ପାଞ୍ଚ ରୁଟି ଦୁଇ ମାଛ
13 ଯୀଶୁ ତାହା ଶୁଣି ସେଠାରୁ ଅଲଗା ହୋଇ ନୌକାରେ ଗୋଟିଏ ଜନଶୂନ୍ୟ ସ୍ଥାନକୁ ଗଲେ। ଲୋକସମୂହ ଏହା ଶୁଣି ନଗରଗୁଡ଼ିକରୁ ଆସି ଚାଲିଚାଲି ତାହାଙ୍କର ପଶ୍ଚାତ୍ଗମନ କଲେ; 14 ଆଉ, ସେ ନୌକାରୁ ବାହାରି ବହୁସଂଖ୍ୟକ ଲୋକକୁ ଦେଖି ସେମାନଙ୍କ ପ୍ରତି ଦୟାରେ ବିଗଳିତ ହେଲେ ଓ ସେମାନଙ୍କର ରୋଗୀମାନଙ୍କୁ ସୁସ୍ଥ କଲେ।
15 ବେଳ ଗଡ଼ିଯିବାରୁ ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଏ ସ୍ଥାନ ତ ଜନଶୂନ୍ୟ, ପୁଣି, ବେଳ ତ ଗଲାଣି; ଏଣୁ ଲୋକସମୂହ ଯେପରି ଗ୍ରାମମାନଙ୍କୁ ଯାଇ ନିଜ ନିଜ ପାଇଁ ଖାଦ୍ୟ କିଣନ୍ତି, ସେଥିପାଇଁ ସେମାନଙ୍କୁ ବିଦାୟ ଦିଅନ୍ତୁ।
16 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, "ସେମାନଙ୍କର ଯିବା ଆବଶ୍ୟକ ନୁହେଁ, ତୁମ୍ଭେମାନେ ସେମାନଙ୍କୁ ଭୋଜନ କରାଅ।" 17 ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କର ଏଠାରେ କେବଳ ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ଅଛି। 18 ସେ କହିଲେ, "ସେଗୁଡ଼ିକ ଏଠାକୁ ମୋʼ ପାଖକୁ ଆଣ।"
19 ପୁଣି, ସେ ଲୋକସମୂହକୁ ଘାସ ଉପରେ ବସିବା ପାଇଁ ଆଜ୍ଞା ଦେଲେ, ଆଉ ସେ ସେହି ପାଞ୍ଚୋଟି ରୁଟି ଓ ଦୁଇଟି ମାଛ ନେଇ ସ୍ୱର୍ଗ ଆଡ଼େ ଊର୍ଦ୍ଧ୍ୱଦୃଷ୍ଟି କରି ଆଶୀର୍ବାଦ କଲେ ଏବଂ ରୁଟି ଗୁଡ଼ିକ ଭାଙ୍ଗି ଶିଷ୍ୟମାନଙ୍କୁ ଦେଲେ ଆଉ ଶିଷ୍ୟମାନେ ଲୋକସମୂହକୁ ଦେଲେ। 20 ପୁଣି, ସମସ୍ତେ ଭୋଜନ କରି ତୃପ୍ତ ହେଲେ ଓ ଭଙ୍ଗା ରୁଟିରୁ ଯାହା ବଳିଲା ତାହା ସେମାନେ ଉଠାଇ ବାର ଟୋକେଇ ଭର୍ତ୍ତି କଲେ। 21 ଭୋଜନ କରିବା ଲୋକେ, ସ୍ତ୍ରୀ ଓ ପିଲାମାନଙ୍କ ଛଡ଼ା, ପ୍ରାୟ ପାଞ୍ଚ ହଜାର ପୁରୁଷ ଥିଲେ।