Publicidade

Salmos 116

ମୃତ୍ୟୁୁରୁ ରକ୍ଷା ପାଇଥିବା ବ୍ୟକ୍ତିର ସଦାପ୍ରଭୁଙ୍କ ପ୍ରଶଂସା

1 ମୁଁ ସଦାପ୍ରଭୁଙ୍କୁ ପ୍ରେମ କରେ,

କାରଣ ସେ ମୋʼ ରବ ଓ ବିନତି ଶୁଣିଅଛନ୍ତି।

2 ସେ ମୋʼ ପ୍ରତି କର୍ଣ୍ଣପାତ କରିଅଛନ୍ତି,

ଏଥିପାଇଁ ମୁଁ ବଞ୍ଚିଥିବା ଯାଏ, ତାହାଙ୍କ ନିକଟରେ ପ୍ରାର୍ଥନା କରିବି।

3 ମୃତ୍ୟୁର ରଜ୍ଜୁ ମୋତେ ଘେରିଲା,

ପାତାଳର ଯନ୍ତ୍ରଣା ମୋତେ ଧରିଲା;

ମୁଁ ସଙ୍କଟ ଓ ଦୁଃଖରେ ପଡ଼ିଲି।

4 ସେତେବେଳେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି;

"ହେ ସଦାପ୍ରଭୁ, ମୁଁ ବିନୟ କରୁଅଛି, ମୋʼ ପ୍ରାଣକୁ ଉଦ୍ଧାର କର।"

5 ସଦାପ୍ରଭୁ କୃପାବାନ ଓ ଧର୍ମମୟ;

ହଁ, ଆମ୍ଭମାନଙ୍କ ପରମେଶ୍ୱର ସ୍ନେହଶୀଳ ଅଟନ୍ତି।

6 ସଦାପ୍ରଭୁ ସରଳ ଲୋକଙ୍କୁ ରକ୍ଷା କରନ୍ତି;

ମୁଁ ଦୀନହୀନ ହେଲେ ହେଁ ସେ ମୋର ପରିତ୍ରାଣ କଲେ।

7 ହେ ମୋହର ପ୍ରାଣ, ଆପଣା ବିଶ୍ରାମ-ସ୍ଥାନକୁ ନେଉଟି ଯାଅ;

କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି।

8 ତୁମ୍ଭେ ମୃତ୍ୟୁୁରୁ ମୋହର ପ୍ରାଣ

ଓ ଲୋତକରୁ ମୋହର ଚକ୍ଷୁ

ଓ ଝୁଣ୍ଟିପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଅଛ।

9 ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ

ଜୀବିତମାନଙ୍କ ଦେଶରେ ଗମନାଗମନ କରିବି।

10 ମୁଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି, ଏଣୁ ମୁଁ କହିବି;

"ମୁଁ ନିତାନ୍ତ ଦୁଃଖଗ୍ରସ୍ତ ଥିଲି,"

11 ମୁଁ ଚଞ୍ଚଳ ଭାବରେ କହିଲି,

"ମନୁଷ୍ୟ ମାତ୍ରେ ହିଁ ମିଥ୍ୟା।"

12 ମୋʼ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳଦାନ ପାଲଟେ

ମୁଁ ତାହାଙ୍କୁ କି ପ୍ରତିଦାନ କରିବି?

13 ମୁଁ ପରିତ୍ରାଣର ପାତ୍ର ଗ୍ରହଣ କରିବି

ଓ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି।

14 ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ

ଓ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନତ ପୂର୍ଣ୍ଣ କରିବି।

15 ସଦାପ୍ରଭୁଙ୍କ ଦୃଷ୍ଟିରେ ତାହାଙ୍କ

ସଦ୍‍ଭକ୍ତମାନଙ୍କ ମରଣ ବହୁମୂଲ୍ୟ ଅଟେ।

16 ହେ ସଦାପ୍ରଭୋ, ମୁଁ ନିତାନ୍ତ ତୁମ୍ଭର ଦାସ;

ମୁଁ ତୁମ୍ଭର ଦାସ, ତୁମ୍ଭ ଦାସୀର ପୁତ୍ର;

ତୁମ୍ଭେ ମୋହର ବନ୍ଧନସବୁ ମୁକୁଳାଇଅଛ।

17 ମୁଁ ତୁମ୍ଭ ନିକଟରେ ଧନ୍ୟବାଦାର୍ଥକ ବଳି ଉତ୍ସର୍ଗ କରିବି,

ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି।

18 ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ,

ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ,

19 ହେ ଯିରୂଶାଲମ, ତୁମ୍ଭ ମଧ୍ୟରେ, ସଦାପ୍ରଭୁଙ୍କ

ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-