Publicidade

Mateus 4

ଯୀଶୁ ପରୀକ୍ଷାର ସମ୍ମୁଖୀନ

1 ସେତେବେଳେ ଯୀଶୁ ଶୟତାନ ଦ୍ୱାରା ପରୀକ୍ଷିତ ହେବା ନିମନ୍ତେ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ପ୍ରାନ୍ତରକୁ ନୀତ ହେଲେ, 2 ପୁଣି, ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କରି ଶେଷରେ କ୍ଷୁଧିତ ହେଲେ। 3 ଆଉ ପରୀକ୍ଷକ ତାହାଙ୍କ ନିକଟକୁ ଆସି କହିଲା, "ତୁମ୍ଭେ ଯେବେ ଈଶ୍ବରଙ୍କ ପୁତ୍ର, ତେବେ ଏହି ପଥରଗୁଡ଼ାକ ରୁଟି ହେବା ପାଇଁ ଆଜ୍ଞା ଦିଅ।" 4 କିନ୍ତୁ ଯୀଶୁ ଉତ୍ତର ଦେଲେ, "ଲେଖାଅଛି, ‘ମନୁଷ୍ୟ କେବଳ ରୁଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ବରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ।’"

5 ତହିଁ ଉତ୍ତାରେ ଶୟତାନ ଯୀଶୁଙ୍କୁ ପବିତ୍ର ନଗରୀ ଯିରୂଶାଲମକୁ ନେଇଯାଇ ମନ୍ଦିରର ଛାତ ଉପରେ ଠିଆ କରାଇ ତାହାଙ୍କୁ କହିଲା, 6 "ତୁମ୍ଭେ ଯଦି ଈଶ୍ବରଙ୍କ ପୁତ୍ର, ତେବେ ତଳକୁ ଡେଇଁପଡ଼, କାରଣ ଲେଖାଅଛି,

‘ସେ ଆପଣା ଦୂତମାନଙ୍କୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ,

ଆଉ କାଳେ ତୁମ୍ଭ ପାଦ ପଥରରେ ବାଜିବ,

ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବେ।’"

7 ଯୀଶୁ ତାହାଙ୍କୁ କହିଲେ,

"ଆହୁରି ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପରୀକ୍ଷା କରିବ ନାହିଁ।’"

8 ପୁନଶ୍ଚ ଶୟତାନ ଯୀଶୁଙ୍କୁ ଗୋଟିଏ ଅତି ଉଚ୍ଚ ପର୍ବତ ଉପରକୁ ନେଇଯାଇ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶ୍ୱର୍ଯ୍ୟ ଦେଖାଇ କହିଲା, 9 ତୁମ୍ଭେ ଯେବେ ଆମ୍ଭକୁ ଭୂମିଷ୍ଠ ପ୍ରଣାମ କରିବ, ତେବେ ଆମ୍ଭେ ଏହି ସମସ୍ତ ତୁମ୍ଭକୁ ଦେବା।

10 ତହିଁରେ ଯୀଶୁ ତାହାକୁ କହିଲେ,

"ଦୂର ହ, ଶୟତାନ, କାରଣ ଲେଖାଅଛି, ‘ତୁମ୍ଭେ ପ୍ରଭୁ ଆପଣା ଈଶ୍ବରଙ୍କୁ ପ୍ରଣାମ କରିବ, ପୁଣି, କେବଳ ତାହାଙ୍କର ଉପାସନା କରିବ।’"

11 ଏଥିରେ ଶୟତାନ ତାହାଙ୍କୁ ଛାଡ଼ି ଚାଲିଗଲା, ଆଉ ଦେଖ, ଦୂତମାନେ ଆସି ତାହାଙ୍କର ସେବା କରିବାକୁ ଲାଗିଲେ।

ଯୀଶୁଙ୍କ ସେବାକାର୍ଯ୍ୟ ଆରମ୍ଭ

12 ପରେ ଯୋହନ ଧରାପଡ଼ିଲେଣି ବୋଲି ଶୁଣି ସେ ଅନ୍ତର ହୋଇ ଗାଲିଲୀକୁ ପ୍ରସ୍ଥାନ କଲେ; 13 ଆଉ ସେ ନାଜରିତ ପରିତ୍ୟାଗ କରି ସବୂଲୂନ ଓ ନପ୍ତାଲି ଅଞ୍ଚଳରେ ଥିବା ସମୁଦ୍ର କୂଳସ୍ଥିତ କଫର୍ନାହୂମକୁ ଯାଇ ସେଠାରେ ବାସ କଲେ,

