ଦୁଇ ଭୂତଗ୍ରସ୍ତଙ୍କୁ ଯୀଶୁଙ୍କ ସୁସ୍ଥତା
28 ପରେ ଆରପାରିରେ ଗଦରୀୟମାନଙ୍କ ଅଞ୍ଚଳରେ ଯୀଶୁ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ, ସେହି ବାଟ ଦେଇ କେହି ଯିବା ଆସିବା କରିପାରୁ ନ ଥିଲେ। 29 ଆଉ ଦେଖ, ସେମାନେ ଚିତ୍କାର କରି କହିଲେ, ହେ ଈଶ୍ବରଙ୍କ ପୁତ୍ର, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କ କଅଣ ଅଛି? ସମୟ ନ ହେଉଣୁ ତୁମ୍ଭେ କି ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ?
30 ଆଉ ସେମାନଙ୍କଠାରୁ ଦୂରରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା। 31 ଏଥିରେ ଭୂତଗୁଡ଼ାକ ତାହାଙ୍କୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଘୁଷୁରିପଲ ଭିତରକୁ ପଠାଇଦିଅ। 32 ଯୀଶୁ ସେମାନଙ୍କୁ କହିଲେ, "ଯାଅ।" ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ଘୁଷୁରିପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ। 33 ପୁଣି, ଚରାଉଥିବା ଲୋକମାନେ ପଳାଇଗଲେ ଏବଂ ନଗରକୁ ଯାଇ ସମସ୍ତ ଘଟଣା ଓ ଭୂତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା, ସେହିସବୁ ଜଣାଇଲେ। 34 ଆଉ ଦେଖ, ନଗରର ସମସ୍ତ ଲୋକ ଯୀଶୁଙ୍କୁ ଭେଟିବା ପାଇଁ ବାହାରି ଆସିଲେ, ପୁଣି, ତାହାଙ୍କୁ ଦେଖି ସେମାନଙ୍କ ସୀମାରୁ ଚାଲିଯିବା ପାଇଁ ବିନତି କଲେ।