ବିଶ୍ୱସ୍ତ ଏବଂ ଦୁଷ୍ଟ ଦାସ
45 "ତେବେ ପ୍ରଭୁ ଆପଣା ପରିଜନମାନଙ୍କୁ ଯଥା ସମୟରେ ପ୍ରାପ୍ୟ ଦେବା ନିମନ୍ତେ ଯାହାକୁ ସେମାନଙ୍କ ଉପରେ ନିଯୁକ୍ତ କଲେ, ଏପରି ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ କିଏ? 46 ପ୍ରଭୁ ଆସି ଆପଣାର ଯେଉଁ ଦାସକୁ ସେପ୍ରକାର କରୁଥିବା ଦେଖିବେ, ସେ ଧନ୍ୟ। 47 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସେ ତାହାକୁ ଆପଣାର ସର୍ବସ୍ୱ ଉପରେ ନିଯୁକ୍ତ କରିବେ। 48 କିନ୍ତୁ ଯଦି ସେହି ଦୁଷ୍ଟ ଦାସ ମୋହର ପ୍ରଭୁଙ୍କ ଆସିବାର ବିଳମ୍ବ ଅଛି ବୋଲି ମନେ ମନେ କହି 49 ଆପଣା ସହଦାସମାନଙ୍କୁ ପ୍ରହାର କରିବାକୁ ଲାଗେ, ଆଉ ମଦୁଆମାନଙ୍କ ସହିତ ଭୋଜନପାନ କରେ, 50 ତାହାହେଲେ ଯେଉଁ ଦିନ ସେ ଅପେକ୍ଷା କରୁ ନ ଥିବ ଓ ଯେଉଁ ସମୟ ସେ ଜାଣି ନ ଥିବ, ସେହି ଦିନ ସେହି ସମୟରେ ତାହାର ପ୍ରଭୁ ଆସିବେ, 51 ପୁଣି, ସେ ତାହାକୁ ଦ୍ୱିଖଣ୍ଡ କରି କପଟୀମାନଙ୍କ ସହିତ ତାହାର ଅଂଶ ନିରୂପଣ କରିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।"