Publicidade

Neemias 9

ଲୋକଙ୍କ ପାପ ସ୍ୱୀକାର

1 ସେହି ମାସର ଚବିଶତମ ଦିନରେ ଇସ୍ରାଏଲ-ସନ୍ତାନଗଣ ଏକତ୍ରିତ ହୋଇ ଉପବାସ କରି, ଅଖା ପିନ୍ଧି ଓ ଆପଣା ଆପଣା ମସ୍ତକ ଉପରେ ମାଟି ଦେଲେ। 2 ଆଉ, ଇସ୍ରାଏଲ ବଂଶ ବିଦେଶୀୟ ସମସ୍ତଙ୍କଠାରୁ ଆପଣାମାନଙ୍କୁ ପୃଥକ କଲେ, ପୁଣି ଠିଆ ହୋଇ ଆପଣା ଆପଣା ପାପ ଓ ଆପଣା ଆପଣା ପୂର୍ବପୁରୁଷଗଣଙ୍କ ଅପରାଧ ସ୍ୱୀକାର କଲେ। 3 ପୁଣି, ସେମାନେ ସ୍ୱ ସ୍ୱ ସ୍ଥାନରେ ଠିଆ ହୋଇ ଦିନର ଚତୁର୍ଥାଂଶ ପର୍ଯ୍ୟନ୍ତ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ୱରଙ୍କ ବ୍ୟବସ୍ଥା-ପୁସ୍ତକରୁ ପାଠ କଲେ ଓ ଅନ୍ୟ ଚତୁର୍ଥାଂଶ ପର୍ଯ୍ୟନ୍ତ ସେମାନେ ପାପ ସ୍ୱୀକାର କରି ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରଣାମ କଲେ। 4 ଆଉ, ଲେବୀୟମାନେ, ଯେଶୂୟ ଓ ବାନି, କଦ୍‍ମୀୟେଲ, ଶବନୀୟ, ବୁନ୍ନି, ଶେରେବୀୟ, ବାନି ଓ କନାନି ପାବଚ୍ଛରେ ଠିଆ ହୋଇ ସଦାପ୍ରଭୁ ପରମେଶ୍ୱରଙ୍କୁ ଉଚ୍ଚସ୍ୱରରେ ଡାକିଲେ। 5 ଯେଶୂୟ ଓ କଦ୍‍ମୀୟେଲ, ବାନି, ହଶବନୀୟ, ଶେରେବୀୟ, ହୋଦୀୟ, ଶବନୀୟ ଓ ପଥାହୀୟ, ଓ ଲେବୀୟମାନେ କହିଲେ, "ଉଠ, ଅନାଦିକାଳରୁ ଅନନ୍ତକାଳସ୍ଥାୟୀ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କର ଧନ୍ୟବାଦ କର; ପୁଣି, ସକଳ ଧନ୍ୟବାଦ ଓ ପ୍ରଶଂସାରୁ ଉନ୍ନତ ତୁମ୍ଭ ପ୍ରତାପାନ୍ୱିତ ନାମ ଧନ୍ୟ ହେଉ।

6 କେବଳ ତୁମ୍ଭେ ହିଁ ସଦାପ୍ରଭୁ ଅଟ; ତୁମ୍ଭେ ସ୍ୱର୍ଗ, ସ୍ୱର୍ଗର ସ୍ୱର୍ଗ ଓ ତହିଁର ସମଗ୍ର ବାହିନୀ, ପୃଥିବୀ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ, ସମୁଦ୍ର ଓ ତନ୍ମଧ୍ୟସ୍ଥସକଳ ବସ୍ତୁ ନିର୍ମାଣ କରିଅଛ ଓ ତୁମ୍ଭେ ସେସବୁର ସ୍ଥିତି କରୁଅଛ ଓ ସ୍ୱର୍ଗୀୟ-ବାହିନୀ ତୁମ୍ଭକୁ ପ୍ରଣାମ କରନ୍ତି। 