Publicidade

Salmos 115

ଏକମାତ୍ର ସତ୍ୟ ପରମେଶ୍ୱର

1 ହେ ସଦାପ୍ରଭୋ, ଆମ୍ଭମାନଙ୍କୁ ନୁହେଁ, ଆମ୍ଭମାନଙ୍କୁ ନୁହେଁ,

ମାତ୍ର ତୁମ୍ଭ ଦୟା ଓ ତୁମ୍ଭ ସତ୍ୟତା ସକାଶେ

ଆପଣା ନାମକୁ ଗୌରବାନ୍ୱିତ କର।

2 "ଏବେ ସେମାନଙ୍କର ପରମେଶ୍ୱର କାହାନ୍ତି," ଏହା

ଅନ୍ୟ ଦେଶୀୟମାନେ କାହିଁକି କହିବେ?

3 ମାତ୍ର ଆମ୍ଭମାନଙ୍କ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି;

ଯାହା ତାହାଙ୍କର ଇଚ୍ଛା, ତାହା ସେ କରିଅଛନ୍ତି।

4 ସେମାନଙ୍କର ପ୍ରତିମାସବୁ ରୂପା ଓ ସୁନା,

ମନୁଷ୍ୟର ହସ୍ତକୃତ କର୍ମ ଅଟେ।

5 ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ;

ଚକ୍ଷୁ ସେମାନଙ୍କର ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ।

6 ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ;

ନାସିକା ସେମାନଙ୍କର ଅଛି, ମାତ୍ର ସେମାନେ ଆଘ୍ରାଣ କରନ୍ତି ନାହିଁ;

7 ସେମାନଙ୍କର ହସ୍ତ ଅଛି, ମାତ୍ର ସେମାନେ ସ୍ପର୍ଶ କରନ୍ତି ନାହିଁ;

ଚରଣ ସେମାନଙ୍କର ଅଛି, ମାତ୍ର ସେମାନେ ଗମନ କରନ୍ତି ନାହିଁ;

କିଅବା କଣ୍ଠରେ ସେମାନେ କଥା କହନ୍ତି ନାହିଁ।

8 ସେମାନଙ୍କର ନିର୍ମାଣକାରୀମାନେ

ଓ ସେମାନଙ୍କଠାରେ ନିର୍ଭରକାରୀମାନେ ସେମାନଙ୍କ ତୁଲ୍ୟ ହେବେ।

9 ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁଙ୍କଠାରେ ନିର୍ଭର କର;

ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।

10 ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର;

ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।

11 ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର;

ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ।

12 ସଦାପ୍ରଭୁ ଆମ୍ଭମାନଙ୍କ ବିଷୟରେ ମନୋଯୋଗୀ ହୋଇଅଛନ୍ତି; ସେ ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ;

ସେ ଇସ୍ରାଏଲ ବଂଶକୁ ଆଶୀର୍ବାଦ କରିବେ;

ସେ ହାରୋଣ-ବଂଶକୁ ଆଶୀର୍ବାଦ କରିବେ।

13 ସେ ସଦାପ୍ରଭୁଙ୍କ ଭୟକାରୀ

ସାନ ଓ ବଡ଼ ସମସ୍ତଙ୍କୁ ଆଶୀର୍ବାଦ କରିବେ।

14 ସଦାପ୍ରଭୁ ତୁମ୍ଭମାନଙ୍କୁ,

ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ସନ୍ତାନଗଣକୁ ଆହୁରି ଆହୁରି ବୃଦ୍ଧି କରନ୍ତୁ।

15 ତୁମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା

ସଦାପ୍ରଭୁଙ୍କର ଆଶୀର୍ବାଦ-ପାତ୍ର ଅଟ।

16 ସ୍ୱର୍ଗ ସଦାପ୍ରଭୁଙ୍କର ସ୍ୱର୍ଗ;

ମାତ୍ର ସେ ମନୁଷ୍ୟ-ସନ୍ତାନଗଣକୁ ପୃଥିବୀ ଦେଇଅଛନ୍ତି।

17 ମୃତମାନେ, କିଅବା ଯେଉଁମାନେ ନୀରବ ସ୍ଥାନରେ ଅବରୋହଣ କରନ୍ତି,

ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ;

18 ମାତ୍ର ଆମ୍ଭେମାନେ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ

ସଦାପ୍ରଭୁଙ୍କର ଧନ୍ୟବାଦ କରିବା।

ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-