୂପ।

5 ମୋହର ଅଜ୍ଞାନତା ସକାଶୁ ମୋହର କ୍ଷତସବୁ ଦୁର୍ଗନ୍ଧ

ଓ ବିକୃତ ହୋଇଅଛି।

6 ମୁଁ ବ୍ୟଥିତ ଓ ଅତ୍ୟନ୍ତ ଅବନତ ହୋଇଅଛି।

ମୁଁ ସାରାଦିନ ଶୋକ କରି ବୁଲୁଥାଏ।

7 କାରଣ ମୋʼ କଟିଦେଶ ଜ୍ୱାଳାରେ ପରିପୂର୍ଣ୍ଣ

ଓ ମୋହର ମାଂସରେ କିଛି ସ୍ୱାସ୍ଥ୍ୟ ନାହିଁ।

8 ମୁଁ କ୍ଷୀଣ ଓ ଅତିଶୟ ଚୂର୍ଣ୍ଣ ହୋଇଅଛି।

ମୁଁ ଆପଣା ଚିତ୍ତର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରିଅଛି।

9 ହେ ପ୍ରଭୋ, ମୋହର ସକଳ ବାଞ୍ଛା ତୁମ୍ଭ ସମ୍ମୁଖରେ ଅଛି

ଓ ମୋହର କାତରୋକ୍ତି ତୁମ୍ଭଠାରୁ ଗୁପ୍ତ ନୁହେଁ।

10 ମୋହର ହୃଦୟ ଧୁକ୍‍ଧୁକ୍‍ କରୁଅଛି, ମୋହର ବଳ କ୍ଷୀଣ ହେଉଅଛି;

ମୋହର ଚକ୍ଷୁର ତେଜ ମଧ୍ୟ ମୋʼ ଠାରୁ ଗଲାଣି।

11 ମୋହର ପ୍ରିୟ ଲୋକେ ଓ ମୋହର ମିତ୍ରମାନେ

ମୋʼ ବ୍ୟାଧିରୁ ଅଲଗା ଠିଆ ହୁଅନ୍ତି

ଓ ମୋହର ଜ୍ଞାତିବର୍ଗ ଦୂରରେ ଠିଆ ହୁଅନ୍ତି।

12 ମଧ୍ୟ ଯେଉଁମାନେ ମୋʼ ପ୍ରାଣ ଚାହାନ୍ତି, ସେମାନେ ମୋʼ ପାଇଁ ଫାନ୍ଦ ପାତନ୍ତି;

ପୁଣି, ଯେଉଁମାନେ ମୋହର ଅନିଷ୍ଟ ଇଚ୍ଛା କରନ୍ତି,

ସେମାନେ ସର୍ବନାଶର କଥା କହନ୍ତି ଓ ସାରାଦିନ ଛଳର ଚିନ୍ତା କରନ୍ତି।

13 ମାତ୍ର ମୁଁ ବଧିର ଲୋକ ପରି ଶୁଣୁ ନାହିଁ;

ପୁଣି, ମୁଁ ମୁଖ ନ ଫିଟାଇବା ଘୁଙ୍ଗା ଲୋକ ତୁଲ୍ୟ ହୁଏ।

14 ଆହୁରି, ଯେ ନ ଶୁଣେ ଓ ଯାହାର ମୁଖରେ ପ୍ରତିବାଦ ନ ଥାଏ,

ଏପରି ଲୋକ ତୁଲ୍ୟ ହୁଏ।

15 କାରଣ ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ଭରସା ରଖେ;

ହେ ପ୍ରଭୋ, ମୋର ପରମେଶ୍ୱର, ତୁମ୍ଭେ ଉତ୍ତର ଦେବ।

16 କାରଣ ମୁଁ କହିଲି, "କେଜାଣି ମୋହର ଶତ୍ରୁମାନେ ମୋʼ ଉପରେ ଆନନ୍ଦ କରିବେ;

ମୋʼ ପାଦ ଖସିଗଲା ବେଳେ ସେମାନେ ମୋʼ ପ୍ରତିକୂଳରେ ଦର୍ପ କରନ୍ତି।"

17 ଯେଣୁ ମୁଁ ଝୁଣ୍ଟି ପଡ଼ିବାକୁ ଉଦ୍ୟତ

ଓ ମୋହର ଦୁଃଖ ସର୍ବଦା ମୋʼ ସମ୍ମୁଖରେ ଥାଏ।

18 ମୁଁ ଆପଣା ଅପରାଧ ପ୍ରକାଶ କରିବି;

ମୁଁ ଆପଣା ପାପ ଲାଗି ଖେଦିତ ହେବି।

19 ମାତ୍ର ମୋହର ଶତ୍ରୁମାନେ ସତେଜ ଓ ବଳବାନ;

ପୁଣି, ଅନ୍ୟାୟରେ ମୋତେ ଘୃଣା କରିବା ଲୋକେ ବହୁସଂଖ୍ୟକ ହୋଇଅଛନ୍ତି।

20 ମଧ୍ୟ ଯେଉଁମାନେ ହିତର ପରିବର୍ତ୍ତେ ଅହିତ କରନ୍ତି,

ସେମାନେ ମୋହର ବିପକ୍ଷ; କାରଣ ମୁଁ ଉତ୍ତମ ବିଷୟର ଅନୁଗମନ କରେ।

21 ହେ ସଦାପ୍ରଭୋ, ମୋତେ ପରିତ୍ୟାଗ କର ନାହିଁ;

ହେ ମୋହର ପରମେଶ୍ୱର, ମୋʼ ଠାରୁ ଦୂରବର୍ତ୍ତୀ ହୁଅ ନାହିଁ।

22 ହେ ପ୍ରଭୋ, ମୋହର ପରିତ୍ରାଣ,

ମୋହର ସାହାଯ୍ୟ କରିବାକୁ ସତ୍ୱର ହୁଅ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-