Publicidade

Malaquias 2

1 "ଏବେ ହେ ଯାଜକଗଣ, ତୁମ୍ଭମାନଙ୍କ ପ୍ରତି ଏହି ଆଜ୍ଞା। 2 ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯଦି ତୁମ୍ଭେମାନେ ନ ଶୁଣିବ ଓ ଆମ୍ଭ ନାମକୁ ଗୌରବ ଦେବା ନିମନ୍ତେ ମନୋଯୋଗ ନ କରିବ, ତେବେ ଆମ୍ଭେ ତୁମ୍ଭମାନଙ୍କ ଉପରେ ଅଭିଶାପ ପ୍ରେରଣ କରିବା ଓ ଆମ୍ଭେ ତୁମ୍ଭମାନଙ୍କର ଆଶୀର୍ବାଦସକଳକୁ ଅଭିଶାପ ଦେବା; ହଁ, ସେହି ସବୁକୁ ଅଭିଶାପ ଦେଇ ସାରିଅଛୁ, କାରଣ ତୁମ୍ଭେମାନେ ତହିଁରେ ମନୋଯୋଗ କରୁ ନାହଁ। 3 ଦେଖ, ଆମ୍ଭେ ତୁମ୍ଭମାନଙ୍କ ସନ୍ତାନଗଣଙ୍କୁ ଧମକାଇବା ଓ ତୁମ୍ଭମାନଙ୍କ ମୁଖରେ ମଳ, ଅର୍ଥାତ୍‍, ତୁମ୍ଭମାନଙ୍କ ବଳିସକଳର ମଳ ପ୍ରସାରିବା; ଆଉ, ତୁମ୍ଭେମାନେ ତହିଁ ସଙ୍ଗେ ନୀତ ହେବ। 4 ତହିଁରେ ଲେବୀ ସହିତ ଆମ୍ଭର ନିୟମ ଯେପରି ହେବ, ଏଥିପାଇଁ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଯେ ଏହି ଆଜ୍ଞା ପ୍ରେରଣ କରିଅଛୁ, ଏହା ତୁମ୍ଭେମାନେ ଜାଣିବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି। 5 ତାହା ସଙ୍ଗେ ଆମ୍ଭର ଯେଉଁ ନିୟମ ଥିଲା, ତାହା ଜୀବନ ଓ ଶାନ୍ତିକର ଥିଲା; ଆଉ, ସେ ଯେପରି ଆମ୍ଭକୁ ଭୟ କରିବ, ଏଥିପାଇଁ ଆମ୍ଭେ ତାହାକୁ ତାହା ଦେଲୁ, ପୁଣି ସେ ଆମ୍ଭକୁ ଭୟ କଲା ଓ ଆମ୍ଭ ନାମର ସମ୍ଭ୍ରମ କଲା। 6 ତାହାର ମୁଖରେ ସତ୍ୟର ବ୍ୟବସ୍ଥା ଥିଲା, ତାହାର ଓଷ୍ଠାଧରରେ ଅନ୍ୟାୟ ଦେଖାଗଲା ନାହିଁ; ସେ ଶାନ୍ତିରେ ଓ ସରଳତାରେ ଆମ୍ଭ ସଙ୍ଗେ ଗମନାଗମନ କଲା ଓ ଅନେକଙ୍କୁ ଅଧର୍ମରୁ ଫେରାଇଲା। 7 କାରଣ ଯାଜକର ଓଷ୍ଠାଧର ଜ୍ଞାନ ରକ୍ଷା କରିବାର ଉପଯୁକ୍ତ ଓ ତାହାର ମୁଖରୁ ବ୍ୟବସ୍ଥା ଅନ୍ୱେଷଣ କରିବାର ଲୋକମାନଙ୍କର ଉପଯୁକ୍ତ; କାରଣ ସେ ସୈନ୍ୟାଧିପତି ସଦାପ୍ରଭୁଙ୍କର ବାର୍ତ୍ତାବାହକ। 8 ମାତ୍ର ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ବିପଥଗମନ କରିଅଛ ଓ ଅନେକଙ୍କୁ ବ୍ୟବସ୍ଥା ପଥରେ ଝୁଣ୍ଟାଇ ଅଛ; ତୁମ୍ଭେମାନେ ଲେବୀର ନିୟମ ଭ୍ରଷ୍ଟ କରିଅଛ। 9 ତୁମ୍ଭେମାନେ ଆମ୍ଭର ପଥ ରକ୍ଷା କରି ନାହଁ, ମାତ୍ର ବ୍ୟବସ୍ଥା ଶିକ୍ଷାରେ ମୁଖାପେକ୍ଷା କରିଅଛ, ଏଥିପାଇଁ ଆମ୍ଭେ ମଧ୍ୟ ସମୁଦାୟ ଲୋକଙ୍କ ସାକ୍ଷାତରେ ତୁମ୍ଭମାନଙ୍କୁ ତୁଚ୍ଛ ଓ ଅଧମ କରିଅଛୁ।"