7 ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ, ତୁମ୍ଭେ ଅବ୍ରାମଙ୍କୁ ମନୋନୀତ କଲ ଓ କଲ୍‍ଦୀୟମାନଙ୍କ ଊର ଦେଶରୁ ତାହାକୁ ବାହାର କରି ଆଣି ଅବ୍ରହାମ ନାମ ଦେଲ; 8 ତୁମ୍ଭେ ଆପଣା ସାକ୍ଷାତରେ ତାହାର ଅନ୍ତଃକରଣ ବିଶ୍ୱସ୍ତ ଦେଖିଲ, ପୁଣି କିଣାନୀୟ, ହିତ୍ତୀୟ, ଇମୋରୀୟ ଓ ପରିଷୀୟ ଓ ଯିବୂଷୀୟ ଓ ଗିର୍ଗାଶୀୟ ଲୋକମାନଙ୍କ ଦେଶ ଦେବାକୁ, ଅର୍ଥାତ୍‍, ତାହାର ବଂଶକୁ ଦେବା ପାଇଁ ତାହା ସଙ୍ଗେ ନିୟମ କଲ, ପୁଣି ଆପଣା ବାକ୍ୟ ସଫଳ କରିଅଛ; କାରଣ ତୁମ୍ଭେ ଧର୍ମମୟ।

9 ଏଥିଉତ୍ତାରେ ତୁମ୍ଭେ ମିସର ଦେଶରେ ଆମ୍ଭ ପୂର୍ବପୁରୁଷଗଣର କ୍ଳେଶ ଦେଖିଲ ଓ ସୂଫ ସାଗର ନିକଟରେ ସେମାନଙ୍କର କ୍ରନ୍ଦନ ଶୁଣିଲ; 10 ପୁଣି, ଫାରୋ ଓ ତାହାର ସମସ୍ତ ଦାସ ଓ ତାହାର ଦେଶସ୍ଥ ସମୁଦାୟ ଲୋକଙ୍କ ପ୍ରତି ନାନା ଚିହ୍ନ ଓ ଆଶ୍ଚର୍ଯ୍ୟକର୍ମ ପ୍ରକାଶ କଲ; କାରଣ ମିସରୀୟମାନେ ସେମାନଙ୍କ ବିରୁଦ୍ଧରେ ଗର୍ବାଚରଣ କରିବାର ତୁମ୍ଭେ ଜାଣିଲ; ଏଣୁ ତୁମ୍ଭେ ଆଜି ପର୍ଯ୍ୟନ୍ତ ଆପଣା ନାମ ପ୍ରସିଦ୍ଧ କରିଅଛ। 11 ପୁଣି, ତୁମ୍ଭେ ସେମାନଙ୍କ ସାକ୍ଷାତରେ ସମୁଦ୍ରକୁ ବିଭାଗ କଲ, ତହୁଁ ସେମାନେ ଶୁଷ୍କ ଭୂମି ଦେଇ ଯିବା ପରି ସମୁଦ୍ର ମଧ୍ୟରେ ଗମନ କଲେ; ମାତ୍ର ଗଭୀର ଜଳରେ ପ୍ରସ୍ତର ତୁଲ୍ୟ ତୁମ୍ଭେ ସେମାନଙ୍କ ପଛେ ଗୋଡ଼ାଇବା ଲୋକମାନଙ୍କୁ ଅଗାଧ ସମୁଦ୍ରରେ ନିକ୍ଷେପ କଲ। 12 ଆହୁରି, ତୁମ୍ଭେ ଦିବସରେ ମେଘସ୍ତମ୍ଭ ଦ୍ୱାରା ଓ ରାତ୍ରିରେ ସେମାନଙ୍କ ଗନ୍ତବ୍ୟ ପଥରେ ଦୀପ୍ତି ଦେବା ନିମନ୍ତେ ଅଗ୍ନିସ୍ତମ୍ଭ ଦ୍ୱାରା ସେମାନଙ୍କୁ ଗମନ କରାଇଲ। 