Pular para o conteúdo
Publicidade

ମୀଖା 4

ସଦାପ୍ରଭୁଙ୍କ ପର୍ବତ

1 ମାତ୍ର ଶେଷ କାଳରେ ଏରୂପ ଘଟିବ,

ସଦାପ୍ରଭୁଙ୍କ ଗୃହର ପର୍ବତ,

ପର୍ବତଗଣର ଶିଖର ଉପରେ ସ୍ଥାପିତ ହେବ

ଓ ଉପପର୍ବତଗଣ ଅପେକ୍ଷା ଉଚ୍ଚୀକୃତ ହେବ;

ଆଉ, ଗୋଷ୍ଠୀଗଣ ସ୍ରୋତ ପରି ତହିଁ ମଧ୍ୟକୁ ବହି ଆସିବେ।

2 ପୁଣି, ଅନେକ ଗୋଷ୍ଠୀ ଯାଉ ଯାଉ କହିବେ,

"ତୁମ୍ଭେମାନେ ଆସ, ସଦାପ୍ରଭୁଙ୍କ ପର୍ବତକୁ,

ଯାକୁବର ପରମେଶ୍ୱରଙ୍କ ଗୃହକୁ ଆମ୍ଭେମାନେ ଯାଉ;

ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ

ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା।"

କାରଣ ସିୟୋନଠାରୁ ବ୍ୟବସ୍ଥା

ଓ ଯିରୂଶାଲମଠାରୁ ସଦାପ୍ରଭୁଙ୍କର ବାକ୍ୟ ନିର୍ଗତ ହେବ।

3 ପୁଣି, ସେ ଅନେକ ଗୋଷ୍ଠୀୟମାନଙ୍କ ମଧ୍ୟରେ ବିଚାର କରିବେ

ଓ ଦୂରସ୍ଥିତ ବଳବାନ ଗୋଷ୍ଠୀୟମାନଙ୍କ ସମ୍ବନ୍ଧରେ ନିଷ୍ପତ୍ତି କରିବେ;

ତହିଁରେ ସେମାନେ ଆପଣା ଆପଣା ଖଡ୍ଗ ଭାଙ୍ଗି ଲଙ୍ଗଳର ଫାଳ କରିବେ

ଓ ଆପଣା ଆପଣା ବର୍ଚ୍ଛା ଭାଙ୍ଗି ଦାଆ ନିର୍ମାଣ କରିବେ;

ଏକ ଦେଶୀୟ ଲୋକେ ଅନ୍ୟ ଦେଶୀୟ ଲୋକଙ୍କ ବିରୁଦ୍ଧରେ ଖଡ୍ଗ ଉଠାଇବେ ନାହିଁ,

କିଅବା ସେମାନେ ଆଉ ଯୁଦ୍ଧ ଶିଖିବେ ନାହିଁ।

4 ମାତ୍ର ସେମାନେ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଲତା

ଓ ଡିମ୍ବିରିବୃକ୍ଷ ତଳେ ବସିବେ

ଓ କେହି ସେମାନଙ୍କୁ ଭୟ ଦେଖାଇବ ନାହିଁ;