ଯିହୁଦା ଦ୍ୱାରା ନିୟମର ଅପବିତ୍ରତା

10 ଆମ୍ଭ ସମସ୍ତଙ୍କର କି ଏକ ପିତା ନାହାନ୍ତି? ଏକ ପରମେଶ୍ୱର କି ଆମ୍ଭମାନଙ୍କୁ ସୃଷ୍ଟି କରି ନାହାନ୍ତି? ଆମ୍ଭେମାନେ ଆପଣାମାନଙ୍କ ପିତାଙ୍କର ନିୟମ ଅପବିତ୍ର କରି ପ୍ରତ୍ୟେକ ଲୋକ କାହିଁକି ଆପଣା ଆପଣା ଭ୍ରାତା ପ୍ରତି ବିଶ୍ୱାସଘାତକତା କରୁଅଛୁ? 11 ଯିହୁଦା ବିଶ୍ୱାସଘାତକତା କରିଅଛି, ଆଉ ଇସ୍ରାଏଲର ମଧ୍ୟରେ ଓ ଯିରୂଶାଲମ ମଧ୍ୟରେ ଘୃଣାଯୋଗ୍ୟ କ୍ରିୟା କରାଯାଇଅଛି; କାରଣ ସଦାପ୍ରଭୁଙ୍କର ପ୍ରିୟ ବା ପବିତ୍ର ମନ୍ଦିର, ଯିହୁଦା ତାହା ଅପବିତ୍ର କରିଅଛି ଓ ବିଦେଶୀୟ ଦେବତାର କନ୍ୟାକୁ ବିବାହ କରିଅଛି। 12 ଯେଉଁ ଜନ ଏହି କର୍ମ କରେ, ସଦାପ୍ରଭୁ ଯାକୁବର ତମ୍ବୁସକଳରୁ ତାହାର ସମ୍ପର୍କୀୟ, ଯେକେହି ହୁଅନ୍ତୁ ଓ ଏପରିକି ଯେକେହି ସୈନ୍ୟାଧିପତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କୌଣସି ନୈବେଦ୍ୟ ଉତ୍ସର୍ଗ କରୁ, ତାହାକୁ ମଧ୍ୟ ଉଚ୍ଛିନ୍ନ କରିବେ।

