ନିହିମୀୟାଙ୍କର ନିଃସ୍ୱାର୍ଥପରତା
14 ଆହୁରି, ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିବା ସମୟଠାରୁ, ଅର୍ଥାତ୍, ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ଵର କୋଡ଼ିଏ ବର୍ଷଠାରୁ ବତିଶ ବର୍ଷ ପର୍ଯ୍ୟନ୍ତ ବାର ବର୍ଷ, ମୁଁ ଓ ମୋʼ ଭ୍ରାତୃଗଣ ଦେଶାଧ୍ୟକ୍ଷର ଖାଦ୍ୟ ଭୋଗ କଲୁ ନାହିଁ। 15 ମାତ୍ର ମୋହର ପୂର୍ବବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା, ଆଉ ସେମାନେ ଚାଳିଶ ଶେକଲ ରୂପା ଛଡ଼ା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ; କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ ଅତ୍ୟାଚାର କଲେ; ମାତ୍ର ପରମେଶ୍ୱରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ। 16 ଆହୁରି, ମୁଁ ଏହି ପ୍ରାଚୀର-କର୍ମରେ ଲାଗି ରହିଲି ଓ ଆମ୍ଭେମାନେ କୌଣସି ଭୂମି କିଣିଲୁ ନାହିଁ; ପୁଣି, ମୋହର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ଏକତ୍ରିତ ହେଲେ। 17 ତଥାପି ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆଗତ ଲୋକମାନଙ୍କ ଛଡ଼ା ଯିହୁଦୀ ଓ ଅଧ୍ୟକ୍ଷ ଏକ ଶହ ପଚାଶ ଲୋକ ମୋʼ ଭୋଜନାସନରେ ବସିଲେ। 18 ସେସମୟରେ ପ୍ରତିଦିନ ଏକ ବଳଦ ଓ ଛଅଗୋଟି ବଛା ମେଷ ପ୍ରସ୍ତୁତ କରାଗଲା; ମଧ୍ୟ ମୋʼ ପାଇଁ କେତେକ ପକ୍ଷୀ ପ୍ରସ୍ତୁତ କରାଗଲା ଓ ଦଶ ଦିନରେ ଥରେ ସର୍ବପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା; ତଥାପି ମୁଁ ଏସବୁ ଲାଗି ଦେଶାଧ୍ୟକ୍ଷର ଖାଦ୍ୟ ଚାହିଁଲି ନାହିଁ, କାରଣ ଏହି ଲୋକଙ୍କ ଉପରେ ଦାସତ୍ୱର ଭାର ଭୟଙ୍କର ହୋଇଥିଲା। 19 ହେ ମୋହର ପରମେଶ୍ୱର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେଉଁ ଯେଉଁ କାର୍ଯ୍ୟ କରିଅଛି, ମୋʼ ପକ୍ଷରେ ମଙ୍ଗଳ ନିମନ୍ତେ ତାହାସବୁ ସ୍ମରଣ କର।