ଦ୍ରାକ୍ଷାକ୍ଷେତ୍ରର ମୂଲିଆ
1 "କାରଣ ସ୍ୱର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ସକାଳ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୂଲିଆ ଲଗାଇବାକୁ ବାହାରିଗଲେ। 2 ଆଉ ସେ ମୂଲିଆମାନଙ୍କ ସହିତ ଦିନକୁ ଏକ ଦିନର ମୂଲ ପାଇଁ ଚୁକ୍ତି କରି ସେମାନଙ୍କୁ ଆପଣା ଦ୍ରାକ୍ଷାକ୍ଷେତ୍ରକୁ ପଠାଇଲେ। 3 ପୁଣି, ପ୍ରାୟ ନଅଟା ସମୟରେ ବାହାରିଯାଇ ବଜାରରେ ଅନ୍ୟମାନଙ୍କୁ ନିଷ୍କର୍ମା ହୋଇ ଠିଆ ହୋଇଥିବା ଦେଖି ସେମାନଙ୍କୁ ମଧ୍ୟ କହିଲେ, 4 ‘ତୁମ୍ଭେମାନେ ସୁଦ୍ଧା ଦ୍ରାକ୍ଷାକ୍ଷେତ୍ରକୁ ଯାଅ, ପୁଣି, ଯାହା ଉଚିତ୍, ତାହା ତୁମ୍ଭମାନଙ୍କୁ ଦେବି;’ ଆଉ ସେମାନେ ଗଲେ। 5 ପୁଣି, ଥରେ ସେ ପ୍ରାୟ ବାରଟା ଓ ତିନିଟା ସମୟରେ ବାହାରିଯାଇ ସେହି ପ୍ରକାର କଲେ। 6 ପୁଣି, ପ୍ରାୟ ପାଞ୍ଚଟା ସମୟରେ ସେ ବାହାରିଯାଇ ଆଉ କେତେକ ଜଣଙ୍କୁ ଠିଆ ହୋଇଥିବା ଦେଖି ସେମାନଙ୍କୁ ପଚାରିଲେ, ‘ତୁମ୍ଭେମାନେ କାହିଁକି ଏଠାରେ ଦିନଯାକ ନିଷ୍କର୍ମା ହୋଇ ଠିଆ ହୋଇଅଛ?’ 7 ସେମାନେ ତାହାଙ୍କୁ କହିଲେ, ‘କାରଣ କେହି ଆମ୍ଭମାନଙ୍କୁ ମୂଲ ଲଗାଇ ନାହାନ୍ତି।’ ସେ ସେମାନଙ୍କୁ କହିଲେ, ‘ତୁମ୍ଭେମାନେ ମଧ୍ୟ ଦ୍ରାକ୍ଷାକ୍ଷେତ୍ରକୁ ଯାଅ।’ 8 ପରେ ସନ୍ଧ୍ୟା ହୁଅନ୍ତେ ଦ୍ରାକ୍ଷାକ୍ଷେତ୍ରର କର୍ତ୍ତା ଆପଣା ବେବର୍ତ୍ତାଙ୍କୁ କହିଲେ, ‘ମୂଲିଆମାନଙ୍କୁ ଡାକି ଶେଷ ଲୋକମାନଙ୍କଠାରୁ ଆରମ୍ଭ କରି ପ୍ରଥମ ଲୋକମାନଙ୍କ ପର୍ଯ୍ୟନ୍ତ ମୂଲ ଦିଅ।’ 9 ସେଥିରେ ଯେଉଁମାନେ ପ୍ରାୟ ପାଞ୍ଚଟା ସମୟରେ ମୂଲ ଲଗାଯାଇଥିଲେ, ସେମାନେ ଆସି ଏକ ଦିନର ମୂଲ ଲେଖାଏଁ ପାଇଲେ। 10 ପୁଣି, ପ୍ରଥମେ ଲଗାଯାଇଥିବା ମୂଲିଆମାନେ ଆସି ଅଧିକ ପାଇବେ ବୋଲି ମନେ କଲେ; ମାତ୍ର ସେମାନେ ମଧ୍ୟ ଏକ ଦିନର ମୂଲ ଲେଖାଏଁ ପାଇଲେ। 11 କିନ୍ତୁ ତାହା ପାଇ ସେମାନେ ଘରର କର୍ତ୍ତାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, 12 ‘ଏହି ଶେଷର ଲୋକମାନେ ଘଣ୍ଟାଏ ମାତ୍ର କାମ କଲେ, ଆଉ ଆମ୍ଭେମାନେ ଦିନଯାକ ଖଟି ଖଟି ଖରାରେ ଜଳି ପୋଡ଼ିଗଲେ ସୁଦ୍ଧା ତୁମ୍ଭେ ସେମାନଙ୍କୁ ଆମ୍ଭମାନଙ୍କ ସମାନ କଲ।’ 13 କିନ୍ତୁ ସେ ସେମାନଙ୍କ ମଧ୍ୟରୁ ଜଣକୁ ଉତ୍ତର ଦେଲେ, ‘ଭାଇ, ତୋʼ ପ୍ରତି ମୁଁ ଅନ୍ୟାୟ କରୁ ନାହିଁ; ତୁ କଅଣ ମୋ ସାଙ୍ଗରେ ଏକ ଦିନର ମୂଲ ପାଇଁ ଚୁକ୍ତି କରି ନ ଥିଲୁ? 14 ତୋର ଯାହା, ତାହା ନେଇ ଚାଲିଯା, କିନ୍ତୁ ଏହି ଶେଷ ଲୋକକୁ ସୁଦ୍ଧା ତୋʼ ପରି ଦେବା ପାଇଁ ମୋହର ଇଚ୍ଛା। 15 ନିଜ ସମ୍ପତ୍ତିକୁ ନିଜ ଇଚ୍ଛାନୁସାରେ ବ୍ୟବହାର କରିବାକୁ କଅଣ ମୋହର ଅଧିକାର ନାହିଁ? ନା ମୁଁ ଦାନଶୀଳ ହେବାରୁ ତୁ ଈର୍ଷାଦୃଷ୍ଟି କରୁଅଛୁ?’ 16 ସେହିପରି ଶେଷରେ ଥିବା ଲୋକେ ପ୍ରଥମେ ହେବେ ଓ ପ୍ରଥମରେ ଥିବା ଲୋକେ ଶେଷରେ ପଡ଼ିବେ।"