Publicidade

Salmos 10

ନ୍ୟାୟ ପାଇଁ ପ୍ରାର୍ଥନା

1 ହେ ସଦାପ୍ରଭୋ, ତୁମ୍ଭେ କାହିଁକି ଦୂରରେ ଠିଆ ହେଉଅଛ?

ସଙ୍କଟ ସମୟରେ ତୁମ୍ଭେ କାହିଁକି ଆପଣାକୁ ଲୁଚାଉଅଛ?

2 ଦୁଷ୍ଟର ଗର୍ବରେ ଦରିଦ୍ର ତପ୍ତ ଭାବରେ ତାଡ଼ିତ ହୁଏ;

ସେମାନେ, ଆପଣାମାନଙ୍କ କଳ୍ପିତ କୌଶଳରେ ଧରା ପଡ଼ନ୍ତୁ।

3 କାରଣ ଦୁଷ୍ଟ ଆପଣା ମନୋବାଞ୍ଛା ବିଷୟରେ ଦର୍ପ କରେ;

ଆଉ, ଲୋଭୀ ସଦାପ୍ରଭୁଙ୍କୁ ତ୍ୟାଗ କରେ, ମଧ୍ୟ ତାହାଙ୍କୁ ଅବଜ୍ଞା କରେ।

4 ସେ ତାହା ଅନୁସନ୍ଧାନ କରିବେ ନାହିଁ ବୋଲି ଦୁଷ୍ଟ ଆପଣା ମୁଖର ଅହଙ୍କାରରେ କହେ,

ପରମେଶ୍ୱର ନାହାନ୍ତି, ଏହା ତାହାର ସକଳ ଚିନ୍ତାର ସାର।

5 ତାହାର ସମସ୍ତ ଗତି ସର୍ବଦା ଦୃଢ଼;

ମାତ୍ର ତୁମ୍ଭର ଶାସନ ତାହାର ଦୃଷ୍ଟିରୁ ଅତି ଊର୍ଦ୍ଧ୍ୱବର୍ତ୍ତୀ,

ସେ ଆପଣାର ସମସ୍ତ ବିପକ୍ଷ ପ୍ରତି ଫୁତ୍କାର କରେ।

6 ସେ ଆପଣା ମନେ ମନେ କହେ, "ମୋʼ ପ୍ରତି କିଛି ବିପଦ ଘଟିବ ନାହିଁ;

ପୁରୁଷାନୁକ୍ରମେ ମୁଁ ବିପଦଗ୍ରସ୍ତ ନୋହିବି।"

7 ତାହାର ମୁଖ ଅଭିଶାପ, ଛଳନା ଓ ଉପଦ୍ରବରେ ପରିପୂର୍ଣ୍ଣ;

ତାହାର ଜିହ୍ୱା ତଳେ ଅନିଷ୍ଟ ଓ ଅଧର୍ମ ଥାଏ।

8 ସେ ଗ୍ରାମର ଗୁପ୍ତ ସ୍ଥାନରେ ବସେ;

ସେ ଆବୃତ ସ୍ଥାନରେ ନିର୍ଦ୍ଦୋଷକୁ ହତ୍ୟା କରେ;

ଅସହାୟ ଲୋକର ପ୍ରତିକୂଳରେ ତାହାର ଚକ୍ଷୁ ଗୋପନରେ ଥାଏ।

9 ଯେପରି ସିଂହ ଆପଣା ଗହ୍ୱରରେ, ସେପରି ସେ ଆବୃତ ସ୍ଥାନରେ ଛକି ବସେ,

ସେ ଦରିଦ୍ରକୁ ଧରିବା ପାଇଁ ଛକି ବସେ;

ସେ ଶିକାରୀ ସଦୃଶ୍ୟ ଦରିଦ୍ରକୁ ଧରି ଆପଣା ଜାଲରେ ଟାଣେ।

10 ସେ ଛକି ବସେ, ସେ ନଇଁ ପଡ଼େ,

ତହୁଁ ଅସହାୟ ଲୋକେ ତାହାର ବଳିଷ୍ଠମାନଙ୍କ ଦ୍ୱାରା ପତିତ ହୁଅନ୍ତି।

11 ସେ ଆପଣା ମନେ ମନେ କହେ, "ପରମେଶ୍ୱର ପାସୋରି ଯାଇଅଛନ୍ତି;

ସେ ଆପଣା ମୁଖ ଲୁଚାନ୍ତି; ସେ କେବେ ତାହା ଦେଖିବେ ନାହିଁ।"

12 ହେ ସଦାପ୍ରଭୋ, ଉଠ; ହେ ପରମେଶ୍ୱର, ଆପଣା ହସ୍ତ ଉଠାଅ;

ଦୁଃଖୀମାନଙ୍କୁ ପାସୋର ନାହିଁ।

13 ଦୁଷ୍ଟ ଲୋକ କାହିଁକି ପରମେଶ୍ୱରଙ୍କୁ ଅବଜ୍ଞା କରେ

ଓ "ତୁମ୍ଭେ ଅନୁସନ୍ଧାନ କରିବ ନାହିଁ" ବୋଲି ସେ ଆପଣା ମନେ ମନେ କହେ?

14 ତୁମ୍ଭେ ତାହା ଦେଖିଅଛ; କାରଣ ତୁମ୍ଭେ ହସ୍ତକ୍ଷେପ କରିବା ପାଇଁ ଉପଦ୍ରବ ଓ ଦ୍ୱେଷ ପ୍ରତି ଦୃଷ୍ଟି କରୁଅଛ;

ଅସହାୟ ଲୋକ ଆପଣାକୁ ତୁମ୍ଭଠାରେ ସମର୍ପଣ କରେ;

ତୁମ୍ଭେ ପିତୃହୀନର ସହାୟ ହୋଇଅଛ।

15 ତୁମ୍ଭେ ଦୁଷ୍ଟର ବାହୁ ଭାଙ୍ଗିଦିଅ;

ଆଉ, ତୁମ୍ଭେ ମନ୍ଦ ଲୋକର କୌଣସି ଦୁଷ୍ଟତା ନ ପାଇବା ପର୍ଯ୍ୟନ୍ତ ତାହା ଅନୁସନ୍ଧାନ କର।

16 ସଦାପ୍ରଭୁ ଅନନ୍ତକାଳ ରାଜା ଅଟନ୍ତି;

ଅନ୍ୟ ଦେଶୀୟମାନେ ତାହାଙ୍କ ଦେଶରୁ ଲୁପ୍ତ ହୋଇଅଛନ୍ତି।

17 ହେ ସଦାପ୍ରଭୋ, ତୁମ୍ଭେ ନମ୍ର ଲୋକମାନଙ୍କର ବାଞ୍ଛା ଶୁଣିଅଛ;

ତୁମ୍ଭେ ସେମାନଙ୍କର ଅନ୍ତଃକରଣ ପ୍ରସ୍ତୁତ କରିବ, ତୁମ୍ଭେ ଶୁଣିବା ପାଇଁ ଆପଣା କର୍ଣ୍ଣ ଡେରିବ;

18 ପିତୃହୀନ ଓ ଉପଦ୍ରବଗ୍ରସ୍ତ ଲୋକଙ୍କର ବିଚାର କରିବ,

ତହିଁରେ ମୃତ୍ତିକାଜାତ ମନୁଷ୍ୟ ଆଉ ଭୟଙ୍କର ହୋଇ ପାରିବ ନାହିଁ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-16_18-40-07-