13 ମଧ୍ୟ ତୁମ୍ଭେ ସୀନୟ ପର୍ବତକୁ ଓହ୍ଲାଇ ଆସି ସ୍ୱର୍ଗରୁ ସେମାନଙ୍କ ସଙ୍ଗେ କଥାବାର୍ତ୍ତା କଲ ଓ ସେମାନଙ୍କୁ ଯଥାର୍ଥ ଶାସନ ଓ ସତ୍ୟ ବ୍ୟବସ୍ଥା, ଉତ୍ତମ ବିଧି ଓ ଆଜ୍ଞା ପ୍ରଦାନ କଲ; 14 ଆଉ, ସେମାନଙ୍କୁ ଆପଣାର ପବିତ୍ର ବିଶ୍ରାମ ଦିନ ଜ୍ଞାତ କରାଇଲ ଓ ଆପଣା ଦାସ ମୋଶାଙ୍କ ହସ୍ତରେ ସେମାନଙ୍କୁ ଆଜ୍ଞା ଓ ବିଧି ଓ ବ୍ୟବସ୍ଥା ଆଦେଶ କଲ; 15 ପୁଣି, ସେମାନଙ୍କ କ୍ଷୁଧା ନିବାରଣାର୍ଥେ ସେମାନଙ୍କୁ ସ୍ୱର୍ଗରୁ ଭକ୍ଷ୍ୟ ଦେଲ ଓ ସେମାନଙ୍କ ତୃଷା ନିବାରଣାର୍ଥେ ଶୈଳରୁ ଜଳ ନିର୍ଗତ କଲେ, ଆଉ ତୁମ୍ଭେ ସେମାନଙ୍କୁ ଯେଉଁ ଦେଶ ଦେବା ପାଇଁ ହସ୍ତ ଉଠାଇ ଥିଲ, ସେହି ଦେଶ ଅଧିକାରାର୍ଥେ ତହିଁ ମଧ୍ୟରେ ପ୍ରବେଶ କରିବାକୁ ଆଜ୍ଞା କଲେ।

16 ମାତ୍ର ସେମାନେ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ଗର୍ବାଚରଣ କଲେ ଓ ଆପଣା ଆପଣାକୁ କଠିନ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ, 17 ଆଉ ସେମାନେ ପାଳିବାକୁ ଅସମ୍ମତ ହେଲେ, କିଅବା ତୁମ୍ଭେ ସେମାନଙ୍କ ମଧ୍ୟରେ ଯେଉଁ ଆଶ୍ଚର୍ଯ୍ୟକର୍ମ କରିଥିଲ, ତାହା ସ୍ମରଣରେ ରଖିଲେ ନାହିଁ; ମାତ୍ର ଆପଣା ଆପଣା ମନ କଠିନ କଲେ ଓ ଦାସତ୍ୱାବସ୍ଥାକୁ ଫେରିଯିବା ନିମନ୍ତେ ବିଦ୍ରୋହ ଭାବରେ ଜଣକୁ ପ୍ରଧାନ କରି ନିଯୁକ୍ତ କଲେ; ତଥାପି ତୁମ୍ଭେ କ୍ଷମା କରିବାକୁ ଉଦ୍ୟତ, କୃପାମୟ ଓ ସ୍ନେହଶୀଳ, କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ପରମେଶ୍ୱର ଅଟ, ଏଣୁ ସେମାନଙ୍କୁ ପରିତ୍ୟାଗ କଲ ନାହିଁ। 18 ହଁ, ଏପରିକି ସେମାନେ ଛାଞ୍ଚରେ ଢଳା ଏକ ଗୋବତ୍ସ ନିର୍ମାଣ କରି କହିଲେ, ‘ଯେଉଁ ଦେବତା ତୁମ୍ଭକୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି,’ ଏହା କହି ପ୍ରଭୁଙ୍କୁ ମହା ଅପମାନ କଲେ; 19 ସେତେବେଳେ ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ପ୍ରାନ୍ତରରେ ପରିତ୍ୟାଗ କଲ ନାହିଁ; ପଥ କଢ଼ାଇବା ନିମନ୍ତେ ଦିବସରେ ମେଘସ୍ତମ୍ଭ, କିଅବା ସେମାନଙ୍କୁ ଆଲୁଅ ଓ ଗନ୍ତବ୍ୟ ପଥ ଦେଖାଇବା ନିମନ୍ତେ ରାତ୍ରିରେ ଅଗ୍ନିସ୍ତମ୍ଭ ସେମାନଙ୍କ ଆଗରୁ ପ୍ରସ୍ଥାନ କଲା ନାହିଁ। 20 ଆହୁରି, ତୁମ୍ଭେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଆପଣାର ମଙ୍ଗଳମୟ ଆତ୍ମା ପ୍ରଦାନ କଲ ଓ ସେମାନଙ୍କ ମୁଖରୁ ଆପଣା ମାନ୍ନା ଅଟକାଇଲ ନାହିଁ ଓ ସେମାନଙ୍କ ତୃଷା ନିବାରଣାର୍ଥେ ସେମାନଙ୍କୁ ଜଳ ଦେଲ। 21 ତୁମ୍ଭେ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କୁ ପ୍ରତିପାଳନ କଲ, ସେମାନଙ୍କର କିଛି ଅଭାବ ହେଲା ନାହିଁ; ସେମାନଙ୍କ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ସେମାନଙ୍କ ପାଦ ଫୁଲିଲା ନାହିଁ। 22 ଆହୁରି, ତୁମ୍ଭେ ସେମାନଙ୍କୁ ନାନା ରାଜ୍ୟ ଓ ଗୋଷ୍ଠୀ ଦେଲ ଓ ତାହା ସେମାନଙ୍କ ବାଣ୍ଟ ଅନୁସାରେ ନିରୂପଣ କଲ; ତହୁଁ ସେମାନେ ସୀହୋନ ଦେଶ, ଅର୍ଥାତ୍‍, ହିଷ୍‍ବୋନ ରାଜାର ଦେଶ ଓ ବାଶନର ଓଗ୍‍ ରାଜାର ଦେଶ ଅଧିକାର କଲେ। 23 ଆହୁରି, ତୁମ୍ଭେ ସେମାନଙ୍କ ସନ୍ତାନଗଣକୁ ଆକାଶର ନକ୍ଷତ୍ରଗଣ ତୁଲ୍ୟ ବହୁସଂଖ୍ୟକ କଲ ଓ ଯେଉଁ ଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସେମାନଙ୍କ ପିତୃଗଣକୁ କହିଥିଲ, ସେହି ଦେଶକୁ ସେମାନଙ୍କୁ ଆଣିଲ। 24 ଏହିରୂପେ ସେହି ସନ୍ତାନଗଣ ଦେଶରେ ପ୍ରବେଶ କରି ଅଧିକାର କଲେ, ଆଉ ତୁମ୍ଭେ ସେମାନଙ୍କ ସମ୍ମୁଖରେ ସେହି ଦେଶବାସୀ କିଣାନୀୟମାନଙ୍କୁ ପରାସ୍ତ କଲ ଓ ସେମାନେ ଯେପରି ଆପଣା ଇଚ୍ଛାମତ ବ୍ୟବହାର କରିବେ, ଏଥିପାଇଁ ସେମାନଙ୍କୁ ଓ ସେମାନଙ୍କ ରାଜାଗଣକୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସେମାନଙ୍କ ହସ୍ତରେ ସମର୍ପଣ କଲ। 