ବାପ୍ତିଜକ ଯୋହନଙ୍କ ପ୍ରଚାର
1 ସେହି କାଳରେ ବାପ୍ତିଜକ ଯୋହନ ଉପସ୍ଥିତ ହୋଇ ଯିହୂଦିୟା ପ୍ରଦେଶର ପ୍ରାନ୍ତରରେ ଘୋଷଣା କରି କହିବାକୁ ଲାଗିଲେ, 2 "ମନ-ପରିବର୍ତ୍ତନ କର, କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ।" 3 ଯିଶାଇୟ ଭାବବାଦୀ ଯାହାଙ୍କ ବିଷୟରେ ଏହି ବାକ୍ୟ କହିଥିଲେ,
"ଏ ସେହି ବ୍ୟକ୍ତି, ପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର,
‘ପ୍ରଭୁଙ୍କ ପଥ ପ୍ରସ୍ତୁତ କର,
ତାହାଙ୍କ ରାଜଦାଣ୍ଡ ସଳଖ କର।’"
4 ସେହି ଯୋହନ ଓଟ ଲୋମର ବସ୍ତ୍ର ପିନ୍ଧୁଥିଲେ ଓ ଆପଣା ଅଣ୍ଟାରେ ଚର୍ମପଟୁକା ବାନ୍ଧୁଥିଲେ, ପୁଣି, ତାହାଙ୍କ ଖାଦ୍ୟ ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ଥିଲା। 5 ସେତେବେଳେ ଯିରୂଶାଲମ ଓ ସମସ୍ତ ଯିହୂଦିୟା ପ୍ରଦେଶ ପୁଣି, ଯର୍ଦ୍ଦନ ନଦୀ ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ଲୋକମାନେ ବାହାରି ତାହାଙ୍କ ପାଖକୁ ଆସିବାକୁ ଲାଗିଲେ, 6 ଆଉ ଆପଣା ଆପଣା ପାପ ସ୍ୱୀକାର କରି ତାହାଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ବାପ୍ତିଜିତ ହେଲେ।