Publicidade

Salmos 102

ଜଣେ ଦୁଃଖରେ ବ୍ୟଥିତ ବ୍ୟକ୍ତିର ପ୍ରାର୍ଥନା
ଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।

1 ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ

ଓ ମୋʼ କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ।

2 ମୋʼ ସଙ୍କଟ ଦିନରେ ମୋʼ ଠାରୁ ତୁମ୍ଭ ମୁଖ ଲୁଚାଅ ନାହିଁ;

ମୋʼ ପ୍ରତି ଆପଣା କର୍ଣ୍ଣ ଡେର;

ମୁଁ ପ୍ରାର୍ଥନା କରିବା ଦିନରେ ମୋତେ ଶୀଘ୍ର ଉତ୍ତର ଦିଅ।

3 କାରଣ ମୋʼ ବଞ୍ଚିବାର ଦିନସବୁ ଧୂଆଁ ପରି କ୍ଷୟ ପାଏ

ଓ ମୋହର ଅସ୍ଥିସବୁ ନିଆଁଖୁଣ୍ଟା ପରି ପୋଡ଼ିଯାଏ।

4 ମୋହର ହୃଦୟ ତୃଣ ପରି ଉତ୍ତାପିତ ଓ ଶୁଷ୍କ ହୋଇଅଛି,

ମୁଁ ଆପଣା ଆହାର ଭୋଜନ କରିବାକୁ ପାସୋରି ଯାଏ।

5 ମୋହର ହାହାକାର ଶବ୍ଦ ସକାଶୁ

ମୋʼ ଅସ୍ଥିସବୁ ମୋʼ ମାଂସରେ ଲାଗି ରହେ।

6 ମୁଁ ପ୍ରାନ୍ତରସ୍ଥ ପାଣିଭେଳା ପକ୍ଷୀର ତୁଲ୍ୟ;

ମୁଁ ନରଶୂନ୍ୟ ସ୍ଥାନର ପେଚା ପରି ହୋଇଅଛି।

7 ମୁଁ ଉଜାଗର ରହେ

ଓ ଛାତ ଉପରିସ୍ଥ ଏକାକୀ ଥିବା ଘରଚଟିଆ ତୁଲ୍ୟ ହୋଇଅଛି;

8 ମୋʼ ଶତ୍ରୁମାନେ ସାରାଦିନ ମୋତେ ନିନ୍ଦା କରନ୍ତି;

ମୋʼ ବିରୁଦ୍ଧରେ କ୍ରୋଧାନ୍ୱିତ ଲୋକମାନେ ମୋʼ ନାମ ନେଇ ଅଭିଶାପ ଦିଅନ୍ତି।

9 କାରଣ ମୁଁ ଅନ୍ନ ପରି ଭସ୍ମ ଭୋଜନ କରିଅଛି

ଓ ମୋହର ପେୟଦ୍ରବ୍ୟ ନେତ୍ରଜଳ ସଙ୍ଗେ ମିଶାଇଅଛି।

10 ତୁମ୍ଭର କ୍ରୋଧ ଓ କୋପ ସକାଶୁ ଏହା ହୋଇଅଛି;

ଯେହେତୁ ତୁମ୍ଭେ ମୋତେ ଉଠାଇ ପକାଇ ଦେଇଅଛ।

11 ମୋହର ଦିନସବୁ କ୍ଷୟ ପାଉଥିବା ଛାୟା ତୁଲ୍ୟ

ଓ ମୁଁ ତୃଣ ତୁଲ୍ୟ ଶୁଷ୍କ ହେଉଅଛି।

12 ମାତ୍ର ହେ ସଦାପ୍ରଭୋ, ତୁମ୍ଭେ ଅନନ୍ତକାଳ

ଓ ତୁମ୍ଭର ସ୍ମରଣ ପୁରୁଷାନୁକ୍ରମରେ ଥିବ।

13 ତୁମ୍ଭେ ଉଠି ସିୟୋନକୁ ଦୟା କରିବ;

