Publicidade

Salmos 39

ଅନ୍ତିମକାଳର ପରିଚୟ ଦିଅ
ପ୍ରଧାନ ବାଦ୍ୟକର ନିମନ୍ତେ, ଯିଦୂଥୂନ୍‍ ପାଇଁ ଦାଉଦଙ୍କର ଗୀତ।

1 ମୁଁ କହିଲି, "ମୁଁ ଜିହ୍ୱାରେ ପାପ ନ କରିବା ପାଇଁ

ଆପଣା ପଥ ବିଷୟରେ ସାବଧାନ ହେବି;

ଦୁଷ୍ଟ ମୋʼ ସମ୍ମୁଖରେ ଥିବା ପର୍ଯ୍ୟନ୍ତ

ମୁଁ ଆପଣା ମୁଖକୁ ଲଗାମ ଦେଇ ରଖିବି।"

2 ମୁଁ ମୌନ ହୋଇ ନୀରବ ଥିଲି, ସତ କଥାରୁ ହିଁ ନିବୃତ୍ତ ରହିଲି;

ତହିଁରେ ମୋହର ଦୁଃଖ ପ୍ରବଳ ହେଲା;

3 ମୁଁ ମୋହର ଅନ୍ତରରେ ଅତିଶୟ ଚିନ୍ତିତ ହେଲି;

ମୁଁ ଯେମିତି ମୋହର ସମସ୍ୟା ବିଷୟରେ ଭାବିଲି, ମୁଁ ଅଧିକ ଚିନ୍ତିତ ହେଲି;

ତେବେ ମୁଁ ଆପଣା ଜିହ୍ୱାରେ କଥା କହିଲି;

4 "ହେ ସଦାପ୍ରଭୋ, ମୋହର ଅନ୍ତିମକାଳ

ଓ ମୋʼ ଦିନର ପରିମାଣ କଅଣ, ମୋତେ ଜଣାଅ;

ମୁଁ କିପରି କ୍ଷଣକାଳସ୍ଥାୟୀ, ଏହା ଜାଣିବାକୁ ଦିଅ।

5 ଦେଖ, ତୁମ୍ଭେ ମୋହର ଦିନ କେତେକ ମୁଷ୍ଟି ପରିମିତ କରିଅଛ;

ମୋହର ଆୟୁ ତୁମ୍ଭ ଦୃଷ୍ଟିରେ ଅବସ୍ତୁ ତୁଲ୍ୟ;

ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଆପଣା ସର୍ବୋତ୍ତମ ଅବସ୍ଥାରେ

ହିଁ ନିତାନ୍ତ ଅସାର। [ସେଲା]

6 ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଛାୟା ତୁଲ୍ୟ ଗମନାଗମନ କରେ;

ନିଶ୍ଚୟ ସେମାନେ ଅସାରରେ ବ୍ୟସ୍ତ;

ସେ ଧନ ଗଦା କରେ, ଆଉ କିଏ ତାହା ସଂଗ୍ରହ କରିବ, ଜାଣେ ନାହିଁ।

7 ହେ ପ୍ରଭୋ, ଏବେ ମୁଁ କାହିଁର ଅପେକ୍ଷା କରିବି?

ମୋହର ପ୍ରତ୍ୟାଶା ତୁମ୍ଭଠାରେ ଅଛି।

8 ମୋହର ସକଳ ଅଧର୍ମରୁ ମୋତେ ଉଦ୍ଧାର କର;

ମୋତେ ମୂର୍ଖ ଲୋକର ନିନ୍ଦାପାତ୍ର କର ନାହିଁ।

9 ମୁଁ ଘୁଙ୍ଗା ହୋଇଥିଲି, ମୁଁ ଆପଣା ମୁଖ ଫିଟାଇଲି ନାହିଁ;

କାରଣ ତୁମ୍ଭେ ତାହା କଲ।

10 ମୋʼ ଠାରୁ ତୁମ୍ଭ ଆଘାତ ଦୂର କର;

ତୁମ୍ଭ କରାଘାତରେ ମୁଁ କ୍ଷୀଣ ହେଲି।

11 ତୁମ୍ଭେ ମନୁଷ୍ୟକୁ ଅପରାଧ ସକାଶୁ ଅନୁଯୋଗ ଦ୍ୱାରା

ଶାସ୍ତି ଦେଲା ବେଳେ କୀଟ ପରି ତାହାର ସୌନ୍ଦର୍ଯ୍ୟ ବିନାଶ କରିଥାଅ;

ନିଶ୍ଚୟ ପ୍ରତ୍ୟେକ ମନୁଷ୍ୟ ଅସାର। [ସେଲା]

12 ହେ ସଦାପ୍ରଭୋ, ମୋହର ପ୍ରାର୍ଥନା ଶୁଣ ଓ ମୋʼ

ଆର୍ତ୍ତସ୍ୱରରେ କର୍ଣ୍ଣ ଦିଅ;

ମୋʼ ଅଶ୍ରୁପାତରେ ନୀରବ ହୁଅ ନାହିଁ;

କାରଣ ମୁଁ ତୁମ୍ଭ ନିକଟରେ ବିଦେଶୀ,

ମୋହର ସମସ୍ତ ପୂର୍ବପୁରୁଷଗଣଙ୍କ ତୁଲ୍ୟ ପ୍ରବାସୀ।

13 ମୁଁ ଏଠାରୁ ପ୍ରସ୍ଥାନ କରିବାର ଓ ଆଉ ନ ଥିବାର ପୂର୍ବେ ଯେପରି ପ୍ରଫୁଲ୍ଲ ହେବି,

ଏଥିପାଇଁ ମୋʼ ଠାରୁ ଦୃଷ୍ଟି ଫେରାଅ।"

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-