14 ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ,

15 "ସବୂଲୂନ ଦେଶ ଓ ନପ୍ତାଲି ଦେଶ,

ସମୁଦ୍ର ନିକଟବର୍ତ୍ତୀ ଓ ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱସ୍ଥ ଅଣଯିହୁଦୀମାନଙ୍କ ଗାଲିଲୀ,

16 ଅନ୍ଧକାରବାସୀ ଲୋକେ

ମହା ଆଲୋକ ଦର୍ଶନ କଲେ, ଆଉ ମୃତ୍ୟୁର ଅଞ୍ଚଳ

ଓ ଛାୟାରେ ଅବସ୍ଥିତ ଲୋକଙ୍କ ନିମନ୍ତେ ଆଲୋକ ଉଦିତ ହେଲା।"

17 ସେହି ସମୟଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, "ମନ-ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ।"

ପ୍ରଥମ ଶିଷ୍ୟଙ୍କୁ ଆହ୍ୱାନ

18 ସେ ଗାଲିଲୀ ସମୁଦ୍ରକୂଳରେ ବୁଲୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାହାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କୁ ସମୁଦ୍ରରେ ଭଉଁରୀଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ। 19 ସେ ସେମାନଙ୍କୁ କହିଲେ, "ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି।" 20 ସେଥିରେ ସେମାନେ ସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ।

21 ପୁଣି, ସେ ସେଠାରୁ ଆଗକୁ ଯାଇ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ନାମକ ଆଉ ଦୁଇ ଭାଇଙ୍କୁ ସେମାନଙ୍କ ପିତା ଜେବଦୀଙ୍କ ସହିତ ନୌକାରେ ଜାଲ ସଜାଡ଼ୁଥିବା ଦେଖି ସେମାନଙ୍କୁ ଡାକିଲେ। 22 ସେଥିରେ ସେମାନେ ସେହିକ୍ଷଣି ନୌକା ଓ ସେମାନଙ୍କର ପିତାଙ୍କୁ ଛାଡ଼ି ତାହାଙ୍କର ଅନୁଗମନ କଲେ।

ଯୀଶୁଙ୍କ ସେବାକାର୍ଯ୍ୟ

23 ପରେ ଯୀଶୁ ସେମାନଙ୍କ ସମାଜଗୃହ ସମୂହରେ ଶିକ୍ଷା ଦେଇ ରାଜ୍ୟର ସୁସମାଚାର ଘୋଷଣା କରି ଏବଂ ଲୋକଙ୍କର ସମସ୍ତ ପ୍ରକାର ରୋଗ ଓ ସମସ୍ତ ପ୍ରକାର ପୀଡ଼ା ସୁସ୍ଥ କରି ସମୁଦାୟ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, 24 ଆଉ ତାହାଙ୍କ ବିଷୟରେ ଜନରବ ସମୁଦାୟ ସିରିୟା ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଗଲା, ପୁଣି, ଲୋକେ ଭୂତଗ୍ରସ୍ତ, ମୃଗୀରୋଗୀ ଓ ପକ୍ଷାଘାତରୋଗୀ ଆଦି ନାନା ପ୍ରକାର ରୋଗରେ ପୀଡ଼ିତ ଓ ଯନ୍ତ୍ରଣାଗ୍ରସ୍ତ ସମସ୍ତଙ୍କୁ ତାହାଙ୍କ ନିକଟକୁ ଆଣିଲେ, ଆଉ ସେ ସେମାନଙ୍କୁ ସୁସ୍ଥ କଲେ। 25 ପୁଣି, ଗାଲିଲୀ, ଦେକାପଲି, ଯିରୂଶାଲମ, ଯିହୂଦିୟା ପ୍ରଦେଶ ଓ ଯର୍ଦ୍ଦନ ନଦୀର ଅପର ପାରିରୁ ବହୁସଂଖ୍ୟକ ଲୋକ ଆସି ତାହାଙ୍କ ପଶ୍ଚାତ୍‌‌ଗମନ କଲେ।

Veja também

Publicidade
Bíblia Online Bíblia Online

Bíblia Online • Versão: 2026-06-15_21-32-39-