କାରଣ ସୈନ୍ୟାଧିପତି ସଦାପ୍ରଭୁଙ୍କର ମୁଖ ଏହା କହିଅଛି।

5 କାରଣ ଯାବତୀୟ ଗୋଷ୍ଠୀ

ଆପଣା ଆପଣା ଦେବତାର ନାମରେ ଚାଲିବେ,

ପୁଣି ଆମ୍ଭେମାନେ ଅନନ୍ତକାଳ ପର୍ଯ୍ୟନ୍ତ

ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଚାଲିବା।

ସିୟୋନକୁ ସଦାପ୍ରଭୁଙ୍କ ସୁରକ୍ଷା

6 ସଦାପ୍ରଭୁ କହନ୍ତି, ସେହି ଦିନ

ଆମ୍ଭେ ପଙ୍ଗୁକୁ ସଂଗ୍ରହ କରିବା,

ପୁଣି ଯେ ତାଡ଼ିତ ହୋଇଅଛି

ଓ ଯାହାକୁ ଆମ୍ଭେ କ୍ଳେଶ ଦେଇଅଛୁ, ତାହାକୁ ଏକତ୍ର କରିବା।

7 ପୁଣି, ଆମ୍ଭେ ପଙ୍ଗୁକୁ ଅବଶିଷ୍ଟାଂଶ କରି ରଖିବା

ଓ ଯେ ଦୁରୀକୃତ ହୋଇଥିଲା, ତାହାକୁ ବଳବତୀ ଗୋଷ୍ଠୀ କରିବା

ଆଉ, ସଦାପ୍ରଭୁ ଆଜିଠାରୁ ସଦାକାଳ ପର୍ଯ୍ୟନ୍ତ

ସିୟୋନ ପର୍ବତରେ ସେମାନଙ୍କ ଉପରେ ରାଜତ୍ୱ କରିବେ।

8 ପୁଣି, ହେ ପଲର ଦୁର୍ଗ,

ହେ ସିୟୋନ କନ୍ୟାର ଗିରି,

ତାହା ତୁମ୍ଭ ନିକଟକୁ ଆସିବ,

ହଁ ପୂର୍ବକାଳର ରାଜ୍ୟ,

ଯିରୂଶାଲମ କନ୍ୟାର ରାଜ୍ୟ ଆସିବ।

9 ଏବେ ତୁମ୍ଭେ କାହିଁକି ଘୋର ଚିତ୍କାର କରୁଅଛ?

ତୁମ୍ଭ ମଧ୍ୟରେ କି ରାଜା ନାହିଁ,

ତୁମ୍ଭର ମନ୍ତ୍ରୀ ବିନଷ୍ଟ ହୋଇଅଛି ବୋଲି କି

ସ୍ତ୍ରୀର ପ୍ରସବବେଦନା ତୂଲ୍ୟ ବେଦନା ତୁମ୍ଭକୁ ଆକ୍ରାନ୍ତ କରିଅଛି?

10 ହେ ସିୟୋନ କନ୍ୟେ,4:10 ସିୟୋନ କନ୍ୟେ, ଅର୍ଥାତ୍‍ ଯିରୂଶାଲମର ଲୋକମାନେ

ତୁମ୍ଭେ ପ୍ରସବ ବେଦନାଗ୍ରସ୍ତା ସ୍ତ୍ରୀ ପରି

ବ୍ୟଥିତା ହୋଇ ପ୍ରସବ କରିବାକୁ ଯତ୍ନ କର;

କାରଣ ଏବେ ତୁମ୍ଭେ ନଗରରୁ ବାହାରିଯାଇ

ପଦାରେ ବାସ କରିବ

ଓ ବାବିଲ ପର୍ଯ୍ୟନ୍ତ ହିଁ ଯିବ;

ସେଠାରେ ତୁମ୍ଭେ ଉଦ୍ଧାର ପାଇବ;

ସେଠାରେ ସଦାପ୍ରଭୁ ତୁମ୍ଭ ଶତ୍ରୁଗଣର ହସ୍ତରୁ

ତୁମ୍ଭକୁ ମୁକ୍ତ କରିବେ।

11 ପୁଣି, ବର୍ତ୍ତମାନ ଅନେକ ଗୋଷ୍ଠୀ ତୁମ୍ଭ ବିରୁଦ୍ଧରେ ଏକତ୍ରିତ ହୋଇଅଛନ୍ତି,

ସେମାନେ କହନ୍ତି, "ସେ ଅଶୁଚି ହେଉ

ଓ ଆମ୍ଭମାନଙ୍କର ଚକ୍ଷୁ ତହିଁର ଅଭିଳାଷ ସିୟୋନ ପ୍ରତି ସଫଳ ହେବାର ଦେଖୁ।"

12 ମାତ୍ର ସେମାନେ ସଦାପ୍ରଭୁଙ୍କର ସଂକଳ୍ପସବୁ ଜାଣନ୍ତି ନାହିଁ,

ଅଥବା ତାହାଙ୍କର ମନ୍ତ୍ରଣା ବୁଝନ୍ତି ନାହିଁ;

କାରଣ ସେ ସେମାନଙ୍କୁ ଶସ୍ୟବିଡ଼ା ପରି ଖଳାରେ ଏକତ୍ର କରିଅଛନ୍ତି।

13 ହେ ସିୟୋନ କନ୍ୟେ, ଉଠ, ଶସ୍ୟମର୍ଦ୍ଦନ କର;

କାରଣ ଆମ୍ଭେ ତୁମ୍ଭର ଶୃଙ୍ଗ ଲୌହମୟ

ଓ ତୁମ୍ଭର ଖୁରା ପିତ୍ତଳମୟ କରିବା;

ତହିଁରେ ତୁମ୍ଭେ ଅନେକ ଗୋଷ୍ଠୀଙ୍କୁ ଚୂର୍ଣ୍ଣ କରିବ;

ପୁଣି, ତୁମ୍ଭେ ସେମାନଙ୍କର ଲୁଟିତ ଦ୍ରବ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ

ଓ ସେମାନଙ୍କର ସମ୍ପତ୍ତି ସମୁଦାୟ ଭୂମଣ୍ଡଳର ଅଧିପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ।

Estes versículos te tocaram? Ore agora!

+581 estão orando agora.

Junte-se à corrente de oração.