25 ତହିଁରେ ସେମାନେ ପ୍ରାଚୀର-ବେଷ୍ଟିତ ନଗରସକଳ ଓ ଉର୍ବରା ଭୂମି ନେଲେ, ସର୍ବପ୍ରକାର ଉତ୍ତମ ଦ୍ରବ୍ୟରେ ପରିପୂର୍ଣ୍ଣ ଗୃହ, ଖୋଦିତ କୂପ, ଦ୍ରାକ୍ଷାକ୍ଷେତ୍ର ଓ ଜୀତକ୍ଷେତ୍ର ଓ ପ୍ରଚୁର ଫଳବୃକ୍ଷ ଅଧିକାର କଲେ; ତହୁଁ ସେମାନେ ଭୋଜନ କରି ତୃପ୍ତ ଓ ପୁଷ୍ଟ ହେଲେ ଓ ତୁମ୍ଭର ମହାମଙ୍ଗଳଦାନରେ ଆନନ୍ଦ କଲେ।

26 ତଥାପି ସେମାନେ ଅନାଜ୍ଞାବହ ହେଲେ ଓ ତୁମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କଲେ ଓ ତୁମ୍ଭ ବ୍ୟବସ୍ଥା ଆପଣା ପଛକୁ ପକାଇଲେ, ଆଉ ତୁମ୍ଭର ଯେଉଁ ଭବିଷ୍ୟଦ୍‍ବକ୍ତାମାନେ ସେମାନଙ୍କୁ ତୁମ୍ଭ ପ୍ରତି ପୁନର୍ବାର ଫେରାଇବା ପାଇଁ ସେମାନଙ୍କୁ ଚେତାବନୀ ଦେଲେ, ତେଣୁ ସେମାନଙ୍କୁ ବଧ କଲେ ଓ ଅପମାନଜନକ କାର୍ଯ୍ୟ କଲେ। 27 ଏହେତୁ ତୁମ୍ଭେ ସେମାନଙ୍କୁ ବିପକ୍ଷଗଣ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ କ୍ଳେଶ ଦେଲେ; ମାତ୍ର କ୍ଳେଶ ସମୟରେ ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କରନ୍ତେ, ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ; ଆଉ, ଆପଣାର ବହୁବିଧ ଦୟାନୁସାରେ ସେମାନଙ୍କୁ ସେମାନଙ୍କ ବିପକ୍ଷଗଣ ହସ୍ତରୁ ସେମାନଙ୍କୁ ଉଦ୍ଧାର କଲେ। 28 ମାତ୍ର ସେମାନେ ବିଶ୍ରାମ ପାଇଲା ଉତ୍ତାରେ ପୁନର୍ବାର ତୁମ୍ଭ ଦୃଷ୍ଟିରେ କୁକର୍ମ କଲେ; ଏହେତୁ ତୁମ୍ଭେ ସେମାନଙ୍କୁ ଶତ୍ରୁଗଣ ହସ୍ତରେ ସମର୍ପଣ କଲ, ସେମାନେ ସେମାନଙ୍କ ଉପରେ କର୍ତ୍ତୃତ୍ୱ କଲେ, ତଥାପି ଯେତେବେଳେ ସେମାନେ ଫେରି ତୁମ୍ଭ ନିକଟରେ କ୍ରନ୍ଦନ କଲେ, ସେତେବେଳେ ତୁମ୍ଭେ ସ୍ୱର୍ଗରୁ ତାହା ଶୁଣିଲ; ଆଉ, ଅନେକ ଥର ତୁମ୍ଭେ ଆପଣା ଦୟାନୁସାରେ ସେମାନଙ୍କୁ ଉଦ୍ଧାର କଲ। 