Publicidade

Salmos 144

ରାଜାଙ୍କ ବିଜୟୋଲ୍ଲାସ ସ୍ତୁତି
ଦାଉଦଙ୍କର ଗୀତ।

1 ମୋହର ଶୈଳ ସ୍ୱରୂପ ସଦାପ୍ରଭୁ ଧନ୍ୟ ହେଉନ୍ତୁ,

ସେ ମୋʼ ହସ୍ତକୁ ଯୁଦ୍ଧ ଶିଖାନ୍ତି

ଓ ମୋʼ ଅଙ୍ଗୁଳିକୁ ସଂଗ୍ରାମ ଶିଖାନ୍ତି।

2 ସେ ମୋହର ସ୍ନେହପୂର୍ଣ୍ଣ କରୁଣା ଓ ମୋହର ଗଡ଼,

ମୋହର ଉଚ୍ଚ ଦୁର୍ଗ ଓ ମୋହର ଉଦ୍ଧାରକର୍ତ୍ତା,

ମୋହର ଢାଲ ଓ ସେ ମୋହର ଆଶ୍ରୟଭୂମି;

ସେ ଗୋଷ୍ଠୀସମୂହକୁ ମୋʼ ପଦ ତଳେ ବଶୀଭୂତ କରନ୍ତି।

3 ହେ ସଦାପ୍ରଭୋ, ମନୁଷ୍ୟ କିଏ ଯେ, ତୁମ୍ଭେ ତାହାର ପରିଚୟ ନିଅ?

ସେ ଅବା କିଏ ଯେ, ତୁମ୍ଭେ ତାହାକୁ ଗଣ୍ୟ କର?

4 ମନୁଷ୍ୟ ଅସାର ବସ୍ତୁ ତୁଲ୍ୟ;

ତାହାର ଦିନସବୁ ବହିଯିବା ଛାୟା ତୁଲ୍ୟ।

5 ହେ ସଦାପ୍ରଭୋ, ଆପଣା ଗଗନମଣ୍ଡଳ ନୁଆଁଇ ତଳକୁ ଆସ;

ପର୍ବତଗଣକୁ ସ୍ପର୍ଶ କର, ତହିଁରେ ସେମାନେ ଧୂମ ନିର୍ଗତ କରିବେ।

6 ବିଜୁଳି ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କର;

ଆପଣା ତୀର ମାରି ସେମାନଙ୍କୁ ପରାସ୍ତ କର।

7 ଊର୍ଦ୍ଧ୍ୱରୁ ଆପଣା ହସ୍ତ ବଢ଼ାଅ;

ମୋତେ ରକ୍ଷା କର, ମହାଜଳରାଶିରୁ ମୋତେ ଉଦ୍ଧାର କର;

ପୁଣି, ଯେଉଁମାନଙ୍କ ମୁଖ ଅସାର କଥା କହଇ

8 ଓ ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ,

ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର।

9 ହେ ପରମେଶ୍ୱର, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ନୂତନ ଗୀତ ଗାନ କରିବି;

ଦଶତାର-ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।

10 ସେ ରାଜାମାନଙ୍କୁ ପରିତ୍ରାଣ ପ୍ରଦାନ କରନ୍ତି;

ସେ ଆପଣା ଦାସ ଦାଉଦଙ୍କୁ କ୍ଷତିକାରକ ଖଡ୍ଗରୁ ରକ୍ଷା କରନ୍ତି।

11 ମୋତେ ରକ୍ଷା କର ଓ ଯେଉଁମାନଙ୍କର ମୁଖ ଅସାର କଥା କହଇ,

ପୁଣି, ଯେଉଁମାନଙ୍କ ଦକ୍ଷିଣ ହସ୍ତ ଅସତ୍ୟର ଦକ୍ଷିଣ ହସ୍ତ,

ଏପରି ବିଦେଶୀୟମାନଙ୍କ ହସ୍ତରୁ ମୋତେ ଉଦ୍ଧାର କର।

12 ଯେତେବେଳେ ଆମ୍ଭମାନଙ୍କ ପୁତ୍ରଗଣ ଯୌବନାବସ୍ଥାରେ ବୃକ୍ଷର ଚାରା ତୁଲ୍ୟ ବର୍ଦ୍ଧନଶୀଳ ହେବେ

ଓ ଆମ୍ଭମାନଙ୍କ କନ୍ୟାଗଣ ଅଟ୍ଟାଳିକାର ଗଠନାନୁସାରେ ଖୋଦିତ କୋଣ-ପ୍ରସ୍ତର ତୁଲ୍ୟ ହେବେ;

13 ଆମ୍ଭମାନଙ୍କ ଭଣ୍ଡାରସବୁ ପରିପୂର୍ଣ୍ଣ; ସର୍ବପ୍ରକାର ଦ୍ରବ୍ୟବିଶିଷ୍ଟ ହେବ;

ଆମ୍ଭମାନଙ୍କ ମେଷଗଣ ଆମ୍ଭମାନଙ୍କ କ୍ଷେତ୍ରରେ ସହସ୍ର ସହସ୍ର ଓ ଅୟୁତ ଅୟୁତ ଶାବକ ପ୍ରସବ କରିବେ;

14 ଆମ୍ଭମାନଙ୍କ ବଳଦସବୁ ଉତ୍ତମ ରୂପେ ବୋଝାଇ ହେବେ;

କୌଣସି ଭଗ୍ନଦଶା ଓ ବହିର୍ଗମନ ଘଟିବ ନାହିଁ, ପୁଣି,

ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ହେବ ନାହିଁ;

15 ଏହିପରି ଅବସ୍ଥାପନ୍ନ ଗୋଷ୍ଠୀ ଧନ୍ୟ;

ହଁ, ସଦାପ୍ରଭୁ ଯେଉଁ ଗୋଷ୍ଠୀର ପରମେଶ୍ୱର, ସେ ଧନ୍ୟ!

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-