Publicidade

Salmos 135

ସ୍ତୁତି ବନ୍ଦନା

1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

ତୁମ୍ଭେମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କର;

ହେ ସଦାପ୍ରଭୁଙ୍କ ଦାସମାନେ, ତାହାଙ୍କର ପ୍ରଶଂସା କର।

2 ସଦାପ୍ରଭୁଙ୍କ ଗୃହରେ,

ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ-ପ୍ରାଙ୍ଗଣରେ ସେବା କରୁଥାଅ ଯେ ତୁମ୍ଭେମାନେ

3 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର; କାରଣ ସଦାପ୍ରଭୁ ମଙ୍ଗଳମୟ;

ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର; କାରଣ ତାହା ମନୋହର।

4 ଯେହେତୁ ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ

ଓ ନିଜର ସଞ୍ଚିତ ଧନ ରୂପେ ଇସ୍ରାଏଲକୁ ମନୋନୀତ କରିଅଛନ୍ତି।

5 କାରଣ ମୁଁ ଜାଣେ, ସଦାପ୍ରଭୁ ମହାନ

ଓ ଆମ୍ଭମାନଙ୍କ ପ୍ରଭୁ ସକଳ ଦେବତାଗଣ ଅପେକ୍ଷା ଶ୍ରେଷ୍ଠ।

6 ଆକାଶରେ ଓ ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ

ସଦାପ୍ରଭୁ ଯାହା ଇଚ୍ଛା କଲେ, ତାହା କରିଅଛନ୍ତି।

7 ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉଠାନ୍ତି;

ସେ ବୃଷ୍ଟି ନିମନ୍ତେ ବିଜୁଳି ଉତ୍ପନ୍ନ କରନ୍ତି;

ସେ ଆପଣା ଭଣ୍ଡାରସମୂହରୁ ବାୟୁ ବାହାର କରି ଆଣନ୍ତି।

8 ସେ ମିସରର ପ୍ରଥମଜାତ ମନୁଷ୍ୟ

ଓ ପଶୁ ଉଭୟକୁ ସଂହାର କଲେ।

9 ହେ ମିସର, ସେ ତୁମ୍ଭ ମଧ୍ୟକୁ, ଫାରୋ ପ୍ରତିକୂଳରେ, ତାହାର ଦାସଗଣ ପ୍ରତିକୂଳରେ

ନାନା ଚିହ୍ନ ଓ ଅଦ୍ଭୁତ ଲକ୍ଷଣ ପ୍ରେରଣ କଲେ।

10 ସେ ଅନେକ ଗୋଷ୍ଠୀଙ୍କୁ ସଂହାର କଲେ,

ପରାକ୍ରାନ୍ତ ରାଜାମାନଙ୍କୁ,

11 ଇମୋରୀୟମାନଙ୍କ ରାଜା ସୀହୋନକୁ

ଓ ବାଶନର ରାଜା ଓଗ୍‍କୁ,

ଆଉ କିଣାନର ସକଳ ରାଜ୍ୟକୁ ବଧ କଲେ।

12 ପୁଣି, ସେମାନଙ୍କର ଦେଶ ଅଧିକାର ନିମନ୍ତେ ଦେଲେ,

ଆପଣା ଲୋକ ଇସ୍ରାଏଲକୁ ଅଧିକାରାର୍ଥେ ଦେଲେ।

13 ହେ ସଦାପ୍ରଭୋ, ତୁମ୍ଭ ନାମ ଅନନ୍ତକାଳସ୍ଥାୟୀ;

ହେ ସଦାପ୍ରଭୋ, ତୁମ୍ଭ ସ୍ମରଣ ପୁରୁଷ-ପରମ୍ପରାରେ ଥାଏ।

14 ଯେହେତୁ ସଦାପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ

ଓ ଆପଣା ଦାସମାନଙ୍କ ପ୍ରତି ସଦୟ ହେବେ।

15 ଅନ୍ୟ ଦେଶୀୟମାନଙ୍କ ପ୍ରତିମାସବୁ ରୂପା ଓ ସୁନା,

ମନୁଷ୍ୟର ହସ୍ତକୃତ କର୍ମ ଅଟେ।

16 ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ,

ସେମାନଙ୍କର ଚକ୍ଷୁ ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ;

17 ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ;

କିଅବା ସେମାନଙ୍କ ମୁଖରେ ନିଶ୍ୱାସପ୍ରଶ୍ୱାସ ନାହିଁ।

18 ସେମାନଙ୍କର ନିର୍ମାଣକାରୀମାନେ ଓ ସେମାନଙ୍କଠାରେ ନିର୍ଭରକାରୀ

ପ୍ରତ୍ୟେକେ ସେମାନଙ୍କ ତୁଲ୍ୟ ହେବେ।

19 ହେ ଇସ୍ରାଏଲ ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର;

ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର;

20 ହେ ଲେବୀ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।

ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।

21 ଯିରୂଶାଲମବାସୀ ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହେଉନ୍ତୁ।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-