କାରଣ ତାହା ପ୍ରତି କୃପା କରିବାର ସମୟ ଏହି, ହଁ,

ନିରୂପିତ ସମୟ ଉପସ୍ଥିତ।

14 ଯେହେତୁ ତୁମ୍ଭ ଦାସମାନେ ତହିଁର ପଥରରେ ଶ୍ରଦ୍ଧା

ଓ ତହିଁର ଧୂଳିରେ ଦୟାଭାବ ବହନ୍ତି।

15 ତହିଁରେ ଅନ୍ୟ ଦେଶୀୟମାନେ ସଦାପ୍ରଭୁଙ୍କ ନାମକୁ

ଓ ପୃଥିବୀସ୍ଥ ରାଜାଗଣ ତୁମ୍ଭ ମହିମାକୁ ଭୟ କରିବେ।

16 କାରଣ ସଦାପ୍ରଭୁ ସିୟୋନକୁ ପୁନଃନିର୍ମାଣ କରିଅଛନ୍ତି

ଓ ସେ ଆପଣା ଗୌରବରେ ଦର୍ଶନ ଦେଇଅଛନ୍ତି;

17 ସେ ଦୀନହୀନମାନଙ୍କ ପ୍ରାର୍ଥନାରେ ମନୋଯୋଗ କରିଅଛନ୍ତି

ଓ ସେ ସେମାନଙ୍କ ପ୍ରାର୍ଥନା ତୁଚ୍ଛ କରି ନାହାନ୍ତି।

18 ଏହା ଭବିଷ୍ୟତ ବଂଶ ନିମନ୍ତେ ଲିଖିତ ହେବ;

ଆଉ, ଯେଉଁ ଗୋଷ୍ଠୀ ସୃଷ୍ଟ ହେବେ, ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରିବେ।

19 କାରଣ ବନ୍ଦୀର ହାହାକାର ଶୁଣିବାକୁ,

ହତ ହେବା ନିମନ୍ତେ ନିରୂପିତ ଲୋକମାନଙ୍କୁ ମୁକ୍ତ କରିବାକୁ;

20 ସଦାପ୍ରଭୁ ଆପଣାର ଉଚ୍ଚ ଧର୍ମଧାମରୁ ଦୃଷ୍ଟିପାତ କରିଅଛନ୍ତି;

ସେ ସ୍ୱର୍ଗରୁ ପୃଥିବୀକୁ ଅବଲୋକନ କଲେ;

21 ତହିଁରେ ସଦାପ୍ରଭୁଙ୍କ ସେବା କରିବା ନିମନ୍ତେ

ଗୋଷ୍ଠୀବର୍ଗ ଓ ରାଜ୍ୟସକଳ ଏକତ୍ରିତ ହେବା ବେଳେ,

22 ଲୋକମାନେ ସିୟୋନରେ ସଦାପ୍ରଭୁଙ୍କ ନାମ

ଓ ଯିରୂଶାଲମରେ ତାହାଙ୍କର ପ୍ରଶଂସା ପ୍ରଚାର କରିବେ;

23 ସଦାପ୍ରଭୁ ଜୀବନର ପଥ ମଧ୍ୟରେ ମୋର ବଳ ହ୍ରାସ କଲେ,

ସେ ମୋହର ଆୟୁ ଊଣା କଲେ।

24 ମୁଁ କହିଲି, "ହେ ମୋହର ପରମେଶ୍ୱର, ଆୟୁର ମଧ୍ୟଭାଗରେ ମୋତେ ନେଇ ନ ଯାଅ;

ତୁମ୍ଭର ବର୍ଷ ପୁରୁଷାନୁକ୍ରମରେ ଥାଏ।"

25 ତୁମ୍ଭେ ଆଦ୍ୟରୁ ପୃଥିବୀର ମୂଳ ସ୍ଥାପନ କରିଅଛ;

ପୁଣି, ଆକାଶମଣ୍ଡଳ ତୁମ୍ଭର ହସ୍ତକୃତ କର୍ମ।

26 ସେସବୁ ବିନଷ୍ଟ ହେବେ, ମାତ୍ର ତୁମ୍ଭେ ନିତ୍ୟ ଥିବ;

ହଁ, ତହିଁ ମଧ୍ୟରୁ ସକଳ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ;

ଆଉ, ତୁମ୍ଭେ ପରିଧେୟ ବସ୍ତ୍ର ପରି ସେସବୁ ପରିବର୍ତ୍ତନ କରିବ ଓ ସେସବୁ ପରିବର୍ତ୍ତିତ ହେବେ।

27 ମାତ୍ର ତୁମ୍ଭେ ସେହି ଅଟ

ଓ ତୁମ୍ଭ ବଞ୍ଚିବାର ବର୍ଷ ଶେଷ ହେବ ନାହିଁ।

28 ତୁମ୍ଭ ଦାସଗଣର ସନ୍ତାନମାନେ ରହିବେ

ଓ ସେମାନଙ୍କର ବଂଶ ତୁମ୍ଭ ସାକ୍ଷାତରେ ସୁସ୍ଥିର ହେବେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-