13 ତୁମ୍ଭେମାନେ ମଧ୍ୟ ଏହି କର୍ମ କରୁଅଛ; ତୁମ୍ଭେମାନେ ଲୋତକରେ, ରୋଦନରେ ଓ ଆର୍ତ୍ତସ୍ୱରରେ ସଦାପ୍ରଭୁଙ୍କ ଯଜ୍ଞବେଦିକୁ ଏପରି ଆଚ୍ଛନ୍ନ କରୁଅଛ, କାରଣ ସେ ଆଉ ତୁମ୍ଭର ନୈବେଦ୍ୟ ପ୍ରତି ଦୃଷ୍ଟିପାତ କରନ୍ତି ନାହିଁ, କିଅବା ତୁଷ୍ଟ ହୋଇ ତୁମ୍ଭମାନଙ୍କ ହସ୍ତରୁ ତାହା ଗ୍ରହଣ କରନ୍ତି ନାହିଁ। 14 ତଥାପି ତୁମ୍ଭେମାନେ କହୁଅଛ, "ଏଥିର କାରଣ କଅଣ?" ସଦାପ୍ରଭୁ ତୁମ୍ଭର ଓ ତୁମ୍ଭ ଯୌବନ କାଳର ଭାର୍ଯ୍ୟା ମଧ୍ୟରେ ସାକ୍ଷୀ ହୋଇଅଛନ୍ତି, ସେ ତୁମ୍ଭର ସଖୀ ଓ ତୁମ୍ଭ ନିୟମକୃତ ଭାର୍ଯ୍ୟା ହେଲେ ହେଁ ତୁମ୍ଭେ ତାହା ପ୍ରତି ବିଶ୍ୱାସଘାତକତା କରିଅଛ। 15 ପୁଣି, ତାହାଙ୍କଠାରେ ଆତ୍ମାର ଅବଶିଷ୍ଟାଂଶ ଥିଲେ ହେଁ ସେ କି ଏକ ନ କଲେ? ଆଉ କାହିଁକି ଏକ କଲେ? ସେ ଈଶ୍ୱରୀୟ ଏକ ବଂଶ ଉତ୍ପନ୍ନ କରିବା ନିମନ୍ତେ ଚେଷ୍ଟା କଲେ। ଏଥିପାଇଁ ତୁମ୍ଭେମାନେ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ ଓ କେହି ଆପଣା ଆପଣା ଯୌବନ କାଳର ଭାର୍ଯ୍ୟା ପ୍ରତି ବିଶ୍ୱାସଘାତକତା ନ କରୁ। 16 "କାରଣ ଆମ୍ଭେ ସ୍ତ୍ରୀ-ତ୍ୟାଗ ଘୃଣା କରୁ, ଏହା ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ଓ ଯେ ଆପଣା ବସ୍ତ୍ରକୁ ଦୌରାତ୍ମ୍ୟରେ ଆଚ୍ଛାଦିତ କରେ, ତାହାକୁ ଆମ୍ଭେ ଘୃଣା କରୁ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି; ଏହେତୁ ତୁମ୍ଭେମାନେ ଯେପରି ବିଶ୍ୱାସଘାତକତା ନ କର, ଏଥିପାଇଁ ଆପଣା ଆପଣା ଆତ୍ମା ବିଷୟରେ ସାବଧାନ ହୁଅ।"

ସଦାପ୍ରଭୁଙ୍କ ଦୂତ

17 ତୁମ୍ଭେମାନେ ଆପଣାମାନଙ୍କର ବାକ୍ୟ ଦ୍ୱାରା ସଦାପ୍ରଭୁଙ୍କୁ କ୍ଳାନ୍ତ କରିଅଛ। ତଥାପି ତୁମ୍ଭେମାନେ କହୁଅଛ, "ଆମ୍ଭେମାନେ କାହିଁରେ ତାହାଙ୍କୁ କ୍ଳାନ୍ତ କରିଅଛୁ? ପ୍ରତ୍ୟେକ ଲୋକ ଯେ କୁକର୍ମ କରେ, ସେ ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଓ ସେମାନଙ୍କଠାରେ ସେ ସନ୍ତୁଷ୍ଟ ହୁଅନ୍ତି, ନୋହିଲେ ବିଚାରକର୍ତ୍ତା ପରମେଶ୍ୱର କାହାନ୍ତି?" ଏପରି କହି କ୍ଳାନ୍ତ କରୁଅଛ।

Veja também

Publicidade
Malaquias
Ver todos os capítulos de Malaquias
Bíblia Online Bíblia Online

Bíblia Online • Versão: 2026-06-16_06-50-08-