29 ପୁଣି, ସେମାନଙ୍କୁ ପୁନର୍ବାର ଆପଣା ବ୍ୟବସ୍ଥାରୂପ ମାର୍ଗକୁ ଆଣିବା ନିମନ୍ତେ ସେମାନଙ୍କ ଚେତାବନୀ ଦେଲ; ତଥାପି ସେମାନେ ଗର୍ବାଚରଣ କଲେ ଓ ତୁମ୍ଭ ଆଜ୍ଞାରେ କର୍ଣ୍ଣପାତ କଲେ ନାହିଁ, ମାତ୍ର ଯାହା ପାଳନ କଲେ ମନୁଷ୍ୟ ବଞ୍ଚିବ, ତୁମ୍ଭର ସେହି ଶାସନ ବିରୁଦ୍ଧରେ ପାପ କଲେ, ପୁଣି ମନଯୋଗ କଲେ ନାହିଁ ଓ ଆପଣା ଆପଣା ମନ କଠିନ କଲେ ଓ ଶୁଣିବାକୁ ଅସମ୍ମତ ହେଲେ। 30 ତଥାପି ବହୁ ବର୍ଷ ପର୍ଯ୍ୟନ୍ତ ତୁମ୍ଭେ ସେମାନଙ୍କୁ ସହ୍ୟ କଲ ଓ ଆପଣା ଆତ୍ମା ଦ୍ୱାରା ଆପଣା ଭବିଷ୍ୟଦ୍‍ବକ୍ତାଗଣ ଦେଇ ସେମାନଙ୍କୁ ଚେତାବନୀ ଦେଲ; ମାତ୍ର ସେମାନେ କର୍ଣ୍ଣପାତ କରିବାକୁ ସମ୍ମତ ହେଲେ ନାହିଁ; ଏହେତୁ ତୁମ୍ଭେ ସେମାନଙ୍କୁ ଅନ୍ୟ ଦେଶୀୟ ଗୋଷ୍ଠୀୟମାନଙ୍କ ହସ୍ତରେ ସମର୍ପଣ କଲ। 31 ତଥାପି ତୁମ୍ଭେ ଆପଣା ବହୁବିଧ ଦୟାରେ ସେମାନଙ୍କୁ ନିଃଶେଷ କଲ ନାହିଁ, ଅବା ସେମାନଙ୍କୁ ପରିତ୍ୟାଗ କଲ ନାହିଁ; କାରଣ ତୁମ୍ଭେ କୃପାମୟ ଓ ଦୟାଳୁ ପରମେଶ୍ୱର ଅଟ।

32 ଏହେତୁ ହେ ଆମ୍ଭମାନଙ୍କ ପରମେଶ୍ୱର, ମହାନ, ପରାକ୍ରାନ୍ତ ଓ ଭୟଙ୍କର ପରମେଶ୍ୱର, ତୁମ୍ଭେ ନିୟମ ଓ ଦୟା ପାଳନ କରିଥାଅ, ଅଶୂରୀୟ ରାଜାଗଣର ସମୟଠାରୁ ଆଜି ପର୍ଯ୍ୟନ୍ତ ଆମ୍ଭମାନଙ୍କ ଉପରେ, ଆମ୍ଭମାନଙ୍କ ରାଜାଗଣ ଉପରେ, ଆମ୍ଭମାନଙ୍କ ଅଧିପତିଗଣ ଉପରେ ଓ ଆମ୍ଭମାନଙ୍କ ଯାଜକଗଣ ଉପରେ ଓ ଆମ୍ଭମାନଙ୍କ ଭବିଷ୍ୟଦ୍‍ବକ୍ତାଗଣ ଉପରେ ଓ ଆମ୍ଭମାନଙ୍କ ପିତୃଗଣ ଉପରେ ଓ ତୁମ୍ଭର ସମସ୍ତ ଲୋକଙ୍କ ଉପରେ ଯେ ଯେ କ୍ଳେଶ ଘଟିଅଛି, ତାହାସବୁ ତୁମ୍ଭ ଦୃଷ୍ଟିରେ କ୍ଷୁଦ୍ର ଦେଖା ନ ଯାଉ। 33 ତଥାପି ଆମ୍ଭମାନଙ୍କ ପ୍ରତି ଯାହା ଯାହା ଘଟିଅଛି, ସେସବୁରେ ତୁମ୍ଭେ ଧର୍ମମୟ ଅଟ; କାରଣ ତୁମ୍ଭେ ସତ୍ୟରେ ବ୍ୟବହାର କରିଅଛ, ମାତ୍ର ଆମ୍ଭେମାନେ ଦୁଷ୍କର୍ମ କରିଅଛୁ। 34 ପୁଣି, ଆମ୍ଭମାନଙ୍କ ରାଜାଗଣ, ଆମ୍ଭମାନଙ୍କ ଅଧିପତିଗଣ, ଆମ୍ଭମାନଙ୍କ ଯାଜକଗଣ ଅବା ଆମ୍ଭମାନଙ୍କ ପିତୃଗଣ ତୁମ୍ଭ ବ୍ୟବସ୍ଥା ପାଳନ କରି ନାହାନ୍ତି, କିଅବା ତୁମ୍ଭେ ଆପଣାର ଯେଉଁ ଆଜ୍ଞା ଓ ସାକ୍ଷ୍ୟ ଦ୍ୱାରା ସେମାନଙ୍କୁ ଚେତାବନୀ ଦେଲ, ତହିଁରେ କର୍ଣ୍ଣପାତ କରି ନାହାନ୍ତି। 35 ଯେଣୁ ସେମାନେ ଆପଣାମାନଙ୍କ ରାଜ୍ୟରେ, ସେମାନଙ୍କୁ ତୁମ୍ଭର ପ୍ରଦତ୍ତ ମହାମଙ୍ଗଳରେ ଓ ସେମାନଙ୍କ ସମ୍ମୁଖରେ ତୁମ୍ଭର ସମର୍ପିତ ପ୍ରଶସ୍ତ ଓ ଉର୍ବର ଦେଶରେ ତୁମ୍ଭର ସେବା କରି ନାହାନ୍ତି, କିଅବା ଆପଣା ଆପଣା ଦୁଷ୍କର୍ମରୁ ଫେରି ନାହାନ୍ତି। 36 ଦେଖ, ଆଜି ଆମ୍ଭେମାନେ ଦାସ ହୋଇଅଛୁ! ପୁଣି ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶର ଫଳ ଓ ଉତ୍ତମ ଦ୍ରବ୍ୟ ଭୋଗ କରିବାକୁ ଦେଇଥିଲ, ଦେଖ, ସେହି ଦେଶରେ ଆମ୍ଭେମାନେ ଦାସ ହୋଇଅଛୁ। 37 ଆଉ, ଆମ୍ଭମାନଙ୍କ ପାପ ହେତୁରୁ ତୁମ୍ଭେ ଯେଉଁ ରାଜାଗଣକୁ ଆମ୍ଭମାନଙ୍କ ଉପରେ ସ୍ଥାପନ କରିଅଛ, ସେମାନେ ସେହି ଦେଶର ପ୍ରଚୁର ଫଳ ଉତ୍ପନ୍ନ କରି ଭୋଗ କରୁଅଛନ୍ତି; ମଧ୍ୟ ଆମ୍ଭମାନଙ୍କ ଶରୀର ଉପରେ ଓ ଆମ୍ଭମାନଙ୍କ ପଶୁଗଣ ଉପରେ ସେମାନଙ୍କର ସ୍ୱେଚ୍ଛାମତ କ୍ଷମତା ଅଛି, ଆଉ ଆମ୍ଭେମାନେ ମହାକ୍ଳେଶରେ ଅଛୁ।"

38 ଏସବୁ ଘଟିଲେ ହେଁ ଆମ୍ଭେମାନେ ଏକ ନିଶ୍ଚିତ ନିୟମ କରି ତାହା ଲେଖୁଅଛୁ; ଆଉ, ଆମ୍ଭମାନଙ୍କ ଅଧିପତିମାନେ, ଆମ୍ଭମାନଙ୍କ ଲେବୀୟମାନେ ଓ ଆମ୍ଭମାନଙ୍କ ଯାଜକମାନେ ତାହା ମୋହରାଙ୍କିତ କରୁଅଛନ୍ତି।

Veja também

Publicidade
Neemias
Ver todos os capítulos de Neemias
Bíblia Online Bíblia Online

Bíblia Online • Versão: 2026-06-15_21-32-39-